ବନ୍ତି କଳମପାଟ ଗ୍ରାମ୍ୟ ଉନ୍ନୟନ ରାସ୍ତା କାର୍ଯ୍ୟ ନିମ୍ନ ମାନର ଅଭିଯୋଗ
କାକଟପୁର – ପୁରୀ ଜିଲ୍ଲା କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିନରେ କାର୍ଯ୍ୟ ହେଉଥିବା ବନ୍ତି ଗ୍ରାମ ଠାରୁ କଳମପାଟ ଗ୍ରାମ୍ୟ ଉନ୍ନୟନ ରାସ୍ତା କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ହେଉଛି। ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳୁଛି। ଅନେକ ଅଭିଯୋଗ ପରେ ମଧ୍ଯ କାହାରି କଥାକୁ ଶୁଣୁ ନାହାଁନ୍ତି। ସୁଚନା ଅନୁଯାୟୀ ଗମନାଗମନ ସୁବିଧା ପାଇଁ କାକଟପୁର ବ୍ଲକ ବାଙ୍ଗୁରୀଗାଁ ପଞ୍ଚାୟତ ବନ୍ତି ଗ୍ରାମ ଠାରୁ ଗଡନୟରଛଡ଼ା, ବାଙ୍ଗୁରୀଗାଁ, ଗଣିପୂର, ଟିକରପଡା, ସୁଆର, କଲମ ଦେଇ କଳମପାଟ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ଭାବେ ପ୍ରକଳ୍ପ ନିଆଯାଇ ରାସ୍ତା ନିର୍ମାଣ ହେଉଛି। ପ୍ରାୟ ୪କିମି ଏହି ରାସ୍ତା ପାଇଁ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପିଚୁ ରାସ୍ତା ସହ ଗ୍ରାମ ମାନଙ୍କରେ କଂକ୍ରିଟ ରାସ୍ତା ଓ ଗାର୍ଡ ୱାଲ କାର୍ଯ୍ୟ ରହିଛି। ଦେଢ଼ ବର୍ଷ ତଳେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହେଇ କାର୍ଯ୍ୟ ଆରଂଭ ହୋଇଥିଲେ ମଧ୍ଯ ଠିକାଦାରଙ୍କ ଅପାରଗ ହେତୁ କାର୍ଯ୍ୟ ଧିମାଇଛି। ଏଥି ସହିତ ନିମ୍ନ ମାନର ଗୋଡି, ବାଲି ଓ ସିମେଣ୍ଟ ବ୍ୟବହାର ହେଉଛି। ପିଚୁ ପାଇଁ ତିଆରି ହେଉଥିବା ରାସ୍ତାରେ ନିମ୍ନ ମାନର ଜିଏସ୍ପି ଓ ଡବଲୁଏମ ବ୍ୟବହାର ହେଉଛି। ତା ସହିତ କଂକ୍ରିଟ ରାସ୍ତାରେ ନିମ୍ନ ଗ୍ରେଡର ସିମେଣ୍ଟ, ଚିପ୍ସ ଓ ବାଲି ବ୍ୟବହାର ହେଉଥିବାରୁ ରାସ୍ତା ନିର୍ମାଣ ପରେ ଫାଟି ଯାଉଛି। କଂକ୍ରିଟ ଢ଼ଳାଇ ପାଇଁ ଆଯାକ୍ସ ମେସିନ ସହାୟତାରେ ସିମେଣ୍ଟ, ବାଲି, ଗୋଡି ମିଶା ଯାଉଛି। ଯାହା ମଧ୍ୟରେ କାଦୁଆ ନଈରୁ ଲୁଣା ପାଣି ମୋଟର ସାହାର୍ଯ୍ୟରେ ଆଣି ମିଶା ଯାଉଥିବା ଦେଖିବାକୁ ମିଳିଛି। ଯାହାକି ରାସ୍ତାର ଦୀର୍ଘ ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଥି ସହିତ ଟିକରପଡା କାଦୁଆ ନଦୀ ଠାରେ ନିର୍ମାଣ ହୋଇଥିବା ଗାର୍ଡ ୱାଲ୍ ସପ୍ତାହ ମଧ୍ୟରେ ଫାଟି ଆଁ କରିଛି। ନିମ୍ନ ମାନର ବାଲି, ସିମେଣ୍ଟ ଓ ଗୋଡି ବ୍ୟବହୃତ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ଅବଗତ କରାଇଥିଲେ ମଧ୍ଯ କୌଣସି ସଫଳ ହେଉନାହିଁ। ଯନ୍ତ୍ରୀ କି ଠିକାଦାର କାର୍ଯ୍ୟ ସ୍ଥଳରେ ରହୁ ନଥିବାରୁ ଠକ ମନବୃତି ଲୋକଙ୍କୁ ନେଇ କାର୍ଯ୍ୟ କରୁଛନ୍ତି। ଯାହା ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ ହେବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଗତ ବିଜେଡ଼ି ସରକାର ସମୟରେ ଚଞ୍ଚକତା କରି ବିଜେଡ଼ି ଦଳର ବିଧାୟକ ଓ ନେତାଙ୍କ ଅତି ନିଜର ଲୋକ ଠିକାଦାର ନେଇଥିବା ଜଣାପଡିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ନିବେଦନ କରିଛନ୍ତି।
