ବାବା ବଟେଶ୍ୱରଙ୍କ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ
କୋଣାର୍କ,୧୪.୦୧ : ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ନିକଟସ୍ଥ ବାଲି ଦୋକାନରେ ଅବସ୍ଥିତ ବାବା ବଟେଶ୍ଵରଙ୍କ ପବିତ୍ର ମକର ବୁଡ଼ ତଥା ମକର ମେଳା ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ସଂକ୍ରାନ୍ତି ଦିନ ପ୍ରାତଃରୁ ବାବାଙ୍କ ବିଭିନ୍ନ ନୀତି ପାଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଥୂଲା । ନିକଟସ୍ଥ ୬ଟି ଗ୍ରାମ ଗୋଧନପଡା, ଛଡାସିଂହ, କାକରପୁଟ, ନୂଆଗାଁ ,ଗୟଳ ଓ ଖନ୍ଦୋଳ ଗ୍ରାମର ଆରାଧ୍ୟା ଦେବ ସୁସଜ୍ଜିତ ବିମାନରେ ମହାଦେବଙ୍କ ପ୍ରାଙ୍ଗଣରେ ପହଞ୍ଚି ଯଥା ବିଧୂ ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା । ଅପରାହ୍ନରେ ମହାଦେବଙ୍କ ମକର ମିଳନ ନୀତି ନୀତି ଆୟୋଜିତ ହୋଇଥିଲା। ମନ୍ଦିର ଚୁଡାରେ ପୂଜା ପଣ୍ଡାମାନେ ନୂତନ ପତାକା ବାନ୍ଧିବା ସହିତ ଠାକୁରଙ୍କ ମକର ମିଳନ କରାଯାଇଥିଲା । ମକର ଚାଉଳ ଭୋଗ ହେବା ପରେ ଠାକୁର ମାନେ ମନ୍ଦିର ପରିକ୍ରମା କରି ନିଜ ଆସ୍ଥାନକୁ ବିମାନ ଯୋଗେ ଫେରିଥିଲେ ।

ଶ୍ରଦ୍ଧାଳୁମାନଙ୍କୁ ମକର ଚାଉଳ ବଣ୍ଟନ କରାଯାଇଥିଲା। ମନ୍ଦିର ପରିସରରେ ମକଟ ମେଳା ମଧ୍ଯ ପଡ଼ିଥିଲା । ନିକଟସ୍ଥ ଦୁଇଟି ପଞ୍ଚାୟତର ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଓ ସହଯୋଗରେ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣାରେ ଅନ୍ନ ପ୍ରସାଦ, ଡାଲମା, ଖଟା ଓ କ୍ଷୀରି ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ମକର ମେଳା ଉପଲକ୍ଷେ ତିନି ରାତି ଧରି ମୁକ୍ତମଞ୍ଚ ନାଟକ ମଞ୍ଚସ୍ଥ କରାଯିବ। ଖନ୍ଦୋଳ, ରଇତିସାହି ଓ ବାଲିଦୋକାନ ବଜାର କ୍ଲବ ପକ୍ଷରୁ ସାମାଜିକ ନାଟକ ଓ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହେବ।
