ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳା
ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ୩ ୟ ସନ୍ଧ୍ୟା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟ ସଂଗୀତରେ ଝୁମିଲେ ଦର୍ଶକ
ଭଦ୍ରକ, ୨୭/୧୨ – ବାଣିଜ୍ୟ କ୍ଷେତ୍ରରେ ଆମ ଓଡିଶା ପ୍ରଦେଶ ଦିନେ ସମଗ୍ର ଭାରତ ବର୍ଷର ଇତିହାସରେ ସ୍ୱର୍ଣାକ୍ଷରରେ ସମୃଦ୍ଧି ଲାଭ କରିଥିଲା। ଏହି ରାଜ୍ୟର ବଣିକ ମାନେ ବାଣିଜ୍ୟ କ୍ଷେତ୍ରରେ ସମଗ୍ର ଅଂଚଳକୁ ବିକଶିତ ସହ ଆର୍ଥିକ ଦୃଷ୍ଟିକୋଣରୁ ସମୃଦ୍ଧ କରିପାରିଥିଲେ । ତେବେ ବର୍ତମାନର ପରିସ୍ଥିତିରେ ଆଜିର ଶିକ୍ଷିତ ଯୁବ ଉଦ୍ୟୋଗୀମାନେ ଚାକିରୀ ପଛରେ ନ ଦୌଡ଼ି କୃଷି, ଶିଳ୍ପ କ୍ଷେତ୍ରରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଅନ୍ୟ

ରାଜ୍ୟରେ ବିକ୍ରୟ କରି ନିଜେ ଆର୍ଥିକ ଦୃଷ୍ଟି କୋଣରୁ ଲାଭବାନ ହେବା ସହ ସମଗ୍ର ଓଡିଶାକୁ ଆଗେଇ ନେବାହିଁ ଏହି ଜାତୀୟ ସ୍ତରୀୟ ବାଣିଜ୍ୟ ମେଳାରେ ପ୍ରକୃତ ଉଦ୍ୟେଶ ବୋଲି ଭଦ୍ରକର ସମରାଇପୁର ନାୟାର ପେଟ୍ରୋଲ ପମ୍ପ ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ଡିଏଫ୍ଓ ସଂସ୍ଥା ଓସ୍ମେ ଏବଂ ବିବିଏମ୍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଳାର ତୃତୀୟ ସନ୍ଧ୍ୟାରେ ଓସ୍ମେର ସଭାପତି ସୁରଜ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ବିବିଏମର ସଂପାଦକ ମନୋଜ କୁମାର ରାୟ ବାଣିଜ୍ୟ ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଓସ୍ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯିବାପରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡି ଆଇ ବି ଅଂଶୁମାନ ଦ୍ବିବେଦୀ, ମୁଖ୍ୟ ବକ୍ତା ଭାବେ ସ୍ବାସ୍ଥ୍ୟ ବିଭାଗ ର ମୁଖ୍ୟ ସୁଧୀର ରଞ୍ଜନ ନାୟକ,ସମ୍ମାନିତ ଅତିଥି ସାମ୍ବାଦିକ ରବିନାରାୟଣ ଖିଲାର, ଓସମେର ଉପ ସଭାପତି ରାଜେଶ ମିଶ୍ର, ବିବିଏମର ସଂଯୋଜକ କାଳନ୍ଦୀ ବାରିକ ପ୍ରମୁଖ ଯୋଗଦେଇ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ତ୍ୟାଗଭୂମି ଭଦ୍ରକବାସୀଙ୍କ ସ୍ନେହ, ସୌହାର୍ଦ୍ଧ୍ୟ ଓ ଆତିଥ୍ୟ ପାଇବାରେ ଜିଲାବାସୀଙ୍କ ସହଯୋଗ କାମନା କରିଥିଲେ । ଏବଂ ମେଳାର ଆୟୋଜକମାନଙ୍କ ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବିବିଏମର ପୃଷ୍ଟପୋଷକ ଶଶି ଶେଖର ବେହେରାଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ବିବିଏମର ଉପ ସଭାପତି ନମ୍ରତା ରାୟ ଧନ୍ୟବାଦ ଦେବାପରେ ଜିଲାର ବିଭିନ୍ନ ନୃତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇଥିଲା ।
