|| ବନବାସ ||

ସବୁ କିଛି ହାତ ପାଆନ୍ତାରେ ଥାଇବି
ତୁମେ ବନବାସରେ ମହାଭାଗୀ ।

ଈଶ୍ବର ଆଉ ଦୀପ
ଏକ ଅଭିନ୍ନ, ଅଭିନବ ତପ ।

ସେପଟେ କ୍ଷମତାର ସିଂହାସନ,
ଏପଟେ ସତ୍ଯର ଅଗ୍ନି ପରୀକ୍ଷା
ଘନଘନ,
ସମ୍ପର୍କ ନଈର ଦୁଇ କୂଳ,
ବିବିଧ ଭାବନାର ବ୍ୟାକୁଳପଣ,
ଗୋଟିଏକୁ ବାଛି
ସେ ହୋଇଲେ ସଭିଙ୍କର ସବୁକିଛି,
ଆହାଃ ଏ ବନବାସ
କାହାପାଇଁ ବିରହର ବୈଶାଖ
କାହାପାଇଁ ମିଳନର ମଧୁମାସ,
ସେଇଥିପାଇଁ ତ ଅଯୋଧ୍ୟାର
ଅଂସଖ୍ଯ ଚିତ୍ର ଭିତରେ
ରାମ ଚିତ୍ରରେ ଏତେ ସ୍ଵର୍ଗୀୟ ସୁବାସ ।

ବନବାସ ନଥିଲେ କଣ
ହୋଇପାରିଥାଆନ୍ତା
ପ୍ରଗାଢ ପୁଣ୍ଯର ପ୍ରତିଷ୍ଠା?
ଯୋଜନ ଯୋଜନ ଦୂରକୁ
ବ୍ୟାପି ଥାଆନ୍ତା ପାପର ବିଷ,
ଏଇ ରାମ ଅସ୍ତ୍ର ପାଲଟିଲା
ଅନ୍ତରଗଂତାର ସାଥୀ,
ଚରମ ନିବେଦନର ଆଲୋକିତ ରୋଷଣୀ,
ଏ ବନବାସ ଦଣ୍ଡେ ଦଣ୍ଡେ ଦଣ୍ଡ ନୁହେଁ,
ଦିବ୍ୟ ପ୍ରେମ ଉଦୟର
ଦରଦୀ ଗୀତି କାହାଣୀ ।

ଏତେ ଏତେ ରାମଙ୍କୁ ପଢିଲା ପରେ
ଭାବ ବିହ୍ୱଳର ବର୍ଷାରେ
କୁହ ତ କେଇଜଣ ଏଯାବତ
ଭୋଗିଛନ୍ତି ତ୍ୟାଗର ବନବାସ?
ଇଞ୍ଚେ ଇଞ୍ଚେ ସ୍ୱାର୍ଥ ପାଇଁ
ରକ୍ତର ଭାବ ନିତି ନିଲାମ
ନାଲିକୋଠାର କାଠଗଠାରେ,
ରାମ ସେବେ ମୁରୁକି ହସନ୍ତି
ବସି ପବନ ଛାତିରେ,
ସତେ କଣ ବନବାସ ସେକାଳର ରାମାୟଣ
ନା କଳିପାଇଁ ବି ସୁବାର୍ତ୍ତାର ଝରଟିଏ
ଅସରନ୍ତି ଶୁଭ ଶଂଖନାଦରେ ?

ରାମ ଓ ବନବାସ ରହିଲେ
ଛାତି ତଳେ
ସ୍ଵର୍ଗସୁଖ ଶ୍ରାବଣର ଲଗାଣ ପରି
ସ୍ଵତଃ ଝରେ ।

ବନବାସ ତ ସଜାଡିବାର,
ସୁସଜ୍ଜିତ ହେବାର ପଥଟିଏ
ଜନ୍ମରୁ ମରଣ ଯାଏ ।
*
©®ସୁଜିତ କୁମାର ମିଶ୍ର ™
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

Leave a Reply

Your email address will not be published. Required fields are marked *