ପିଏମଶ୍ରୀ ନିମାପଡା ଉଚ୍ଚ ବିଦ୍ୟାଳୟକୁ ବାରବାଟୀ ପଡିଆ ହସ୍ତାନ୍ତର।
ନିମାପଡା ପିଏମଶ୍ରୀ ନିମାପଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ବାରବାଟୀ ପଡିଆ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟକୁ ହସ୍ତାନ୍ତର କରାଗଲା ବୋଲି କହିଛନ୍ତି। ପଡିଆର ମାପଚୁପ କରି ବିଦ୍ୟାଳୟକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା। ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ, ଏନ୍ ଏ ସି ଅଧ୍ୟକ୍ଷା ସଶ୍ମିତା ସାହୁ, ବିଡିଓ ଅଭିଜିତ ଷଡଙ୍ଗୀ, ତହସିଲଦାର ମନୋଜ ପ୍ରଧାନ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ଦାଶ, ଆଲମୁନୀ କମିଟି ସଭାପତି ନାରାୟଣ ମିଶ୍ର, ପରିଚାଳନା କମିଟିର ସଭାପତି ସସୀମା ବେଗମ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ । ୧୯୩୦ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚ ବିଦ୍ୟାଳୟ ପୁରୀ ଜିଲ୍ଲାରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଦଣ୍ଡାୟମାନ ହୋଇଛି । ଦୀର୍ଘ ୯୫ ବର୍ଷ କାଳ ଜ୍ଞାନର ଆଲୋକ ବିତରଣ କରି ବହୁ କୃତି ସନ୍ତାନମାନଙ୍କୁ ସୃଷ୍ଟି କରିଛି ଏହି ବିଦ୍ୟାଳୟ। ସ୍କୁଲର ବରିଷ୍ଠ ଶିକ୍ଷକ ଜ୍ୟେତି ରଞ୍ଜନ ରଥ ସ୍ବାଗତ ଭାଷଣ ଦେବା ପରେ ଶୁଭମ୍ ମଲ୍ଲିକ ନାମକ ଛାତ୍ର ପ୍ରଧାନଶିକ୍ଷକଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ । ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ନନ୍ଦିତା ସାହୁ ପାଠ କରିଥିଲେ। ଏହା ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁ ସ୍କୁଲର ଶ୍ରେଣୀଗୃହର ଅଭାବ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଏବଂ ଶ୍ରେଣୀ ଗୃହ ଗୁଡିକର ଛାତ ବିପଦ ଶଙ୍କୁଳ ଅବସ୍ଥାରେ ଥିବାର ଅସୁବିଧା ଏବଂ ଏକ ପ୍ରେକ୍ଷାଳୟ ଗୃହ ଅଭାବ ଏବଂ ଖେଳ ପଡିଆକୁ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ଦୃଷ୍ଟି ଆକଷର୍ଣ କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଉପଢ଼ୋକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ସ୍କୁଲର ଅଭାବ ଓ ଅସୁବିଧାକୁ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ପରେ ସ୍କୁଲର ଛାତ୍ରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ନିମାପଡା ଇନ୍ଦିରାଗାନ୍ଧୀ ମହିଳା ଡିଗ୍ରୀ କଲେଜ ଏବଂ ଇନ୍ଦରାଗାନ୍ଧୀ ମହିଳା ଉଚ୍ଚ ବିଦ୍ୟାଳୟରେ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ସ୍ମାର୍ଟ କ୍ଲାସ ରୁମ ଏବଂ ଇ-ଲାଇବ୍ରେରୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିଥିଲେ ।
