ସମୁଦ୍ର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ

ସମୁଦ୍ର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ # ୩ ମୃତ ଅଲିଭ ରିଡ଼ଲେ ଉଦ୍ଧାର # ୬ ମତ୍ସ୍ୟଜୀବୀ କୋର୍ଟ ଚାଲାଣକୋଣାର୍କ,୩୧.୧୨()- ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଈଁ ନଭେମ୍ବର ୧ ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି। କିନ୍ତୁ ଅସାଧୁ ଟ୍ରଲର ମାଲିକ ମାନେ ଏହାକୁ ବେଖାତିର କରି ଦେବୀ ନଦୀ ମୁହାଣରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଥିବା ସମୁଦ୍ରରେ ବେଆଇନ୍ ମାଛ ଧରୁଥିବା ବେଳେ ଅସ୍ତରଙ୍ଗ ଓ କୋଣାର୍କ ବନ ବିଭାଗ ପକ୍ଷରୁ ୨୫ ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ନିଷିଦ୍ଧାଞ୍ଚଳରୁ ମା କାଳି ନାମକ ଏକ ଟ୍ରଲର ଜବତ କରାଯାଇଛି। ଟ୍ରଲର ରେଜିଷ୍ଟ୍ରେସନ୍ ନମ୍ବର୍ IND OR 04 MM 264 ହୋଇଥିବା ବେଳେ ମାଲିକ ଅସ୍ତରଂଗ ଅଞ୍ଚଳର ପ୍ରତାପ ସେନାପତି ବୋଲି ଜଣାପଡିଛି।ଏଥି ସହିତ ୩ଟି ମୃତ ଅଲିଭ ରିଡ଼ଲେ କଇଁଛ ମଧ୍ଯ ଜବତ କରିଛି ବନ ବିଭାଗ। ଜାଲ ପକାଇ ମାଛ ଧରୁଥିବା ବେଳେ ୭ଟି କଇଁଛ ଜାଲରେ ପଡ଼ିଥିଲେ। ସେଥି ମଧ୍ୟରୁ ୪ଟିକୁ ଜୀବିତ ଉଦ୍ଧାର କରାଯାଇ ସମୁଦ୍ରରେ ଛଡ଼ା ଯାଇଥିବା ବେଳେ ୩ମୃତ କଇଁଛ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଛି। ଟ୍ରଲରରେ ଥିବା ୬ଜଣ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରାଯାଇଛି । ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ଉଲ୍ଲଂଘନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବନ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ବାରମ୍ଵାର ବାରଣ ସତ୍ତ୍ୱେ ଅସାଧୁ ଟ୍ରଲର ଗୁଡ଼ିକ ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଛନ୍ତି। ଯାହା ଫଳରେ ଜାଲରେ ପଡ଼ି ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ଘଟୁଛି। ଏପରି ଘଟଣାକୁ ପରିବେଶପ୍ରେମି ମାନେ ଘୋର ନିନ୍ଦା କରିଛନ୍ତି ଓ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରକୃତି ବନ୍ଧୁ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ।

Leave a Reply

Your email address will not be published. Required fields are marked *