ବାଇକ ଦୁର୍ଘଟଣାଗ୍ରସ୍ତ, ଆରୋହୀ ମୃତ
କୋଣାର୍କ,୧୯.୦୯ – କୋଣାର୍କ ପୁରୀ ମେରାଇନ ଡ୍ରାଇଭ ରାସ୍ତା ରାମଚଣ୍ଡୀ ବୋଟିଂ କମ୍ପ୍ଲେକ୍ସ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି। ସୂଚନା ଅନୁଯାୟୀ ସୁରେନ୍ଦ୍ର ବେହେରା (୩୬) କୋଣାର୍କରୁ ବାଇକ୍ ଜରିଆରେ ନିଜ ଗାଁ ଟିକନା ଫେରୁଥିବା ବେଳେ କୌଣସି କାରଣ ବଶତଃ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। ସେଠାରେ ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଉଦ୍ଧାର କରି କୋଣାର୍କ ମେଡ଼ିକାଲ ଓ ପରେ ପରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ଏକ ମାସର ପୂତ୍ର ସନ୍ତାନ ଥିବା ବେଳେ ପିତାଙ୍କର ମଧ୍ଯ ପୂର୍ବରୁ ଦେହାନ୍ତ ହୋଇଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରାମଚଣ୍ଡି ସ୍ଥିତ ଲୋଟସ ରୀସର୍ଟ ରେ ସିକ୍ୟୁରିଟି ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଓ ଦୁର୍ଘଟଣା ଜନିତ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ଚନ୍ଦ୍ରଭାଗା ମେରାଇନ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ପ୍ରତିମା ସାହୁ ସୂଚନା ଦେଇଛନ୍ତି।
