ମହାପ୍ରସାଦ ନାଁ’ ରେ ମୁନାଫା
ମହାପ୍ରସାଦ ନାଁ’ ରେ ମୁନାଫା କମାଇବାର ମାଧ୍ୟମ ସାଜିଛି ଅନ୍ଲାଇନ୍। ଏହି ବେଆଇନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଲ୍ ଦଣ୍ଡର ଭୟ ଦେଖାଯାଇଛି। ଏପରିକି ପୂର୍ବରୁ ସେବାୟତମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ତଥାପି କେତେକ ଅସାଧୁ ବ୍ୟବସାୟୀଙ୍କ ଅନଲାଇନ୍ରେ ମହାପ୍ରସାଦ ନାଁ’ରେ ବ୍ୟବସାୟ କରିବାର ମୋହ ଭଙ୍ଗ ହୋଇନାହିଁ। ପୁଣି ଏକ ସଂସ୍ଥା ସୋସିଆଲ ମିଡିଆରେ ଅନ୍ନ ପ୍ରସାଦ ଅର୍ଡର ଦେବାକୁ ନିବେଦନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା swiggy ପରି ଏକ ବ୍ରାଣ୍ଡ ଅନଲାଇନ ଫୁଡ ଡେ଼ଲିଭରି ସଂସ୍ଥା ପୋଷ୍ଟରେ ଅନ୍ନ ପ୍ରସାଦ ମୂଲ୍ୟ ସୂଚିତ କରିଛି l କାର୍ତ୍ତିକ ମାସ ପାଇଁ ବିଶେଷ ରିହାତି ରହିଛି ଯାହାର ମୂଲ୍ୟ ୪୯ ଟଙ୍କା। ଯଦିଓ ମହାପ୍ରସାଦ ନ ଲେଖେଇ ଅନ୍ନପ୍ରସାଦ ଲେଖା ରହିଛି କିନ୍ତୁ ଜଗନ୍ନାଥ ମନ୍ଦିର ଅନ୍ନପ୍ରସାଦ ସହ ଅଭଡ଼ା କୁଡ଼ିଆ ରହିଛି l
ଶ୍ରୀ ମନ୍ଦିର ଅନ୍ନପ୍ରସାଦ ସହିତ ମା ତାରିଣୀ ଅନ୍ନପ୍ରସାଦ, ପ୍ରସାଦମ ଟେମ୍ପଲ ଅନ୍ନପ୍ରସାଦ ଓ ବାବା ଆଖଣ୍ଡଳମଣି ଅନ୍ନପ୍ରସାଦ ଡେଲିଭରି ପାଇଁ ବ୍ୟବସ୍ଥା ରହିଛି l ମହାପ୍ରଭୁଙ୍କ ମହାପ୍ରସାଦ ନାଁ’ ନ ନେଇ ଅନ୍ନପ୍ରସାଦ କହି ଭକ୍ତଙ୍କ ନିକଟରେ ପହଞ୍ଚାଇବା ଅର୍ଥ ଭକ୍ତଙ୍କ ଭାବାବେଗ ସହ ଖେଳିବା। ମାଛ ମାଂସ ବିକା ଯାଉଥିବା ପ୍ଲାଟଫର୍ମ ରେ ଅନ୍ନପ୍ରସାଦ ବିକା ଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା l ବାରମ୍ବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିବା ସତ୍ତ୍ବେ ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି l
