ଭାଗବତ ଜନ୍ମ
ଭାଗବତ ଜନ୍ମ
( ରାଗ — ବଙ୍ଗଳା ଶ୍ରୀ )
✍️କବିରତ୍ନ ନୂତନ କୁମାର ବେହେରା
ଭାଦ୍ରବ ପୂର୍ଣ୍ଣିମା ପ୍ରକାଶେ ମହିମା
ଭାଗବତ ଜନ୍ମ କଥା,
ଜଗନ୍ନାଥ ଦାସ ଭାବ ଭକ୍ତି ରସ
ରଚି ରଖିଛିନ୍ତି ଗାଥା।
ଇନ୍ଦୁ ପୂର୍ଣ୍ଣିମା ଏ ତିଥି କହିଦିଏ
ଭାଗବତ ସପ୍ତାହ ଯେ,
ନବମୀରୁ ପଢ଼ା ଭାଗବତ ଚଢ଼ା
ଭକତ ପୁଣ୍ୟ ଅରଜେ।
ଉତ୍କଳ ଭୁବନେ ଶ୍ରଦ୍ଧା ଭକ୍ତି ପ୍ରାଣେ
ହୁଅଇ ତାର ପାଳନ,
ଲଭିବାକୁ ମୁକ୍ତି ପରମାତ୍ମା ସ୍ତୁତି
କରୁଥାନ୍ତି ସାଧୁଜନ ।
ସଂସାରର ସାର ଜୀବନ ତତ୍ତ୍ବର
ସୂକ୍ଷ୍ମଜ୍ଞାନ ” ଭାଗବତ “,
ଜୀବ ପରମର ଭାବ ନିରନ୍ତର
କରାଏ ତା’ ଅବଗତ।
କ୍ଷୀର ମଧ୍ୟୁ ଘୃତ ହୁଏ ଯେହ୍ନେ ପ୍ରାପ୍ତ
ପର୍ଯ୍ୟାୟ କ୍ରମରେ ମନ୍ଥି,
ସେ ପ୍ରକାର ବିଧି ଜ୍ଞାନ ପ୍ରାପ୍ତି ବୁଦ୍ଧି
ଭାଗବତ ଅଛି ଗୁନ୍ଥି।
ଅଛି ଯେତେ ଜ୍ଞାନ ଶାସ୍ତ୍ର ତା’ ପ୍ରମାଣ
ଦିଏ ବିଜ୍ଞ ସାଧୁ ଜନେ,
ଭାଗବତ ଜ୍ଞାନ ଶ୍ରେଷ୍ଠ ଆତ୍ମଜ୍ଞାନ
ଲୋଡ଼ା ସବୁରି ଜୀବନେ।
ଆସିଲେ ଦୁଃର୍ଦିନ ମାନବ ଜୀବନ
ହୋଇଥାଏ ପରାଜିତ,
ବ୍ରହ୍ମ ଅଭିଶାପେ ମୃତ୍ୟୁର ବିଳାପେ
ଥିଲେ ରାଜା ପରୀକ୍ଷିତ।
ବ୍ୟାସଙ୍କ ରଚିତ ଶାସ୍ତ୍ର ଭାଗବତ
ଶୁକଦେବ କଲେ ଗାନ,
ସେ ଅମୃତ ବାଣୀ ପରୀକ୍ଷିତ ଶୁଣି
ଲଭିଲେ ବିଶେଷ ଜ୍ଞାନ।
ପରମଙ୍କୁ ଧ୍ୟାୟୀ ହେଲେ ସେ ଆଶ୍ରୟୀ
ପାଇଲେ ଜୀବନୁ ମୁକ୍ତି,
ଆତ୍ମା ପରମରେ ମିଳିଲେ ଧ୍ୟାନରେ
ଜୀବେ ହୁଏ ମୋକ୍ଷ ପ୍ରାପ୍ତି।
ଜୀବନର ଗତି ଭଗବତ ପ୍ରୀତି
ଦିଏ ଶାଶ୍ବତ ଆନନ୍ଦ,
ଧ୍ରୁବ ପ୍ରହଲ୍ଲାଦ ଘୁଞ୍ଚାଇ ବିଷାଦ
ଲଭିଲେ ପରମ ପାଦ।
ଭବେ ଭାଗବତ ଭାବ ରସାମୃତ
ସୃଷ୍ଟିର ତତ୍ତ୍ବ ନିହିତ,
ଜ୍ଞାନରେ ଜଗତ ଚାଲେ କ୍ରମାଗତ
ବୁଝାଏ ତାର ମହତ୍ତ୍ଵ।
ଜୀବନର ମୂଳ ଚତୁର୍ବର୍ଗ ଫଳ
କାମ ଅର୍ଥ ଧର୍ମ ମୋକ୍ଷ,
ପରମାତ୍ମା ବ୍ରହ୍ମ ଦିଅନ୍ତି ଜନମ
ପୂର୍ଣ୍ଣ କରିବାକୁ ଲକ୍ଷ୍ୟ।
ଭାଗବତ ସିନ୍ଧୁ ଲଙ୍ଘିବାକୁ ସାଧୁ
ରହିଥାଏ ସଦା ରତ,
ଜ୍ଞାନେ ରଖି ମାନ ଶ୍ରୀପ୍ରଭୁ ଦର୍ଶନ
କରି ହୁଏ କୃତ୍ୟ କୃତ।
କୋହି,ବାରିପଦା,ମୟୂରଭଞ୍ଜ।
