ଶୀର୍ଷକ _ବାଟୋଇ


ରୀତାରାଣୀ ଦାଶ
ବାଲେଶ୍ୱର

ଅବିଶ୍ରାନ୍ତ ପଥେ ଚାଲିଛି ଚାଲୁଛି
ପାର୍ଥିବ ଜଞ୍ଜାଳ ସହି
ଥକି ନାହିଁ କେବେ ଥକିବାର ନାହିଁ
ଥକିବି ଜୁଇରେ ଶୋଇ
ବାଟୋଇ ମୁଁ ଯେ ବାଟୋଇ,
ଆଶାକୁ ସାଉଁଟେ ଶତ ଚେଷ୍ଟା କରି
ସମ୍ପର୍କ ତଉଲି ଭାଇ |

ସବୁରି ପରାଣ ଜିଣିବାରେ ମନ
ଶ୍ରଦ୍ଧା ବାଛେନା ପରାଣ
ଜୀବନର ସାଥି ପ୍ରାଣପ୍ରିୟା ପତ୍ନୀ
ପାରେନା ଚାଲି ସମ୍ପୂର୍ଣ୍ଣ
ଜୀବନ ରଥେ ସାରଥୀ,
ପୂର୍ଣ୍ଣ ସମର୍ପଣେ ପ୍ରଭୁ ନାରାୟଣେ
ପ୍ରଦାନନ୍ତି ମହାରଥୀ |

ବିଶାଳ ଦୁନିଆଁ ମାୟା କୁହୁଡିରେ
ଅଭିନୟର ଦ୍ୱନ୍ଦ୍ୱର
ପଡି ଉଠି ଚାଲେ ଦଦରା ନାବ ମୋ
ପାଦର ତାଳ ମଧୁର
ହୃଦ ସ୍ପନ୍ଦନର ଗତି,
ଅତିକ୍ରମି ଚାଲେ ଗନ୍ତବ୍ୟ ସ୍ଥଳକୁ
ପଡ଼େନାହିଁ କେବେ ଥକି |

ସୂରୁଜ ଦେବତା ଉଜ୍ଜ୍ୱଳ କିରଣେ
ଚମକାନ୍ତି ଧରଣୀକୁ
କଳ ରବ କରି ବିହଙ୍ଗ ମୂର୍ଚ୍ଛନା
ବଢାଏ ଯେ ଆନନ୍ଦକୁ
ବୃକ୍ଷ ମୂଳେ ପ୍ରାପ୍ତି ଶାନ୍ତି,
ଉପଯୁକ୍ତ ପଥ ଅନୁସନ୍ଧାନରେ
ଆତ୍ମାକୁ ଯୋଗାଏ ଶକ୍ତି |

ଆଶା ବିଶ୍ୱାସରେ ଆତ୍ମ ଭରସାରେ
କେବେ ଦୁଃଖ କେବେ ଧୋକା
ସୁଖର ପସରା ଅଜାଡଇ ପରା
ନିମିଷେ ପାଣି ଫୋଟକା
ଚକ୍ରବତ ଘୁରିବୁଲେ,
ନିର୍ଜନ ବେଳାରେ ଏକା ବାଟୋଇ ମୁଁ
ଆଶ୍ରୟ ମୋ ବୃକ୍ଷ ତଳେ |

Leave a Reply

Your email address will not be published. Required fields are marked *