ବେଳାଭୂମି
ବେଳାଭୂମି
( ରାଗ — ବସନ୍ତ )
✍🏼କବିରତ୍ନ ନୂତନ କୁମାର ବେହେରା
ଦୃଶ୍ୟେ ଦୃଶ୍ୟ ମନୋରମ’ ଆକର୍ଷେ ନୟନ’,
ବିନ୍ଦୁ ବିନ୍ଦୁ ମେଳେ ସିନ୍ଧୁ’ କରଇ ନର୍ତ୍ତନ’,
ଦିଗନ୍ତ ବିସ୍ତାରି କାୟା’ ବସୁଧାର କୋଳେ’
ଦେଖାଏ ତାହାର ମାୟା’ ଭାବର ବିହ୍ଵଳେ’,
ଦିବସ ରଜନୀ ସଙ୍ଗେ’ ଖେଳଇ ତରଙ୍ଗେ’,
ଗୁରୁ ଗମ୍ଭୀର ଗର୍ଜନ’ କରେ କେତେ ଢ଼ଙ୍ଗେ’/୧/
ବୃତ୍ତାକାରେ ଘେରି ଅଛି ତାକୁ ବେଳାଭୂମି
ନାଚି ନାଚି ଆସି ଉର୍ମି ଫେରିଯାଏ ଚୁମି,
ଆଖି ଦେଖି ରହେ ଲାଖି ପଡ଼େନା ପଲକ
ସୂର୍ଯ୍ୟ ଚନ୍ଦ୍ର ତାରା ନିତି ଢ଼ାଳନ୍ତି ଆଲୋକ,
ବାଆ ବହି ମନ୍ଦ ମନ୍ଦ ଦିଅଇ ଆନନ୍ଦ
କ୍ଳାନ୍ତି ଉପସମେ ଦୂର ହୁଏ ଅବସାଦ/୨/
ବିଜନେ ସଜ୍ଜନେ ଶାନ୍ତ ରହେ ବେଳାଭୂମି
ଆସିଲେ ଜୁଆର ମାଡ଼ି ରହିଯାଏ ଥମି,
ଜଳ ଜୀବ ନାନା ଜାତି ତୀରେ ତାର ଆସି
ରମଣେ ରଚନ୍ତି ଶିରୀ ପ୍ରତିଭା ପ୍ରକାଶି,
ବେଳାଭୂମି ଉଠେ ହସି ଜନ ସମାଗମେ
ସରଗ ସମାନ ଲାଗେ ଆଭା ଅନୁପମେ/୩/
ଉର୍ଦ୍ଧ୍ଵେ ଗଗନ ପରମ ପ୍ରୀତିରେ ମଗନ
ହୋଇ ବର୍ଣ୍ଣନ କରଇ ଜୀବନ ଦର୍ଶନ,
ନୀଳାଚଳେ ନୀଳ ମହା- ପ୍ରଭୁ ଜଗନ୍ନାଥ
ସାଗର ଅମ୍ଵର ନୀଳ ଭବେ ପୁଣ୍ୟ ତୀର୍ଥ,
ଆଶା ଆକାଂକ୍ଷାର ସ୍ଥଳୀ ହୋଇ ବେଳାଭୂମି
ଆଶ୍ଵାସନା ଦିଏ ସଦା ହୁଅ ପରିଶ୍ରମୀ/୪/
ମର୍ତ୍ତ୍ୟେ ବେଳାଭୂମି ସମ ଜୀବନର ଆଶା
କେବେ ପୂର୍ଣ୍ଣ କେବେ ଶୂନ୍ୟ ନାହିଁ ତା’ ଭରସା,
ହୃଦୟ ସାଗର ମନେ ମନ୍ଥେ ତା’ ଭାବନା
କର୍ମ ନେଇ ଫଳ ଫଳେ ଘୁଞ୍ଚେ ବିଡ଼ମ୍ବନା,
ଆସକ୍ତି ନ ରଖି ହୁଅ ବିଭୁ ପ୍ରେମେ ପ୍ରେମୀ,
ଉଦାର ବିନମ୍ର ରୁହ କହେ ବେଳାଭୂମି/୫ କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
