ଭରସା
ଭରସା
✍🏼କବିରତ୍ନ ନୂତନ କୁମାର ବେହେରା
ଦୃଢ଼ ଆତ୍ମ ପ୍ରତ୍ୟୟ ହିଁ ମନରେ ଆଣିଦିଏ ଭରସା
ସଂପର୍କର ତରାଜୁରେ ମପା ହୁଏ ତା’ ଭାର’ର ଭର
ଭାରସାମ୍ୟ ରଖି ଚଳାଏ ସେ ଜୀବନ ଶଗଡ଼
ସନ୍ତୁଳିତେ ପଥ କ୍ଳାନ୍ତିରେ ପଥିକ ରହିଥାଏ ଉଦାସ
ବିଶ୍ଵାସ ଦେଖୁ ଦେଖୁ ସକାଳର ଶିଶିର ବିନ୍ଦୁ ପରି
ମାଟିରେ ଝରି ପଡ଼ି ହୁଏ ଅଦୃଶ୍ୟରେ ବାଷ୍ଷିଭୂତ
ଭରସା ରଖିଥିଲେ ଭରସା ମିଳିଥାଏ ଅନ୍ୟଠାରୁ
ତୁମର ମୋର ନିବିଡ଼ ଆତ୍ମୀୟତା ତ ଏକ ଭରସା
ଶରୀରର ପ୍ରାଣବାୟୁ ଭଳି ଚାଲିଥାଏ ନିରନ୍ତର
ମନ ଆତ୍ମା ମେଳେ ଚାଲେ ଜୀବନର ଖେଳ
ଅମେଳେ ମଉଳେ ଆଶା ଫୁଲ ହରାଏ ମହକ
ଭରସା ଅଛି ବୋଲି ମୋ ହସ ଦେଖି ତୁମେ ହସ
ମୋ ଆଖିରୁ ଲୁହ ଝରିଲେ ହୁଅ ଏତେ ବ୍ୟତିବ୍ୟସ୍ତ
ବୃକ୍ଷ ଶାଖା ପ୍ରଶାଖାର ପତ୍ର ସବୁ ରହେ ସବୁଜ
ତା’ ମୂଳର ଚେର କରୁଥାନ୍ତି ବୋଲି ଜଳ ଶୋଷଣ
ଭରସା ଯେବେ ବିଗିଡ଼ି ଯାଏ ଜଣକ ଠାରୁ ଅନ୍ୟର
ଅତୀତର ଅତିବାହିତ ଦିନ ଗୁଡ଼ିକର ସ୍ମୃତି ସବୁ
ଲାଗନ୍ତି ଯେମିତି ଅଶରୀରର ଅତୃପ୍ତ ପ୍ରେତାତ୍ମା ପରି
ଆଉ ଭରସା ଆସିବ ଅବା କେଉଁ ହୃଦୟରୁ
ଜୀବନର ସୁରକ୍ଷା ପାଇଁ ଖୋଜୁଥାଏ ସେ ଅଭୟ
ଭରସା ବିଶ୍ଵାସର ସଂପର୍କରେ ଚାଲିଛି ଦୁନିଆଁ
ଭରସା ନ ଥିଲେ ଅବା ଭରସା ଆସିବ କେମିତି
ସକରାତ୍ମକ ଚିନ୍ତାଧାରାରେ ରହିଥିଲେ ସୁଦୃଢ଼
ଅରକ୍ଷିତକୁ ହୁଅନ୍ତି ଦଇବ ସାହା କରିବାକୁ ଆହା
ନକରାତ୍ମକ ଚିନ୍ତନରେ ତା’ ମଝି ଦରିଆର ନଉକା
କୂଳକୁ ନଆସି ଆଶଙ୍କାର ପ୍ରବଳ ଢେଉରେ ଯାଏ ବୁଡ଼ି
ଭରସା ନ ଥିଲେ ଆଗକୁ ବଢ଼ାଇ ହୁଏ ନାହିଁ ପାଦ
ବିଜୟ ଧ୍ଵଜା ଉଡ଼ାଇବା ହୋଇଥାଏ ସଦା ଅସମ୍ଭବ
ଭରସା ହିଁ ଜୀବନର ପ୍ରେରଣା ଯୋଗାଏ ଶକ୍ତି
କର୍ମମୟ ସଂସାରରେ କର୍ମ କରୁଥାଏ କର୍ମୀ
ସଫଳତା ବିଫଳତା ନିର୍ଭର କରେ ଦକ୍ଷତା ଉପରେ
ବିଜ୍ଞ ଅଭିଜ୍ଞ ବୈଜ୍ଞାନିକ କରି ଚାଲେ ଗବେଷଣା
ବହୁ ଶ୍ରମ ସାଧନାରେ କରେ ନୂଆ କିଛି ଉଦ୍ଭାବନା
ଭରସା ନ ରଖି କେହି ହୁଏନା କେବେ ଜୟଯୁକ୍ତ
ଜୀବନ ଦର୍ଶନରେ ଭରସା ମଣିଷର ମୂଳମନ୍ତ୍ର…।
କୋହି,ବାରିପଦା,ମୟୂରଭଞ୍ଜ।
