ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା – କାର୍ଯ୍ୟାନୁଷ୍ଠାନ ଦାବୀରେ ଉପଜିଲ୍ଲାପାଳଙ୍କୁ ଭେଟିଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗ୍ରାମପଞ୍ଚାୟତର ବାଘମୁଣ୍ଡ ଗ୍ରାମରେ ଆଦିବାସୀ ଭବନକୁ ରାତି ଅଧିଆ ଜେସିବି ଲଗେଇ ଭାଙ୍ଗି ନିଜ ଦବଦବା ଜାହିର କରିଛନ୍ତି ଜନୈକ ଠିକାଦାର ଓ ସମର୍ଥକ | ଯେଉଁ ଘଟଣା ଘଟିଛି ତାହା ପ୍ରଶାସନିକ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଆଦିବାସୀ ସମାଜ ତଥା ସର୍ବସାଧାରଣଙ୍କୁ ଅସମ୍ମାନ ଅପମାନ ହୋଇଛି | ପ୍ରଶାସନକୁ ଠିକାଦାରର ଦିନ ଦାହାଡ଼ା ଖୁଲାଖୁଲି ଚେଲେଞ୍ଜ ଓ ଗୁଣ୍ଡାଗିରୀ | ଜଣେ ଠିକାଦାର ବୋଲି ଆଜିଯାଏଁ ପ୍ରଶାସନ ହାତ ବାନ୍ଧି ବସିଛି ଯଦି ସାଧାରଣ ଜନତା ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇ ଥାଆନ୍ତା | କାହା ନିର୍ଦ୍ଧେଶ ବଳରେ ସେ ଠିକାଦାର ଆଦିବାସୀ ଭବନ ଭାଙ୍ଗିଲେ ? କିଏ ଅନୁମତି ଦେଲା ଭାଙ୍ଗିବାକୁ ? ଯଦି ନିର୍ଦ୍ଧେଶ ଥିଲା ରାତି ଅଧିଆ କାହିଁକି ଭଙ୍ଗାଗଲା ? ସରକାରୀ ଅର୍ଥକୁ କାହିଁକି ଏଭଳି ଅପଚୟ ଅନିଷ୍ଟ କରାଯାଉଛି ? ଏହା କେବଳ ଅପରାଧ ନୁହେଁ ବରଂ ଆଦିବାସୀ ସମ୍ପ୍ରଦାୟ ଭାବନା ଓ ସରକାରୀ ବ୍ୟବସ୍ଥା ପ୍ରତି ଶକ୍ତ ଚାପୁଡ଼ା | ସରକାରୀ ଅନୁଦାନରେ ନିର୍ମିତ ଯେକୌଣସି ପ୍ରକଳ୍ପ କୌଣସି ବ୍ୟକ୍ତିବିଶେଷଙ୍କର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ | ଯଦି କୌଣସି କାରଣ ବଶତଃ ଠିକାଦାରଙ୍କର ପ୍ରାପ୍ୟ ବକେୟା ରହିଥାଏ କିମ୍ବା ନିର୍ମାଣ ଶୈଳୀରେ ତୃଟି ଥାଏ, ତେବେ ତାହା ଆଇନଗତ ଭାବରେ ସମାଧାନ କରିବା ଉଚିତ | କିନ୍ତୁ ରାତିର ଅନ୍ଧକାରରେ ଏଭଳି ଭାବରେ ସରକାରୀ ଅନୁଦାନରେ ଅର୍ଦ୍ଧ ନିର୍ମିତ ଗୃହକୁ ଭାଙ୍ଗି ମାଟିରେ ମିଶେଇ ଦେବା ଏକ ସ୍ପଟ ଗୁଣ୍ଡାଗର୍ଦି | ନଷ୍ଟ ହୋଇଥିବା ସରକାରୀ ପାଣ୍ଠି ପାଇଁ ଦାୟୀ ରହିବେ କିଏ ? କିଏ ଭରଣା କରିବ ଲକ୍ଷ୍ୟାଧିକ ପାଣ୍ଠି ?ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେରଙ୍କୁ ଘଟଣାର ଉପଯୁକ୍ତ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ରିକୋଭରୀ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି | ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ଘଟଣାର ସତ୍ୟାସତ୍ୟ ଜାଣିଲା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ | ଦାବିପତ୍ର ଦେବା ସମୟରେ ଯୁଗେଶ୍ୱର ଭୋଇ, ବିଞ୍ଝାଳ ସମାଜର ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ବିପିନ ବରିହା, କୁରେଶ୍ୱର ବରିହା, ରୋହିତ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ | ସଂଘ କହିଛି ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରା ଯିବାକୁ ଚେତାବନୀ ଦେଇଛି |

Leave a Reply

Your email address will not be published. Required fields are marked *