ରଥଯାତ୍ରା,ଜଗନ୍ନାଥ ଦର୍ଶନ ଓ ଦର୍ଶନୀ ବନ୍ତ।

ପୁରୀ ଜିଲ୍ଲାର ଅର୍କକ୍ଷେତ୍ର କୋଣାର୍କ ନିକଟ ଗୋଧନପଡ଼ା ନାମକ ଏକ ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ଏକ ବିଶାଳ ସୁଦୀର୍ଘ ବାଲିବନ୍ତ ରହିଅଛି। ଯାହାର ନାମ ଦର୍ଶନୀ ବନ୍ତ ଭାବେ ପ୍ରସିଦ୍ଧ। ଏହି ଦର୍ଶନୀ ବନ୍ତ ଏକ ଐତିହାସିକ ସ୍ଥାନ ଅଟେ। ଏହାର ନାମ କରଣ ଏକ ଖାସ କାରଣରୁ ହୋଇଛି। ଐତିହାସିକ ଓ ଗବେଷକ ତଥା ବୟସ୍କ ଲୋକ ମାନଙ୍କ କଥା ଅନୁସାରେ ସେତେବେଳେ ରାଜା ରାଜୁତି ଶାସନ ଚାଲୁଥାଏ। ପୁରୀ ରେ ଗଜପତି ମହାରାଜାଙ୍କ ଶାସନ ସମୟରେ ତାଙ୍କ ପ୍ରଦେଶର ବିଭିନ୍ନ ଗଡ ମାନଙ୍କରେ ସାମନ୍ତ ରାଜା ମାନଙ୍କୁ ନିୟୋଜିତ କରିଥିଲେ। ଗଡ ମଧ୍ୟରେ କୋଣାର୍କ ନିକଟ ଗୋଲରାଗଡ ଅନ୍ୟତମ। ଗୋଲରାଗଡ ରେ ସାମନ୍ତ ରାଜା ରାଜୁତି କରୁଥିଲେ। ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣରେ ସେମାନଙ୍କ ନିଷ୍ଠାପର ଓ ଅତୁଳନୀୟ ଅବଦାନ ଅନେକ ଗୁରୁତ୍ଵ ବହନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି। ପ୍ରତି ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ସାମନ୍ତ ରାଜା ଘୋଡ଼ା ସାହାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନେକ ଭୋଗ ଭାର ଆଦି ନେଇ ଯାଇଥାନ୍ତି। କୌଣସି ଏକ ବର୍ଷ ଏକାଦଶୀ ତିଥିରେ ବାହୁଡ଼ା ଯାତ୍ରା ଦେଖିବାକୁ ଗୋଲରାଗଡରୁ ଘୋଡ଼ା ସାହାର୍ଯ୍ୟରେ ପୁରୀ ଯିବା ସମୟରେ ଗୋଧନପଡା ନିକଟରେ ବର୍ଷା ଝଡ ତୋଫାନ ଆରମ୍ଭ ହୋଇଗଲା। ଯାହାଦ୍ବାରା ରାଜା ପୁରୀ ବାହୁଡ଼ା ଯାତ୍ରା ଦେଖିବା ଅସମ୍ଭବ ହେଲା। ସେ ସେଠାରୁ ଗୋଲରା ଫେରିଗଲେ। ରାତିସାରା ନିର୍ଜଳ ଉପବାସ ରହି ଜଗନ୍ନାଥଙ୍କୁ ଧ୍ୟାନ କରି ଶୋଇ ପଡିଲେ। ରାତିରେ ତାଙ୍କୁ ଭଗବାନ ଶ୍ରୀ ଜଗନ୍ନାଥଙ୍କର ସ୍ୱପ୍ନାଦେଶ ହେଲା। ତୁମେ ଯାଉଥିବା ବାଟରେ ଯେଉଁଠି ଏକ ଶୈବ ମନ୍ଦିର ଅଛି। ଯାହା ମୁକ୍ତେଶ୍ଵର ମହାଦେବ ନାମରେ ପୁଜା ପାଉଥିଲେ। ସେଠାରେ ଏକ ବାଘଡିଆଁ ପୋଖରୀ ଓ ଏକ ବାଲି କୁଦ ଅଛି। ସେହି କୁଦ ଉପରୁ ତୁମେ ମୋର ନୀଳଚକ୍ର କୁ ଦର୍ଶନ କରି ମୋତେ ଦର୍ଶନ କରିବା ସହ ସୌଭାଗ୍ୟ ଅର୍ଜନ କରିପାରିବ। ତା ପରଦିନ ଅର୍ଥାତ୍ ସୁନାବେଶ ଦିନ ରାଜା ଉକ୍ତ କୁଦକୁ ଯାଇ ଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀଳଚକ୍ର ଦର୍ଶନ କରି ପୂଜାର୍ଚ୍ଚନା ଓ ଭୋଗ କରି ଜଗନ୍ନାଥଙ୍କ ଆଶୀର୍ବାଦ କୃପା ଲାଭ କଲେ। ଉକ୍ତ ଦିନଠାରୁ ସେହି ବାଲି କୁଦ ଦର୍ଶନୀ ବନ୍ତ ଭାବେ ପ୍ରଖ୍ୟାତ। ପ୍ରତିବର୍ଷ ବାହୁଡ଼ା ଏକାଦଶୀ ଓ ସୁନାବେଶ ଦିନ ଏହି ବନ୍ତ ଉପରେ ନିକଟ ଅଞ୍ଚଳର ସମସ୍ତ ପରିବାର ଭୋଗ କରିବା ସହିତ ନଡ଼ିଆ ବାଡେଇ ଥାଆନ୍ତି। ଯାହା ଅମୁଣିହା ଭୋଗ ଭାବେ ଜଣା। ଏବେ ମଧ୍ୟ ଏହି ପ୍ରଥା ଚାଲିଆସୁଅଛି। ବର୍ତ୍ତମାନ ଦର୍ଶନୀ ବନ୍ତ ରେ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ ନାମରେ ଏକ ଆଶ୍ରମ ଅବସ୍ଥିତ। ଯାହା ବାନା ବାବାଙ୍କ ତତ୍ତ୍ଵାବଧାନରେ ରହିଅଛି। ଏହା ଏକ ଐତିହାସିକ ଓ ଦର୍ଶନୀୟ ସ୍ଥାନ ଭାବରେ ବେଶ ଖ୍ୟାତି ଅର୍ଜନ କରିଛି।

Leave a Reply

Your email address will not be published. Required fields are marked *