ଖୋଲାରେ ବିକ୍ରୀ ହେଉଛି ବାର୍ହା ମାଂସ
ଖୋଲାରେ ବିକ୍ରୀ ହେଉଛି ବାର୍ହା ମାଂସ ।ସୂଚନା ପାଇବି କିଛି କରିପାରୁନାହାଁନ୍ତି ବନବିଭାଗ ଅଧିକାରୀ ।
ଦଶପଲ୍ଲା : – ( ତୀ : ପ୍ର ) ଦଶପଲ୍ଲା ଦକ୍ଷିଣ ପଶ୍ଚିମାଞ୍ଚଳରେ ଦିନକୁଦିନ ବଢିଚାଲିଛି ଶୀକାରିଙ୍କ ପ୍ରାଦୁର୍ଭାବ । ଜଙ୍ଗଲରୁ ବନ୍ୟଜନ୍ତୁ ଶୀକାର କରିବା ପାଇଁ ଅହରହ ଘୂରି ବୁଲୁଛନ୍ତି ଶୀକାରି । ପରିସ୍ଥିତି ଏଭଳି ହେଲାଣି ଯେ ହାତୀ ଭଳି ଦୁର୍ଲ୍ଲର ବନ୍ୟପ୍ରାଣୀ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି । କିଛି ବନ ଜର୍ମଚାରୀଙ୍କ ନିଷ୍କ୍ରିୟତାର ସୁଯୋଗନେଇ ରକ୍ତମୁଖ ହୋଇ ଉଠିଛନ୍ତି ଶୀକାରି । ତେଣୁ ଶୀକାରିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସାଙ୍ଗକୁ ବନ ବିଭାଗକୁ ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ୁଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଅପାରଗ ବନ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନା ଦେଉଛନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ସତ୍ତ୍ବେ ଦଶପଲ୍ଲା ବନାଞ୍ଚଳରେ କୌଣସି ପ୍ରଭାବ ଦେଖିବାକୁ ମିଳୁନି । ଦଶପଲ୍ଲା ବନାଞ୍ଚଳରେ ଶୀକାରିଙ୍କ ପ୍ରାଦୁର୍ଭାବ ଏତେ ମାତ୍ରାରେ ବ୍ୟାପିଲାଣି ଯେ ଦୈନିକ ବେଧଡ଼କ ଭାବେ ଶୀକାର ଚାଲିଛି । ଯାହାକି ଗତ ରାକ୍ଷୀ ପୂଣ୍ଣିମା ଦିନ ଚଡ଼େୟାପଲ୍ଲୀ ସେକ୍ସନ ଅନ୍ତର୍ଗତ ଜଳସାଖମଣାଠାରେ ବାର୍ହା, ଶୀକାର କରାଯାଇ ଖୋଲାଖୋଲି ମାଂସ ବିକ୍ରୟ କରାଯାଇଥିବା ଦେଖିବାକୁ ମିଳିଛି । ବାର୍ହା ଶୀକାର ସମ୍ପର୍କରେ କିଛି ବ୍ୟକ୍ତି ଆଗୁଆ ସୂଚନା ଦେଇଥିଲେ ମଧ୍ୟ ବନବିଭାଗ ସେ ଦିଗରେ ଗୁରୁତ୍ବ ଦେଇ ନ ଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି। ଫଳରେ ବାର୍ହା ଶୀକାର ପରେ ଉକ୍ତ ଅଞ୍ଚଳରେ ସେ ଦିନ ଖୋଲାଖୋଲି ମାଂସ ବିକ୍ରୟ କରାଯାଇଛି। ଯାହାକି ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ସ୍ଥାନୀୟ ଅଧିବାସୀ ପ୍ରଶ୍ନ ଉଠାଇଛନ୍ତି ।
ସୂଚନାଯୋଗ୍ୟ, କଳସାଖମଣରେ ବାର୍ହା ମାରି ମାଂସ ବିକ୍ରୟ କରିବା ନିମନ୍ତେ କିଛି ବ୍ୟକ୍ତି ଗତ ଦିନରେ ଯୋଜନା କରିଥିଲେ । ଏଥି ପାଇଁ ଆଗୁଆ ଗ୍ରାହକ ଠିକ୍ କରାଯାଇଥିଲା । ଜଣ ପିଛା ୩୩୦ ଟଙ୍କା ଆଦାୟ ମଧ୍ୟ କରାଯାଇଥିଲା। ଶୀକାରିଙ୍କ ଏଭଳି ଷଡ଼ଯନ୍ତ୍ରକୁ ନେଇ କିଛି ବ୍ୟକ୍ତି ଆଗୁଆ ବନାଞ୍ଚଳ ଅଧିକାରୀଙ୍କ ଠାରୁ ଆରମ୍ଭକରି ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏପରିକି ଆର୍ ସି ସି ଏ ଫ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ହେଲେ ଧର୍ମକୁ ଆଖିଠାର ନ୍ୟାୟରେ ରାତିରେ କିଛି ବନ କର୍ମଚାରୀ ବୁଲି ଆସିଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ବାର୍ହା ଶୀକାର କରାଯାଇ ସଜାଳୁ ମାଂସକୁ ପୁଡିଆ କରି ବିକ୍ରୟ କରାଯାଇଛି। ହେଲେ ବନ କର୍ମଚାରୀ ଏ ଦିଗରେ ସାମାନ୍ୟତମ ଗୁରୁତ୍ବ ଦେଇନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି। ବିଶେଷକରି ଉକ୍ତ ଅଞ୍ଚଳଟି ଗଞ୍ଜାମ ଓ କନ୍ଧମାଳ ସୀମାକୁ ଲାଗି ରହିଥିବା ବେଳେ ଅହରହ ଶୀକାରିଙ୍କ ଅବାଧ ଚଳପ୍ରଚଳ ରହୁଛି । ୨୦୧୫ରେ ହୋଇଥିବା ହାତୀ ମୃତ୍ୟୁକୁ ଲୁଚାଇବାକୁ ଯାଇ ବନ ବିଭାଗ ସମାଲୋଚିତ, ନିନ୍ଦିତ ହେବା ସହ , ଅନେକ କର୍ମଚାରୀ ନିଲମ୍ବିତ ହୋଇଥିଲେ । ସେହି ସମୟରେ ଏହି ହାତୀ ମୃତ୍ୟୁ ବିବାଦରେ ଛନ୍ଦି ହୋଇଥିବା ବନ କର୍ମଚାରୀଙ୍କୁ ଏବେ ପୁଣି ଉକ୍ତ ଅଞ୍ଚଳର ଦାୟିତ୍ୱ ଦିଆଯିବା ନେଇ କନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ତଥା ଡେପୁଟି ରେଂଜର୍ ଶ୍ରୀନିବାସ ଦାଶ ସଫେଇ ଦେଇ କହୁଛନ୍ତି ଯେ ” ସୂଚନା ପାଇ କର୍ମଚାରୀମାନେ ଯାଇଥିଲେ; ହେଲେ କୌଣସି ସନ୍ଧାନ ମିଳିଲା ନାହିଁ” । ଏଠାରେ ପ୍ରଶ୍ନ ଉଠୁଛି ଯେ,ରେଞର୍ ମହୋଦୟ କାହାକୁ ସୁରକ୍ଷା ଦେବାପାଇଁ ଅଛନ୍ତି । ବନ୍ୟପ୍ରାଣୀଙ୍କୁ ନା ତାଙ୍କୁ ଶୀକାର କରିବା ଲୋକଙ୍କୁ?
