ଭକ୍ତ ହନୁମାନ

             ଭକ୍ତ ହନୁମାନ
  ( ରାଗ — କଳହଂସ କେଦାର )

 🖊️କବିରତ୍ନ ନୂତନ କୁମାର ବେହେରା

ତ୍ରେତୟା ଯୁଗେ ଶ୍ରୀରାମ ଅବତାରେ
ଭକତ ହନୁମାନ ଥିଲେ ସତ୍ୟରେ,
ଭକ୍ତି ଶକ୍ତିର ବଳେ ଯେତେକ କାର୍ଯ୍ୟ
ହେଉଥିଲା ତାଙ୍କୁ ତ ଅତି ସହଜ ଯେ।

ମାତା ତାଙ୍କର ଧର୍ମପ୍ରାଣା ଅଞ୍ଜନା
ପିତା କେଶରୀ ଥିଲେ ସୁଦକ୍ଷ ସେନା,
ବାଳୀ ସୁଗ୍ରୀବଙ୍କର ପ୍ରିୟ ଭାଗ୍ନେୟ
କିଷ୍କିନ୍ଧ୍ୟା ସେନାପତି ଭାବେ ଅଜୟ ଯେ।

ବାଳୀ ସୁଗ୍ରୀବଙ୍କର ଭାତୃ ବିବାଦେ
ବିତାଡିତ ହୋଇଣ ପଦୁଁ ବିଷାଦେ,
ହୋଇ ସାନ ମାମୁଁର ସେ ପାରିଷଦ
ସୁରକ୍ଷା କରୁଥିଲେ ତାରି ବିପଦ ଯେ।

ସୀତା ଅପହରଣ କରି ରାବଣ
ନେବାରୁ ରଘୁପତି କ୍ରୋଧେ ଭୀଷଣ,
ସୁଗ୍ରୀବ ସହିତରେ କଲେ ମିତ୍ରତା
ହନୁମାନ ତାଙ୍କର ବୁଝିଲେ ବାର୍ତ୍ତା ଯେ।

କିଷ୍କିନ୍ଧ୍ୟାରେ ବାଳୀକୁ ମାରି ଶ୍ରୀରାମ
ପ୍ରକାଶିଲେ ତାଙ୍କର ଶକ୍ତି ପରମ,
ମନ୍ତ୍ରଣା କଲେ ସବୁ ବସି ଏକାଠି
ଖୋଜିବେ ମା’ ସୀତା ଅଛନ୍ତି କେଉଁଠି ଯେ ?

ହନୁମାନ ସମୁଦ୍ର ଗଲେଟି ଡେଇଁ
ସୀତା ଦେବୀଙ୍କୁ ଠାବ କରିବା ପାଇଁ,
ଅଶୋକ ବନରେ ସେ ମାତାଙ୍କୁ ଭେଟି
ସମ୍ବାଦ ଦେଲେ ଆଣି ସେଠୁ ଲେଉଟି ଯେ।

ଲଗାଇବାରୁ ତାଙ୍କ ଲାଙ୍ଗୁଡ଼େ ନିଆଁ
ଲଙ୍କା ଦହନ କଲେ ମାରିଣ ଡିଆଁ,
ସୁନାର ଲଙ୍କା କରି ସେ ଛାରଖାର
ଦେଖାଇଲେ ସାହସ ଶକ୍ତି ତାଙ୍କର ଯେ।

ଅତ୍ୟନ୍ତ ବଳଶାଳୀ ସେ ହନୁମାନ
ପ୍ରଭୁଙ୍କୁ ମଣୁଥିଲେ ଜୀବ ଜୀବନ,
ତାଙ୍କ ଆଜ୍ଞାରେ ହୋଇ ସେ ଅନୁଗତ
ସେବକ ଭାବେ ଥିଲେ କାର୍ଯ୍ୟରେ ରତ ଯେ।

ମୁଖରେ ଧରି ସଦା ଶ୍ରୀରାମ ନାମ
ଗୁଣ କୀର୍ତ୍ତନ କରି ତାଙ୍କ ଅସୀମ,
ଭକତ ହନୁମାନ ରୂପେ ସର୍ବତ୍ର
ରହିଲେ ଶାନ୍ତ ଶିଷ୍ଟ ନମ୍ର ପବିତ୍ର ଯେ।

ଲକ୍ଷଣଙ୍କୁ ହେବାରୁ ଯେ ଶକ୍ତିଭେଦ
ପ୍ରଭୁ ଶ୍ରୀରାମଙ୍କର ବଢିଲା ଖେଦ,
ଆକାଶ ମାର୍ଗେ ଉଡ଼ି ସେ ହନୁମାନ
ବୋହି ଆଣିଲେ ଯାଇ ଗନ୍ଧମାର୍ଦ୍ଦନ ଯେ।

ମହୀରାବଣ ଯେବେ ଚୋରାଇ ନେଲା
ଶ୍ରୀରାମ ଲକ୍ଷ୍ମଣଙ୍କୁ ଗୁପ୍ତେ ରଖିଲା
ହନୁମାନ ପାତାଳେ ତୁରନ୍ତ ଯାଇ
ଉଦ୍ଧାରି ଆଣିଥିଲେ କାନ୍ଧେ ବସାଇ ଯେ।

ସୀତାରାମ ନାମକୁ କରି ସେ ମନ୍ତ୍ର
ହୃଦୟେ ଜପୁଥିଲେ ନିତି ସ୍ଵତନ୍ତ୍ର,
ସୀତାରାମ ବେନିଙ୍କୁ ସେ ଛାତି ଚିରି
ଦେଖାଇଲେ ପୁରତେ ପ୍ରଣାମ କରି ଯେ।

ଶ୍ରୀରାମ ହନୁମାନ ଯେ ହରିହର
ଆଶିଷରେ ତାଙ୍କର ଅଛି ସଂସାର,
ଭକତ ଭାବରେ ସେ ଚିର ଅମର
ଚାରିଯୁଗେ ମାରୁତି ମହାନ ବୀର ଯେ।

କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *