ବନ୍ଦେ ଉତ୍କଳ ଦିବସ

           ବନ୍ଦେ ଉତ୍କଳ ଦିବସ
         ( ରାଗ — ବଙ୍ଗଳା ଶ୍ରୀ )

   🖊️କବିରତ୍ନ ନୂତନ କୁମାର ବେହେରା

ବୀର ପ୍ରସବିନୀ     କଲ୍ୟାଣକାରିଣୀ      
        ପୁଣ୍ୟଭୂମି ମୋ ପ୍ରଦେଶ,
ମଥା ନତ କରି        ତା’ ଚରଣ ଧରି
          ବନ୍ଦେ ଉତ୍କଳ ଦିବସ।
ମାଆ ମାଟି ମୋର    ସାହା ଜୀବନର
            ଅଜାଡ଼ି ଦିଏ ମମତା,
ରଖି ସେ ସରାଗ     କଥା ବୁଝେ ଆଗ
            ଭରି ଦିଅଇ ଦକ୍ଷତା।
ପାଣି ପବନରେ     ବଣ ପାହାଡ଼ରେ
         ମୋ ଜୀବନ ଦିଏ ଗଢ଼ି,
ବିଲ ବାଡ଼ି ଘର       ସରସ ସୁନ୍ଦର
         ରଖି ଥାଏ ସେ ସଜାଡ଼ି।
ମାଆ ପରି ମାଟି      ସପନ ସାଉଁଟି
         କରାଏ ସେ ଭାଗ୍ୟବାନ,
ତା’ ଲାଗି ବିକାଶ      ପ୍ରତିଭା ପ୍ରକାଶ
         ହେଉଥାଏ ଦୈନଦିନ।
କେତେ ବରପୁତ୍ର       ବଳିଷ୍ଠ ଚରିତ୍ର
             ଗଢ଼ି ରଖିଛନ୍ତି ନାମ,
ମାତୃଭୂମି ସେବା      ସାଧନ କରିବା
           ଜୀବନର ଶ୍ରେଷ୍ଠ କର୍ମ।
ତାଙ୍କର ମହିମା      ମା’ଟିର ଗାରିମା
            ଗାଏ ସଦା ଇତିହାସ,
ମହାନ ଆଦର୍ଶ        ଆଣିଦିଏ ହର୍ଷ
           ବନ୍ଦେ ଉତ୍କଳ ଦିବସ।
ବିଛିନ୍ନ ଅଞ୍ଚଳ        ଥିଲା ଫାଳ ଫାଳ
         ଉଦ୍ୟମରେ କଲେ ଏକ,
ଏକତା ବଞ୍ଚାଇ       ସଂଗ୍ରାମରେ ରହି
          ରଖିଛନ୍ତି ଜାତି ଟେକ।
ମଧୁବାବୁ ସାଥେ    ନ୍ୟାୟ ନୀତି ପଥେ
            ରହି ସବୁ ଭୂମି ପୁତ୍ର,
ଜାଗରଣ ଆଣି      ହୋଇଲେ ଅଗ୍ରଣୀ
            ରାଜ୍ୟକୁ କଲେ ସ୍ଵତନ୍ତ୍ର।
ଉତ୍କଳର ମଣି          ବ୍ୟାସକବି ପୁଣି
        ଗୋଦାବରୀଶ ବିଶେଷ,
କରି ବହୁ ଶ୍ରମ        ଆଣିଲେ ସୁନାମ
           ଗଢ଼ି ସ୍ଵତନ୍ତ୍ର ପ୍ରଦେଶ।
ଊଣାଇଶ ଶହ          ଛତିଶ ମସିହା
         ଆଣିଲେ ଏଇ ସୌଭାଗ୍ୟ,
ରଖି ଗଲେ ଯଶ       ପୂର୍ଣ୍ଣ କରି ଆଶ
       ହୋଇଲେ ସର୍ବେ ସୁଯୋଗ୍ୟ।
ସେ ଶୁଭ ଦିବସ      ଏ ଅପ୍ରେଲ ମାସ
            ପହିଲା ଏକ ତାରିଖ,
କହି ଦିଏ ଆଜି       ସ୍ମରଣରେ ମଜି
           ତାର ନବ ରୂପରେଖ।
ଏ ପୁଣ୍ୟ ତିଥିରେ     ଜାତିର ପ୍ରୀତିରେ
           ମୁଖେ ଫୁଟି ଉଠେ ହସ,
ମାଟି ମା’ର ପଦେ     ପ୍ରଣମି ଆନନ୍ଦେ
          ବନ୍ଦେ ଉତ୍କଳ ଦିବସ।
            
       କୋହି,ବାରିପଦା, ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *