ଶ୍ରୀକ୍ଷେତ୍ର ସୁରକ୍ଷାରେ ପଶ୍ଚିମେ ବିରାଜିତା ସମୁଦ୍ରର ଦେବୀ “ବାଲିହରଚଣ୍ଡୀ”
ବ୍ରହ୍ମଗିରି: ଲୋକକଥା ରହିଛି। ଜଣେ ପାଟ ବ୍ଯବସାୟୀ ଗଞ୍ଜାମ ବ୍ରହ୍ମପୁରରୁ କିଛି ପାଟ ବସ୍ତ୍ର ଧରି ଶ୍ରୀକ୍ଷେତ୍ର ପୁରୀ ବ୍ଯବସାୟ ଅଭିମୁଖେ ଯାଉଥିଲେ। ସେତେବେଳେ ଦଖିଣ ଭାରତରୁ ସ୍ଥଳପଥରେ ସମୁଦ୍ର ପନ୍ତା ପାର୍ଶ୍ବ ଦେଇ ଏକ ରାସ୍ତା ଶ୍ରୀକ୍ଷେତ୍ରକୁ ରହିଥିଲା। ଏହିରାସ୍ତାଟି ବାଲିହରଚଣ୍ଡୀଙ୍କ ବନ୍ତ ଦେଇ ଯାଇଥାଏ। ପାଟବସ୍ତ୍ର ବ୍ଯବସାୟୀ ଜଣଙ୍କ ଏହି ବନ୍ତରେ ଥିବା ଏକ ଅଶ୍ବସ୍ତ ଗଛ ମୂଳରେ ବସି ବିଶ୍ରାମ କରୁଥାନ୍ତି। ଏହି ସମୟରେ ଜଣେ କୁମାରୀ ଆସି ବ୍ଯବସାୟୀଙ୍କୁ ଡାକିଲେ ଏବଂ ଗଣ୍ଠିଲି ଖୋଲି ଏକ ପାଟଲୁଗା ବାଛି ନେବାକୁ ଇଚ୍ଛାକରି କହିଲେ, ” ମୋର ଏ ବସ୍ତ୍ରଟି ପସନ୍ଦ ହୋଇଛି, ମୁଁ ପିନ୍ଧିବି, ତୁମେତ ପୁରୀ ଯିବ ପୁରୀରେ ମୋର ପିତା ରାମଚନ୍ଦ୍ର ଦେବଙ୍କୁ ସାକ୍ଷାତ କରି ଏ ପାଟ ବସ୍ତ୍ରର ମୂଲ୍ଯ ମାଗିନେବ।” ଆଉ କିଛି କହିବା ଆଗରୁ ବାଳିକା ଜଣକ ବୃକ୍ଷ ଆଢୁଆଳରେ ଅଦୃଶ୍ଯ ହୋଇଗଲେ। ବିଚରା ବେପାରି ଜଣକ ପୁରୀ ଯାଇ ରାଜା ରାମଚନ୍ଦ୍ରଙ୍କୁ ଦେଖା କରି ଏ ସମସ୍ତ କଥା କହିବାରୁ ରାମଚନ୍ଦ୍ର ଦେବ ଚକିତ ହୋଇଥିଲେ। ରାମଚନ୍ଦ୍ରଙ୍କୁ ଏହି କଥା ସ୍ବପ୍ନାଦେଶ ହୋଇଥିଲା ବୋଲି ଜଣାଇଲେ। ବ୍ଯବସାୟୀଙ୍କୁ ଯଥାମୂଲ୍ଯ ଦେବା ସହିତ ବାଲି ହରଚଣ୍ଡିଙ୍କ ବନ୍ତକୁ ଆସି ନିଜର ସ୍ବପ୍ନାଦେଶ ସ୍ଥାନଟିକୁ ଦେଖିଲେ। ଏକ ପାଖରେ ମହୋଦଧି ବଳୟିତ ହୋଇରହିଛି। ଶ୍ରୀକ୍ଷେତ୍ରୁରୁ ବହିଆସୁଥିବା ମଙ୍ଗଳା ନଈ ବନ୍ତ ଧାର ଦେଇ କୁଳୁକୁଳୁ ହୋଇ ବହିଯାଉଛି । ବହୁବିଧ ବନସ୍ପତିରେ ପରିପୃଷ୍ଟ ନିକାଞ୍ଚନ ନଭଶ୍ଚୁମ୍ବୀ ବନ୍ତଟି କାକ ପୀକ କେକା ଆଦି ବିବିଧ ବିହଗଙ୍କ କଳରବରେ ମୁଖରିତ ହେଉଛି। ବନ୍ତତଳେ ମିରିଗପଲେ ଚରୁଥିବା ଆଦି ଅନୁପମ ମନୋହର ଦୃଶ୍ଯାବଳି ଦେଖି ବିମହିତ ହେଲେ ରାଜା। ପାଦପରାଜିର ଶୀତଳ ଛାୟା ସ୍ବଚ୍ଛ ବାଲିବନ୍ତରେ ବସିପଡିଲେ ଗଜପତି। ଆହା କି ଦିବ୍ଯ ଅନୁଭବ। ସତେକି ସେ ଅନାମୟ ଧାମକୁ ଚାଲିଯାଉଛନ୍ତି। ସେହିଠାରୁ ଦୃଶ୍ଯ ହେଉଥିବା ନୀଳଚକ୍ର ବାନାକୁ ଅନେଇ ପରମେଶ୍ଵରଙ୍କୁ ପ୍ରଣିପାତହେଲେ। ପଣ୍ଡିତମାନଙ୍କ ପରାମର୍ଶ କ୍ରମେ ଏହିଠାରେ ଏକ ମନ୍ଦିର ତୋଳିଦେଲେ । ଏହିଠାରେ ପୂଜାପାଇଲେ ଦୁରିତ ନାଶିନୀ ମାଆ ବାଲି ହରଚଣ୍ଡି। ଶ୍ରୀକ୍ଷେତ୍ରକୁ ସୁରକ୍ଷିତ କରୁଥିବା ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ଯତମ। ପଶ୍ଚିମ ଦିଗରେ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିଲେ ବାଲି ହରଚଣ୍ଡି। ବନ୍ତର ନୈସର୍ଗିକ ପ୍ରାକୃତିକ ସବୁଜିମା ଶୋଭା ଦେବୀଙ୍କ ମହିମା ବିମୋହିତ କଲା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ। ମାଆଙ୍କର ମହିମା ଅପାର। ଦରିଆ ପାରି ରାଇଜରେ ମାଆଙ୍କର ଭକ୍ତ ଅଛନ୍ତି। ଆଣ୍ଡାମାନ ନିକୋବର, ଗୋଆ, ପୋର୍ଟ ବ୍ଳୟାର ଆଦି ଦୀପପୁଞ୍ଜର ଶ୍ରଦ୍ଧାଳୁ ମାଆଙ୍କ ନିକଟକୁ ଆସିଥାନ୍ତି। ସମୁଦ୍ରର ଦେବୀ ଭାବରେ ପୂଜା ପାଆନ୍ତି ମାଆ ବାଲିହରଚଣ୍ଡୀ। କଥା ଅଛି ଥରେ ବଙ୍ଗୋପସାଗରରେ ଗୋଟିଏ ବୋଇତ ଅଚଳ ହୋଇଗଲା। ଯେତେ ଚେଷ୍ଟା କଲେ ବଣିକ ବିଫଳ ହେଲେ। ମାଆ ବାଲିହରଚଣ୍ଡୀଙ୍କ ଶରଣଯାଇ ପ୍ରାର୍ଥନା କରିବାରୁ ଚାଲିଲା। ବିପଦସମୟରେ ଡାକିବା ମାତ୍ରକେ ମାଆଙ୍କର ଦୟାରୁ ବିପଦ ଖଣ୍ଡନ ହୋଇଥାଏ। ସେଥିପାଇଁତ ବଳରାମ ଦାସ ଲେଖିଛନ୍ତି – ଜୟତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡିତୋତେ ସୁମରିଲେ ମାଗୋ ଦୁରିତ ଯେ ଖଣ୍ଡି। ଓଡିଶାରେ ଶକ୍ତି ଉପାସନାର ବହୁ ପ୍ରାଚୀନ ଐତିହ୍ଯ ରହିଛି। ଉତ୍କଳର ପୁରପଲ୍ଲୀରେ ଅଧିଷାତ୍ରୀଭାବରେ ଦେବୀମାନେ ପୂଜା ପାଇ ଆସୁଛନ୍ତି।

ଶ୍ରୀକ୍ଷେତ୍ର କୁ ଘେରିକରି ଅଷ୍ଟ ଯେଉଁ ଅଷ୍ଟ ଚଣ୍ଡି ରହିଛନ୍ତି ତାଙ୍କ ମଧ୍ଯରେ ବାଲିହରଚଣ୍ଡୀ ଅନ୍ଯତମ। ମାଆ ବାଲିହରଣ୍ଡି ଠାକୁରାଣୀ କେବଳ ବ୍ରହ୍ମଗିରି ଅଂଚଳର ଠାକୁରାଣୀ ନୁହଁନ୍ତି ସମଗ୍ର ଓଡିଶା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତା ଅଟନ୍ତି । ସମୁଦ୍ରର ଦେବୀ ଭାବରେ ରାଜ୍ଯ ତଥା ଦେଶ ବାହାରର ଶ୍ରଦ୍ଧାଳୁଙ୍କ ଦ୍ବାରା ଉପାସ୍ଯ ଅଟନ୍ତି। ଶ୍ରୀକ୍ଷେତ୍ରର ପଶ୍ଚିମ ବଳ ରୂପେ ମାଆ ବାଲୁକା ଗିରି ଉପରେ ବିରାଜମାନ କରି ବ୍ରହ୍ମଗିରି ସମେତ ସମଗ୍ର ଓଡିଶାକୁ ବନ୍ଯାରେ, ବାତ୍ଯା, ଆଦିଆଧିଦୈବିକ ବିପଦରୁ ସୁରକ୍ଷା ଦେଇ ଆସୁଥିବା ବିଶ୍ଵାସ ରହିଛି । କଥା ରହିଛି ବାତ୍ଯାପବନ ଆସିଲେ ଅଞ୍ଚଳକୁ ବାତ୍ଯା କବଳରୁ ସୁରକ୍ଷିତ ରଖିବାକୁ ନିଜର ପନିକି ଧରି ଆକ୍ରମଣ କରିବାକୁ ଗୋଡାନ୍ତି। ସେଥିପାଇଁ କୁମାରକବି କହିଛନ୍ତି -ବାଲି ହରଚଣ୍ଡୀ ନାମେ ଦେଶ ସାରା ପଡୁଛି ଡକା,ଯାରନାମ ଧରିଲେ ପାପ ଆସିବାକୁ କରେ ଆଶଙ୍କା ।ବିପଦ ଭଞ୍ଜନୀଗରବ ଗଞ୍ଜନୀ ବାତ୍ଯା ସୁନାମିକୁ ସାହା,ଜଗିଛ ମୁହାଣ ଦେଇ ତାକୁ ରାଣକୈବର୍ତ୍ତ ଜନଙ୍କ ରାହା। ପରମେଶ୍ଵର ଶ୍ରୀଜଗନ୍ନାଥଙ୍କ ସହିତ ମାଆ ବାଲିହରଚଣ୍ଡୀଙ୍କ ସଂପର୍କ ରହିଛି। ରଥଯାତକୁ ବାଲିବାଲିହରଚଣ୍ଡିଙ୍କ ପାଖକୁ ନିମନ୍ତ୍ରଣ ଆସେ। ମାତା ସୁଭଦ୍ରାଙ୍କ ଦେବଦଳନ ରଥର ସୁରକ୍ଷା ଦେବୀ ଭାବରେ ମାଆ ଆସୀନା ଅଟନ୍ତି। କୁହାଯାଏ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଦେବସଭା ବସେ। ଏଥିରେ ରାଜ ପ୍ରତିଷ୍ଠିତ ଦେବାଦେବୀ ଯୋଗ ଦିଅନ୍ତି। ବାଲିହରଚଣ୍ଡୀ ଦେବ ସଭାରେ ଯୋଗଦେବା ଏବଂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ବର୍ଣ୍ଣିତ ରହିଛି। ଶ୍ରୀଜଗନ୍ନାଥଙ୍କୁ ସମୁଦ୍ର ଚିଲିକାର ତଟବର୍ତ୍ରୀ ଅଞ୍ଚଳବାସୀଙ୍କ ଦୁଃଖସୁଖ ଜଣାଇଥାନ୍ତି। କବିବର ରାଧାନାଥ ରାୟ ଲେଖିଛନ୍ତି -“କେତକୀ କାନନ ସଂକୁଳ ରମ୍ୟ ସିକତା ସ୍ଥଳଛାଡି ହରଚଣ୍ଡୀ ବିଜୟ ଆଜି ଶ୍ରୀ ନୀଳାଚଳ।”। ବାଲିହରଚଣ୍ଡୀଙ୍କୁ ନିତ୍ଯ ଶ୍ରୀମନ୍ଦିରରୁ ଲଡୁ ମହାପ୍ରସାଦ ସରପୁଳି ଆସି ଲାଗି ହେବାର ପରମ୍ପରା ରହିଛି।ବ୍ରହ୍ମଗିରି – ଚବିଶକୁଦ ଅଞ୍ଚଳରେ ପାଣ୍ଡବମାନେ ପୂଜା ପାଆନ୍ତି। ବାଲି ହରଚଣ୍ଡିଙ୍କୁ ଦୌପଦୀ ଭାବରେ ଅନେକ କବି ବର୍ଣନା କରିଛନ୍ତି। ପାଣ୍ଡବ ପ୍ରିୟାଗୋ ଖାଣ୍ଡବ ବନେ କରୁଛୁ ଖେଳା,ସାଗର ପଖାଳେ ଚରଣ ଦେଇ ଲହରୀମାଳା। ( ପୂର୍ବ ଇତିହାସ ମାଳିକା)। ବାଲିହରଚଣ୍ଡୀଙ୍କ ପୀଠରେ ପ୍ରାୟ ସମସ୍ତ ପର୍ବ ପର୍ବାଣି ପାଳିତ ହୋଇଥାଏ। ମୁଖ୍ଯ ପର୍ବ ହେଉଛି ରଜ ପର୍ବ। ରଜରେ ଏହି ବନ୍ତରେ ପାଇକମାନଙ୍କର ଛାପା ପରମ୍ପରା ସ୍ବତନ୍ତ୍ର ନିଆରା। ଚବିଶକୁଦ ଅଞ୍ଚଳର ପାଇକ / ଗ୍ରାମବାସୀମାନେ ପାଲ ତମ୍ବୁରେ ଗମ୍ବୁଜ ଆକାର ଘର କରି ରହି ମାଂସଭାତ ଭୋଜି କରି ମଉଜ କରନ୍ତି। ବନ୍ତର ଚାରିପାଖରେ ଶହଶହ ଛାପା ଭୋଜିଭାତରେ ଫାଟି ପଡେ ପୀଠ। ରଜରେ ବାଲିହରଚଣ୍ଡୀଙ୍କ ବନ୍ତରେ ମଂସଭାତ ଭୋଜିର ମାହାତ୍ମ୍ୟ ଐତିହ୍ଯ ରହିଛି। ଶାରଦୀୟ ଦୁର୍ଗାପୂଜା ଏହି ପୀଠରେ ଷୋଳଦିନ ଧରି ପାଳିତ ହୁଏ। ପ୍ରତ୍ଯହ ଷୋଡଶୋପଚାର ପୂଜା, ଚଣ୍ଡିପାଠାଦି କର୍ମ ଶ୍ରୋତିୟ ବ୍ରାହ୍ମଣଙ୍କ ଦ୍ବାରା କରାଯାଇଥାଏ। ପ୍ରତ୍ଯହ ତିନିଧୂପ ଲାଗି ହୁଏ। ଠାକୁରଙ୍କ ପ୍ରସାଦ ପାଇବାକୁ ପୀଠରେ ଗହଳି ହୁଏ। ମାଆଙ୍କର ମାଛ ବେଶର ନୈବେଦ୍ଯର ସ୍ବତନ୍ତ୍ରତା ରହିଛି। ରସୁଣ ପିଆଜ ଆଦି ମସଲାର ବ୍ଯବହାର ହୋଇ ବଟା ଶୋରିଷ ଜିରା ଲଙ୍କା ଆଦିରେ ପ୍ରସ୍ତୁତ କରାଯାଇଥାଏ। ଶ୍ରଦ୍ଧାଳୁ ମାନଙ୍କ ଭିତରେ ବାଲିହରଚଣ୍ଡୀଙ୍କ ମାଛ ବେଶର ର ଶ୍ରଦ୍ଧା ଆଦର ରହିଛି।। ମହାଷ୍ଟମୀ ତିଥିରେ ଗଜପତି ମହାରାଜ ତଥା ମନ୍ଦିର ପ୍ରଶାସନ ତରଫରୁ ମାଜଣା ସାମଗ୍ରୀ, ଠାକୁରଙ୍କ ଅଙ୍ଗଲାଗି ବସ୍ତ୍ର,ମାଳମାହାର୍ଦ୍ଦ ସହିତ ଦୁଇଟି ବଳି ଆସିଥାଏ। ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ। ବାଲିହରଚଣ୍ଡୀଙ୍କ ପୀଠ ପ୍ରାକୃତିକ ସବୁଜିମା ଭରା ଶୋଭା ସୁଷମା ପାଇଁ ପ୍ରସିଦ୍ଧ। ଏବେ ଏ ପୀଠ ତାର ନିଜସ୍ବ ସୁଷମା ହରାଇବାକୁ ବସିଲାଣି। ଚତୁପାର୍ଶରେ ଥିବା ନୀଳିମା ଭରା ଘଞ୍ଚ ବନିନୀ ଉଭାନ ହେଲାଣି। ଚାରିଆଡ କୁଢ ପ୍ଲାଷ୍ଟିକ ପଲିଥିନ ଜରି ,କାଚ ବୋତଲ ଆବର୍ଜନା। ଉନ୍ନୟନ ପାଇଁ ପୀଠକୁ ଆସୁଥିବା ଅର୍ଥରେ ତିଆରି ହେଉଛି କଂକ୍ରିଟ ଜଙ୍ଗଲ।

ଯେଉଁ ହରଚଣ୍ଡିଙ୍କ ବନ୍ତ ବାଲିରେ ଖାଲିରେ ଶୋଇପଡିଲେ ଆରାମ ଶାନ୍ତି ନିଦ ଲାଗୁଥିଲା ସେଠାରେ ଅସ୍ଵଚ୍ଛ ଅସନା ପରିବେଶରେ ବସିବାକୁ ପର୍ଯଟକ ନାକ ଟେକିଲେଣି। ନୌବାଣିଜ୍ୟର ପେଣ୍ଠସ୍ଥଳ ପ୍ରାଚୀନ ବନ୍ଦରର ସ୍ମାରକୀ ପ୍ରାଚୀନ କଇଁଆ ଗଛ ସଂଖ୍ଯା କମୁଛି।। ପର୍ଯ୍ଯଟକଙ୍କ ଆଗମନ ବଢୁଥିବାରୁ ବିଶୃଙ୍ଖଳିତ ଆଚରଣ ଯୋଗୁଁ ପୀଠରେ ଅଶାନ୍ତି ବଢୁଛି। ସ୍ଥାୟୀ ପୋଲିସ ଫାଣ୍ଡିର ଆବଶ୍ୟକତା ଅନୁଭବ ହେଉଛି। ଅନେକ ଐତିହ୍ଯ କୀର୍ତ୍ତି ବହନ କରୁଥିବା ଏହି ପୀଠରେ ପ୍ରାକୃତିକ ଶୋଭାକୁ ସୁରକ୍ଷିତ ରଖି ଉନ୍ନୟନ କରିବାର ଆବଶ୍ୟକତା ରହିଛି।କାଶୀନାଥ ନାୟକ। ସଭାପତି।ବ୍ରହ୍ମଗିରି ଐତିହ୍ଯ ପରିଷଦ।
