ଜମରା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ
ଜମରା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ
ହରିନାମ ସଙ୍କୀର୍ତ୍ତନରେ କମ୍ପିଲା ଗାଁ ପରିବେଶ
କୋଣାର୍କ,୦୭.୦୪( )- ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଜମରା ଗ୍ରାମରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଅବସରରେ ଅଷ୍ଟମ ପ୍ରହର ନାମଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବ ୩ଦିନ ଧରି ଚାଲିଥିଲା। ଶନିବାର ଅଧିବାସ ଉପଲକ୍ଷେ କଳସ ଶୋଭାଯାତ୍ରାରେ ଶତାଧିକ ପୁରୁଷ ବନ୍ଧୁଙ୍କ ମହିଳା ମାନେ ପାଣି ତୋଳା କାର୍ଯ୍ୟକ୍ରମରେ ଯୋଗ ଦେଇ ବାବା ଦକ୍ଷିଣେଶ୍ୱର ମନ୍ଦିର ପୁଷ୍କରିଣୀରୁ ପାଣି ତୋଳି ଗ୍ରାମଦେବୀ ମା ଦୁଲାଦେଇ ପୀଠକୁ ଆଣିଥିଲେ। କଳସ ସ୍ଥାପନ ସହ ରାତିରେ ଅଧିବାସ କାର୍ଯ୍ୟ ସମାପନ ହୋଇଥିଲା। ରବିବାର ସକାଳୁ ନାମଯଜ୍ଞ ଆୟୋଜିତ ହୋଇଥିଲା। ଆଖପାଖ ଅଞ୍ଚଳର ପ୍ରାୟ ୧୦ ଖଣ୍ଡ ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ହରିନାମ ରସାମୃତ ପାନ କରିଥିଲେ। ସଂଧ୍ୟାରେ ଆକର୍ଷଣୀୟ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା ଯାହା ଗ୍ରାମ ବାସୀଙ୍କୁ ବାନ୍ଧି ରଖିଥିଲା। ସୋମବାର ପୂର୍ବାହ୍ନରେ ଗ୍ରାମରେ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇ ଘରେ ଘରେ ବୁଲିଥିଲା। ଶେଷ ପର୍ଯ୍ୟାୟରେ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଓ ଯମୁନା ଗାଧୁଆ ନୀତି ସଂପାଦନ କରାଯାଇଥିଲା। ହରିନାମ ସଙ୍କୀର୍ତ୍ତନରେ ଗାଁ ପରିବେଶ କମ୍ପିଥିଲା। ଗ୍ରାମର ସମସ୍ତ ମହିଳା ଓ ପୁରୁଷ ମାନେ ଯୋଗଦେଇ ଉତ୍ସବର ଆନନ୍ଦ ଉଠାଇଥିଲେ।
