ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ ନିର୍ବାଚନ

ଭଦ୍ରକ : ରବିବାର ଦିନ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ପରିଚାଳନା ସମିତି ପୁନର୍ଗଠିତ ହୋଇଯାଇଛି। ଏଥିପାଇଁ ସାଧାରଣ ସଭାର ଏକ ସ୍ବତନ୍ତ୍ର ଅଧିବେଶନ ହ୍ୟାପ୍ପି ହୋମ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ ନିର୍ବାଚନ ଅଧିକାରୀ ରୂପେ ପରିଚାଳନା କରିଥିଲେ। ପର୍ଯ୍ୟବେକ୍ଷକ ରୂପେ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ ଯୋଗ ଦେଇଥିଲେ।ନିର୍ବାଚନର ଫଳାଫଳ ଔପଚାରିକତା ଥିଲା। ସମିତିର ୧୫ ଟି ପଦବୀ ନିମନ୍ତେ ପ୍ରତି ପଦବୀ ପାଇଁ ଗୋଟିଏ ଲେଖାଏଁ ନାମାଙ୍କନ ପତ୍ର ନିର୍ଦ୍ଧାରିତ ସମୟ ସୁଦ୍ଧା ମିଳିଥିବାରୁ ନିର୍ବାଚନ ଅଧିକାରୀ ସାଧାରଣ ସଭାର ଅନୁମୋଦନ କ୍ରମେ ବିଜେତା ମାନଙ୍କ ନାମ ଘୋଷଣା କରିଥିଲେ।ପ୍ରାପ୍ତ ସୂଚନା ଅନୁଯାୟୀ ଆଇନଜୀବୀ ବିଜୟ କୁମାର ଜେନା ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଧୀରେନ୍ ପଲାଇ ସାଧାରଣ ସମ୍ପାଦକ ରୂପେ ପୁନଃନିର୍ବାଚିତ ହୋଇଛନ୍ତି। ଦୁଇଟି ଉପସଭାପତି ପଦବୀ ପାଇଁ ଆଇନଜୀବୀ ଯତିକାନ୍ତ ନାୟକ ଓ ବ୍ରଜନାରାୟଣ ଜେନା ଙ୍କ ନାମ ଘୋଷଣା କରାଯାଇଛି। ସେହିପରି ବିଜୟ କୁମାର ଲଖାନୀ ଓ ସୁଦାମ କୁମାର ନାୟକ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ରୂପେ ବ୍ୟୋମୋକେଶ ସେନାପତି ପୁନଃ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ରୂପେ ନିର୍ବାଚିତ ହୋଇଥିବା ୮ ତଣ ସଦସ୍ୟ ହେଲେ : ପାର୍ଥସାରଥୀ ଗୁହା ଠାକୁରତା ରାୟ, ବେଦପ୍ରକାଶ ଗୁପ୍ତା, ଆଇନଜୀବୀ ପବନ କୁମାର ଶର୍ମା, ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ସଞ୍ଜୀବ ଦାସ, ସୋମନାଥ ସାହୁ, ଆଇନଜୀବୀ ତୁଷାର କାନ୍ତ ଦାସ ଏବଂ ଓଡିଶାର ବିଶିଷ୍ଟ କ୍ରିକେଟ୍ କୋଚ୍ କେ.ଭି. ପ୍ରସାଦ।ଏହି ଅବସରରେ ଓସିଏ ପର୍ଯ୍ୟବେକ୍ଷକ ପ୍ରଭାତ କୁମାର ଭୋଳ ଓ ନିର୍ବାଚନ ଅଧିକାରୀ ଦିବ୍ୟସିଂହ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ବାଚନ ଅଧିକାରୀ ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ ସଦ୍ୟସମାପ୍ତ ନିର୍ଦ୍ବନ୍ଦ ନିର୍ବାଚନ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଦସ୍ୟମାନଙ୍କ ଏକତା ଓ ଉତ୍ତମ ବୁଝାମଣାର ସ୍ପଷ୍ଟ ସଂକେତ ବୋଲି କହିଥିଲେ। ଓସିଏ ପର୍ଯ୍ୟବେକ୍ଷକ ଶ୍ରୀ ଭୋଳ ଓଡିଶାର କ୍ରିକେଟ୍ ମାନଚିତ୍ରରେ ଭଦ୍ରକ ଏକ ସ୍ବତନ୍ତ୍ର ପରିଚୟ ଓ ପ୍ରତିଷ୍ଠା ସୃଷ୍ଟି କରିଛି ବୋଲି କହିବା ସହ ନବଗଠିତ ପରିଚାଳନା ସମିତି ସେ ସମ୍ମାନର ଧାରା ଅକ୍ଷୂର୍ଣ୍ଣ ରଖିବ ବୋଲି ଆଶା ପ୍ରକାଶ କରିଥିଲେ। ଶେଷରେ ନବନିର୍ବାଚିତ ସଭାପତି ବିଜୟ କୁମାର ଜେନା ପରିଚାଳନା ସମିତି ତରଫରୁ ଏମିତି ଏକ ନିର୍ଦ୍ବନ୍ଦ ନିଷ୍ପତ୍ତି ନିମନ୍ତେ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ଓ ଆଇନଜୀବୀ ଅତିଶ କୁମାର ବେହେରା ନିର୍ବାଚନ ଅଧିକାରୀ, ଓସିଏ ପର୍ଯ୍ୟବେକ୍ଷକ ତଥା ସାଧାରଣ ସଭାର ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ହ୍ୟାପ୍ପି ହୋମ୍ ନିର୍ଦ୍ଦେଶିକା ପ୍ରଜ୍ଞା ପରିମିତା ଏହି ସ୍ଵତନ୍ତ୍ର ଅଧିବେଶନକୁ ସଞ୍ଚାଳନ କରିଥିବା ବେଳେ କ୍ରିଡା ଅଧ୍ୟାପକ ରବିନାରାୟଣ ଓଝା ଓ ଅଧୀକ୍ଷକ ରୁଦ୍ର ନାରାୟଣ ବାରିକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *