ଆନ୍ଦୋଳନକୁ ଓହ୍ଳାଇଲା ଭାରତୀୟ ବିକାଶ ପରିଷଦ

ଆନ୍ଦୋଳନକୁ ଓହ୍ଳାଇଲା ଭାରତୀୟ ବିକାଶ ପରିଷଦ ।ବ୍ଳକ ସମ୍ମୁଖରେ ଗଣଧାରଣା

ଗଣିଆ – ଅବହେଳିତ,ଦଳିତ, ନିଷ୍ପେସିତ ତଥା ମୈଳିକ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଡସିଲିଙ୍ଗା । ବର୍ଷ ପରେ ବର୍ଷ ବିତି ଚାଲିଛି କିନ୍ତୁ ଆଜି ବି ସୁଧୁରିନି ଅବସ୍ଥା । ଉକ୍ତ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା,ରାସ୍ତା ସମସ୍ୟା, ବିଦ୍ୟୁତ୍ ସମସ୍ୟା,ମୋବାଇଲ ନେଟଓ୍ବାର୍କ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ସମସ୍ୟା ରହିଛି । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି । ସରକାର ବିକାଶର କଥା କହୁଥିବା ବେଳେ ବିକାଶ ଏଠି ବାଟବଣା ହୋଇଯାଇଛି । ଏହାର ପ୍ରତିବାଦରେ ଭାରତୀୟ ବିକାଶ ପରିଷଦ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଛି । ମଙ୍ଗଳବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ଉପସଭାପତି ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ରାଜ୍ୟ ଯୁବ ସଭାନେତ୍ରୀ ସୁନିତା ପଟ୍ଟନାୟକ,ନୟାଗଡ଼ ଜିଲ୍ଲା ସଭାପତି କନକଲତା ପ୍ରଧାନ, ବଡସିଲିଙ୍ଗା ସରପଞ୍ଚ ସଶ୍ମିତା ସାହୁ, ସମିତି ସଭ୍ୟ ଜାନକୀ ଦେହୁରୀଙ୍କ ସମେତ ବହୁ ନେତା ବୁଦ୍ଧିଜୀବୀ ତଥା ବଡସିଲିଙ୍ଗା ପଞ୍ଚାୟତର ପ୍ରାୟ ୨ଶହରୁ ଅଧିକ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ଡାକବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଗଣିଆ ବଜାର ପରିକ୍ରମା କରିବା ପରେ ବ୍ଳକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଅଞ୍ଚଳବାସୀ ଢୁ ଢୁ ଖରାକୁ ଖାତିର ନକରି ଅଞ୍ଚଳର ବିକାଶ ପାଇଁ ଆଜି ଏକତ୍ରିତ ହୋଇଛନ୍ତି । ଅଞ୍ଚଳର ବିକାଶ ପାଇଁ ମରିବାକୁ ପ୍ରସ୍ତୁତ ବୋଲି ସଂଗଠନର ମୁଖ୍ୟ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିଲେ ମଧ୍ୟ ଆଦିବାସୀ ମାନଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ନକରିବା ଅତ୍ୟନ୍ତ ଲଜ୍ଜା ଜନକ ବୋଲି ସେମାନେ ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ଧରି ଆଦିବାସୀ ମାନେ ଅବହେଳିତ ହୋଇ ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିବା ବିଭାଗୀୟ ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଉଛି । ଅପରାହ୍ନରେ ତହସିଲଦାର ପ୍ରିତିବାଳା ରଣା, ବିଡ଼ିଓ ସାଗର କୁମାର ନନ୍ଦ, ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାଶ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *