ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ତରଫରୁ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମାବଳୀ ସମ୍ବନ୍ଧୀୟ ସଚେତନତା ସଭା।
ବ୍ରହ୍ମପୁର — ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ନିମଖଣ୍ଡି ଥାନା ଓ କୁମାରୀ କାମାକ୍ଷା ପେଟ୍ରୋଲ ପମ୍ପର ମିଳିତ ସହଯୋଗରେ ଲୋଚାପଡା ରୋଡର ଧୋବା ନାଳ ନିକଟରେ ତଥା ଶକ୍ତି ନଗର ଛକ ନିକଟରେ ଅବସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମର କୁମାରୀ କମାକ୍ଷୀ ପେଟ୍ରୋଲ ପମ୍ପ ନିକଟରେ ଏକ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମାବଳୀ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା ଓ ଟ୍ରାଫିକ ଥାନା ଅଧିକାରୀ ପଦ୍ମ ଚରଣ ଭଟ୍ଟ ଯୋଗ ଦେଇ ସଡକ ସୁରକ୍ଷାର ବିଭିନ୍ନ ଦିଗ ଏବଂ ନିୟମାବଳୀ ସମ୍ବନ୍ଧରେ ତଥା ସୁରକ୍ଷିତ ଡ୍ରାଇଭିଂ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ଅବସରରେ ନିମଖଣ୍ଡି ଥାନା ଅଧିକାରୀ ଶ୍ରୀ ସାହା କହିଥିଲେ ଦେଶରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ଓ ଆହତ ଅତ୍ୟନ୍ତ ଚିନ୍ତାଜନକ। ସେ କହିଥିଲେ ଯେ ବେପରୁଆ ଗାଡ଼ି ଚାଳନା, ଗାଡ଼ି ଚଳେଇଲା ବେଳେ ମଦ୍ୟପାନ, ମୋବାଇଲ୍ ବ୍ୟବହାର , ଅତ୍ୟଧିକ ବେଗ, ହେଲମେଟ ନପିନ୍ଧିବା,ଅନ୍ୟମନସ୍କ ଓ ଅନିଦ୍ରା ହୋଇ ଗାଡି ଚଳେଇବା ବିଶେଷକରି ଟ୍ରାଫିକ ରୁଲର ଅବମାନନା ଏଵଂ ଉଲଙ୍ଘନ ହିଁ ଦୁର୍ଘଟଣା ବୃଦ୍ଧିର ପ୍ରମୂଖ କାରଣ । ଟ୍ରାଫିକ ଥାନା ଅଧିକାରୀ ଶ୍ରୀ ଭଟ୍ଟ କାବ୍ୟ ଶୈଳୀରେ ଓ ବିଭିନ୍ନ ପୌରାଣିକ ଘଟଣାବଳିର ଉଦାହରଣ ଉଲ୍ଲେଖ ମାଧ୍ଯମରେ ଟ୍ରାଫିକ ନିୟମକୁ ମାନିବାର ଆବଶ୍ୟକତାକୁ ପ୍ରାଞ୍ଜଳ ଭାବେ ରଖିଥିଲେ ଏଵଂ କହିଥିଲେ ଯେ ଆମର ପର ପିଢ଼ିକୁ ଏ ନେଇ ସଚେତନ ଓ ଅବଗତ କରିବାର ଗୁରୁଦାୟିତ୍ଵ ଆମର ବୋଲି ସେ କହିଥିଲେ। ଯଦିଓ ପୋଲିସ ପ୍ରଶାସନ ତରଫରୁ ଏହାର ନିୟନ୍ତ୍ରଣ ନେଇ ଯଥୋଚିତ ପଦକ୍ଷେପ ନିଆଯାଉଛି ତଥାପି ଜନସାଧାରଣଙ୍କ ସହଯୋଗ ମିଳିଲେ ହିଁ ଏଥିରେ ନିୟନ୍ତ୍ରଣ ଆସିପାରିବ ବୋଲି ଉଭୟ ପୋଲିସ ଅଧିକାରୀ ମତ ବ୍ୟକ୍ତ କରିଥିଲେ। ଜନସାଧାରଣଙ୍କ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବା ସକାଶେ ସରକାର,ପୋଲିସ ଓ ପ୍ରଶାସନ ତରଫରୁ ଯେଉଁ ସବୁ ନିୟମ ଓ ମାର୍ଗଦର୍ଶିକା ଜାରି କରାଯାଇଛି ଜନସାଧାରଣ ତାହାକୁ ସମ୍ମାନ ଦେବା ସହ ଅନୁପାଳନ କରିବାର ଆବଶ୍ୟକତା ରହିଛି। ତାହା ହେଲେ ଯାଇ ଏହି ସମସ୍ୟାକୁ ସୂଚାରୁ ରୂପେ ପରିଚାଳନା କରାଯାଇ ପାରିବ ।

ଫାଇନ ଓ ଆଇନର ଭୟ ନୁହଁ ସଚେତନତା ହିଁ ଏହାକୁ ରୋକିବାର ଏକମାତ୍ର ଉପଯୁକ୍ତ ମାଧ୍ୟମ ଏଵଂ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଏ ନେଇ ଏକ ଉତ୍ତମ ପଦକ୍ଷେପ ନେଇଥିବାରୁ ପ୍ରଶଂସାର ଯୋଗ୍ୟ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଦୁର୍ଘଟଣାରେ ଜୀବନ ହରାଉଥିବା ବ୍ୟକ୍ତିର ପରିବାର ଉପରେ ଯେଉଁ ଚଡ଼କ ପଡେ ତାହା ଗୋଟେ ପରିବାରକୁ ପଦ ଦଳିତ କରିଦେଉଥିବାରୁ ଆମକୁ ଏଥିପ୍ରତି ସତର୍କ ଓ ସଂବେଦନଶୀଳ ରହିବାକୁ ପଡିବ। ଆଜି ଏହି ସମସ୍ୟା ଏକ ଜଟିଳ ମାନବୀୟ ପରିସ୍ଥିତି ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ଏହି ଅବସରରେ ଚାରୋଟି ବ୍ୟାରିକେଡକୁ ନିମଖଣ୍ଡି ଥାନା ଅଧିକାରୀ ଓ ଟ୍ରାଫିକ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାପିତ କରା ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଭଳି ଆଉ ଚାରୋଟି ବ୍ୟାରିକେଡ଼ ସ୍ଥାପନ କରାଯିବ। ଫଳରେ ଏହି ସ୍ଥାନରେ ଦୁର୍ଘଟଣାକୁ ନିୟନ୍ତ୍ରଣ ହେବ ବୋଲି ଆଶା କରାଯାଉଛି। ସେହିପରି ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ମାନି ଯେଉଁ ବାଇକ ଚାଳକ ମାନେ ହେଲମେଟ ବ୍ୟବହାର କରି ରାସ୍ତାରେ ଯାଉଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ନିମଖଣ୍ଡି ଥାନାର ଏଏସଆଇ କେ ସି ମାଝୀ, ଏଏସଆଇ ଦେବ ରଞ୍ଜନ ସାହୁ, କନଷ୍ଟେବଳ ଅନିଶ୍ ବାରିକ ଓ ଟ୍ରାଫିକ ଥାନାର ହାବିଲଦାର ଲୁନା ବେହେରା ଯୋଗ ଦେଇଥିଲେ । କମିଟି ପକ୍ଷରୁ ସଭାପତିଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସହ ସମ୍ପାଦକ ବି ଭି ସାଗର, ସଂଗଠନ ଉପ ସମ୍ପାଦକ ଅଜିତ୍ କୁମାର ପଟ୍ଟନାୟକ, ସହ ସଂଗଠନ ସମ୍ପାଦକ ଅନୀଲ ଅଧିକାରୀ,ସଂଯୋଜକ ସି ଏଚ୍ଚ ରାମକୃଷ୍ଣ ଦାସ, ସହ ସଂଯୋଜାକ ଶ୍ରୀମନ୍ତ ପାଣିଗ୍ରାହୀ,ସୁନିଲ ପାତ୍ର,ଉପଦେଷ୍ଟା ଲକ୍ଷ୍ମୀ କାନ୍ତ ଜେନା, ପ୍ରବୀଣ କୁମାର ପଟ୍ଟନାୟକ, ଏଲ୍ ଏନ ପାଢ଼ୀ, ପ୍ରଶାନ୍ତ ଶର୍ମା, ରାମା ରାଓ, ଗୋପାଳ ମିଶ୍ର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର ।
