ଟିକେ ନିଜକୁ ପଚାର

            ଟିକେ ନିଜକୁ ପଚାର

   ✍🏼କବିରତ୍ନ ନୂତନ କୁମାର ବେହେରା

ଆଶା ତ ଅନେକ ନଈ ବାଲି ପରି କୁଢ଼ କୁଢ଼
ସଂସାର ସାଗରେ ଅଶେଷ କାମନାର ଜୁଆର
କେବେ ଛୁଏଁ ବେଳାଭୂମି କେବେ ପଡ଼େ ଭଟ୍ଟା
ହାଡ଼ଭଙ୍ଗା ପରିଶ୍ରମର ଝାଳବୁହା ଅର୍ଜନ
ବରଫ ପରି ମିଳାଇ ହୋଇଯାଏ ବାଷ୍ପିଭୂତ
ଉଚିତ ସମୟେ ଲାଗେ ନାହିଁ ପୁଣ୍ୟ କାର୍ଯ୍ୟେ
ହାତ ଯେଉଁ ଶୂନ୍ୟକୁ ରହେ ସେଇ ଶୂନ୍ୟ
ମନରେ ଆସେ ଗ୍ଳାନି ଅବସାଦେ ବିତେ ଦିନ
ଭାଗ୍ୟକୁ ନିନ୍ଦି ହେଉ ଅଛ ଖାଲି ମ୍ରିୟମାଣ
କାରଣ ବୁଝିବାକୁ ଟିକେ ନିଜକୁ ପଚାର
ଶରୀର ତୁମର ମନ ପ୍ରାଣ ହୃଦୟ ବି ତୁମର
ନିଜ ଭିତରର ଶବ୍ଦରେ ଅନ୍ତରାତ୍ମା କହି ଦେବ
ଅନ୍ୟ କାହାରି ଉତ୍ତରରେ ହେଉ ନାହଁ ସନ୍ତୁଷ୍ଟ
ଯିଏ ଯା’ କହୁଛି ତାର ଅଭିଜ୍ଞତାର ଜ୍ଞାନରୁ
ତୁମକୁ ସେ ଯେତିକି ଜାଣିଛି ସେତିକି କହୁଛି
ତୁମେ ତ ନିଜେ ନିଜକୁ ସବୁଠୁ ଜାଣିଛି ବେଶି
କର ଯେତେ ସବୁ ନିଜର ବୁଦ୍ଧି ବିବେକରେ
ତଥାପି ତା’ ଫଳ ହେଉଛି କାହିଁକି ଓଲଟା
ନିଜ ମଧ୍ୟେ କାରଣ ଖୋଜ କର ଆତ୍ମସମୀକ୍ଷା
ପ୍ରଶ୍ନସବୁ କରି ମନକୁ ଟିକେ ନିଜକୁ ପଚାର
ବିଧିର ବିଧାନ ସମସ୍ତଙ୍କ ପାଇଁ ସବୁଦିନ ସମାନ
କର୍ମ ଥାଏ ଅଧୀନରେ ସାଧନାରେ ହୁଏ ବଶ
ପରିଣାମ ତାର ସେଇ ଅଦୃଷ୍ଟ ଶକ୍ତିର ହାତରେ
ସେଠି ନାହିଁ ପାତର ଅନ୍ତର ପକ୍ଷପାତ ନୀତି
ଯିଏ ଯା’ ପାଏ ସୁଖ ଦୁଃଖ ସବୁ ତ କର୍ମର ଫଳ
ସିଦ୍ଧାନ୍ତ ବିଚାର କରି ଥରେ ନିଜକୁ ପଚାର
ଅନ୍ଧାରରେ ସବୁ ଛପିଯାଏ ଲୁଚିଯାଏ ହଜିଯାଏ
ସଦ୍ୟ ଦିବାଲୋକରେ ସବୁ ହୁଅଇ ଦୃଶ୍ୟମାନ
ତୁମ ଅନ୍ତରାତ୍ମା କହିବ ଟିକେ ନିଜକୁ ପଚାର।

          କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *