କୃଷି ପାଣିପାଗ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
କୃଷି ପାଣିପାଗ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ।
୧୮.୦୩.୨୦୨୬ ତାରିଖରେ ସର୍ବ ଭାରତୀୟ କୃଷି ପାଣିପାଗ ଗବେଷଣା ପ୍ରକଳ୍ପ, ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବା ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଦ୍ଵାରା ମିଳିତ ଭାବେ ଜଗତସିଂହପୁର ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକର ଗରାମ ଗ୍ରାମରେ ଅନୁସୂଚିତ ଜାତି ଉପଯୋଜନା ଅନୁକୁଲ୍ୟାରେ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ୮୫ ଜଣ ଚାଷୀ ଭାଇ ଓ ମହିଳା ଚାଷୀ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ ଜୀବନଜିତ ସେନ୍ ଚାଷୀମାନଙ୍କୁ ଫସଲ ସୁରକ୍ଷା, ବିପଦ ପରିଚାଳନା ଓ ଉନ୍ନତ କୃଷି ପ୍ରଣାଳୀ ବିଷୟରେ ସଚେତନ କରିଥିଲେ। ଏହା ସହିତ ଗ୍ରାମୀଣ କୃଷିର ବିଭିନ୍ନ ଦିଗ ଯଥା ମାଟିରେ ସ୍ୱାସ୍ଥ୍ୟରକ୍ଷା, ସଠିକ୍ ଉର୍ବରକ ବ୍ୟବହାର ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଡ଼ ପ୍ରଦୀପ୍ତ ମାଝୀ (ମୂର୍ତ୍ତିକା ବିଜ୍ଞାନୀ), ଦେବାଶିଷ ପଣ୍ଡା (ଉଦ୍ଭିଦ ସୁରକ୍ଷା ବିଜ୍ଞାନୀ) ଓ ସସ୍ମିତା ପୁରୋହିତ (ଗୃହ ବିଜ୍ଞାନୀ) ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପ୍ରସ୍ତାବିତ ପଦକ୍ଷେପ ଯଥା ଦକ୍ଷ ଭାବେରେ ଜଳ ବ୍ୟବହାର, ମରୁଡ଼ି ପ୍ରତିଶୋଧ ମୂଳକ ପଦକ୍ଷେପ, ବନୀକରଣ ଉପରେ ପ୍ରାଧାନ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠ କୃଷି ପାଣିପାଗବିତ୍ ଚିନ୍ମୟ କୁମାର ସାହୁ ଜଳବାୟୁ ପରିବର୍ତ୍ତନର ସଫଳ ମୁକାବିଲା ପାଇଁ ବିଜ୍ଞାନ ସମ୍ମତ ଜଳବାୟୁ ଉପଯୋଗୀ ପଦକ୍ଷେପ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ଅନେକାଂଶରେ ରୋକାଯାଇପାରିବ ବୋଲି ମତ ପ୍ରଦାନ କରିଥିଲେ ଏବଂ ଓ.ୟୁ.ଏ.ଟି ଦ୍ଵାରା ଜାରି କରାଯାଉଥିବା ସାପ୍ତାହିକ ପାଣିପାଗ ଭିତ୍ତିକ କୃଷି ପରାମର୍ଶକ ଗ୍ରହଣ କରି ଚାଷକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କୃଷି ଜଳବାୟୁ ପ୍ରକଳ୍ପ ନିରୀକ୍ଷକ ଗୌରୀଶଙ୍କର ପାଣିଗ୍ରାହୀ ବିଜୁଳିରୁ ସୁରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ତଥା ଖୋଲା ଜାଗାରେ ରୁହନ୍ତୁ ନାହିଁ, ଗଛ ତଳେ ରୁହନ୍ତୁ ନାହିଁ, ଧାତୁ ବସ୍ତୁରୁ ଦୂରେଇ ରୁହନ୍ତୁ, ପାଣି ଓ ଜଳାଶ୍ରୟ ଠାରୁ ଦୂରରେ ରୁହନ୍ତୁ, ଠିକ୍ ଭାବରେ ବସିବା ପଦ୍ଧତି, ମୋବାଇଲ ଓ ବିଦ୍ୟୁତ ଯନ୍ତ୍ର ସାବଧାନରେ ବ୍ୟବହାର କରନ୍ତୁ ଏସବୁ ବିଷୟରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଉପସ୍ଥିତ ଚାଷୀ ମାନଙ୍କୁ ମୋହିତ ନଗର ଗୁଆ ଗଛ, କୃଷି ଯନ୍ତ୍ରପାତି ତଥା ଖୁର୍ପି ଏବଂ ପାଣିପାଗ ସମ୍ବନ୍ଧୀୟ ପତ୍ରିକା ବଣ୍ଟନ କରାଯାଇଥିଲା। ଚାଷୀମାନେ ଏହି କାର୍ଯ୍ୟକ୍ରମରୁ ଅନେକ ଉପକୃତ ହୋଇଥିବା ବେଳେ, ଭବିଷ୍ୟତରେ ଏପରି ଅଧିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଶା ପ୍ରକାଶ କରିଥିଲେ। ଏହି ପଦକ୍ଷେପ ଚାଷୀମାନଙ୍କୁ ସଚେତନ କରିବା ସହ କୃଷି ଉତ୍ପାଦନ ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଥିଲେ।
