ସାପକାମୁଡା ଓ ବଜ୍ରପାତ ପ୍ରତି ସାବଧାନତା ଓ ସୁରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ l
ଫୁଲବାଣୀ:-୧୦/୧୦ ସାପକାମୁଡା ଓ ବଜ୍ରପାତ ହେଉଛି ଏଭଳି ଏକ ବିପର୍ଯ୍ୟୟ ଯାହା କେବଳ ସଚେତନତା ଓ ସତର୍କତା ମାଧ୍ୟମରେ ସୁରକ୍ଷା ହୋଇପାରିବ । ଏଥିରେ ଶିକାର ହୋଇ ବହୁ ଧନ ଜୀବନ ହାନି ହେଉଥିବା ବେଳେ ଏହାକୁ ବିପର୍ଯ୍ୟୟ ତାଲିକା ରେ ଅର୍ନ୍ତଭୂକ୍ତ କରି ଓଡିଶା ସରକାର ମୃତ୍ୟୁ ବରଣ କରୁଥିବା ମନୁଷ୍ୟ ଓ ପଷୁ ସମ୍ପଦ ପାଇଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଓଡିଶା ସରକାର ତାଲିକା ଭୂକ୍ତ କରିଥିବା ୨୧ ଗୋଟି ବିପର୍ଯ୍ୟୟ ମଧ୍ୟରେ ସାପ କାମୁଡା ଓ ବିଜୁଳି ଆଘାତ ଯୋଡା ଯାଇଛି । ସେଥିନିମନ୍ତେ ଜନସାଧାରଣ ଙ୍କ ମଧ୍ୟରେ ସଚେତନା ଶୃଷ୍ଟି କରିବା ପାଇଁ ସରକାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଙ୍କ ସହାୟତା ଓ କନ୍ଧମାଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଙ୍କ ସହଯୋଗ ରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ସରକାରୀ ବିଭାଗ ମାଧ୍ୟମରେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀ ରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ସ୍ୱାତୀ) ଙ୍କ ଦ୍ୱାରା ଖଜୁରୀପଡ଼ା ପଂଚାୟତ ସମିତି ବୈଠକ ଗୃହ ଠାରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟ କ୍ରମକୁ ମୂଖ୍ୟ ଅତିଥି ଭାବେ ଖଜୁରୀପଡ଼ା ଗୋଷ୍ଠିଉନ୍ନୟନ ଅଧିକାରି ଶୁଭ ଦତାତ୍ରେୟ ବାହିନିପାତି ଯୋଗ ଦେଇ ସାପକାମୁଡା ଓ ବଜ୍ରପାତ ସଂପର୍କରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ବୁଝାଇବା ସହିତ ଏହିପରି ବିପତି ରେ ପଡି ଯଦି କୌଣସି ବ୍ୟକ୍ତି ମୃତ୍ୟୁ ହୁଏ ତେବେ ସରକାରଙ୍କ ଥିବା ସୁବିଧା ସୁଯୋଗ ଗୁଡିକ କଣ କଣ ଅଛି ତାହା ମଧ୍ୟ ସୂଚନା ଦେଇଥିଲେ । ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କର୍ମୀ ବିଶ୍ୱରଞନ କର ଉପସ୍ଥିତ ରହି ସାପ କାମୁଡା ଓ ବଜ୍ରପାତ ପ୍ରତି ସାବଧାନତା ବିଷୟରେ ଆଲୋଚନା କରି ଗାଁ ଗାଁ ରେ ବାର୍ତା ପହଂଚାଇବା ପାଇଁ ଅନୁରୋଧ କରିଥିଲେ । ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘରକୁ ଚାଲି ଯିବା, ବଜ୍ରପାତ ସମୟରେ ଗଛ ତଳେ କିମ୍ବା ବୂଦା ନିକଟରେ ଆଶ୍ରୟ ନ ନେବା, ଖୋଲା ପଡିଆ କିମ୍ବା କ୍ଷେତରେ ନ ରହିବା ଏବଂ ଯଦି ବାହାରେ ଅଛନ୍ତି ତେବେ କିପରି ତଳେ ନିଜେ ନିଜକୁ ବଂଚାଇ ପାରିବେ ସେ କୌଶଳ ମଧ୍ୟ ଶିଖାଇଥିଲେ । ତତ୍ସହିତ ସାପ କାମୁଡିଲେ କଣ କଣ ପଦକ୍ଷେପ ନେବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସାପକାମୁଡିଲେ ସମୟ ନଷ୍ଟ ନକରି ଯଥାଶୀଘ୍ର ଆହତ ବ୍ୟକ୍ତି ଙ୍କୁ ନିକଟସ୍ଥ ଡାକ୍ତରଖାନା କୁ ନେବା , ଆହତ ଅଙ୍ଗକୁ ହଲ୍ଚଲ୍ ନକରିବା, କ୍ଷତ ସ୍ଥାନକୁ ପାଟିରେ ଚୋଷି ବିଷ ବାହାର କରିବାକୁ ଚେଷ୍ଟା ନକରିବା , କ୍ଷତ ଉପରେ ବରଫ ମାଲିସ ନକରିବା କିମ୍ବା ଅନ୍ଧବିଶ୍ୱାଷରେ ଗୁଣିଆ ପାଖକୁ ନେଇ ଝଡା ଫୁଙ୍କା ନକରିବା ଇତ୍ୟାଦି ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ସ୍ଥାନୀୟ ଅଂଚଳ ର ମହିଳା ସଂଗଠନ ର ସଦସ୍ୟା, ଓଡିଶା ଜିବିକା ମିଶନ୍ ର କ୍ୟାଡର, ବରିଷ୍ଠ ନାଗରିକ ଓ ସ୍ୱେଚ୍ଛାସେବୀ ଗାନ୍ଧୀ ସାହୁ ଓ ବସନ୍ତ ପ୍ରଧାନ ଅଂଶଗ୍ରହଣ କରିଥିବା ବେଳେ ଅନୁଷ୍ଠାନର କର୍ମୀ ସୁବାସିନି ବେହେରା ପରିଚାଳନା ରେ ସହଯୋଗ କରିଥିଲେ l
