ମାଁ ଫୁଲ ସୁନ୍ଦରୀ ମନ୍ଦିରରେ ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ମାଁ ଫୁଲ ସୁନ୍ଦରୀ ମନ୍ଦିରରେ ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

ପୁରୁଷୋତ୍ତମପୁର (୨୮/୧୨) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଁ ଫୁଲ ସୁନ୍ଦରୀ ମନ୍ଦିର ପରିସରରେ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ କାର୍ଯ୍ୟକର୍ତ୍ତା, ବରିଷ୍ଠ ନେତୃବୃନ୍ଦ ଓ ଦଳୀୟ ସମର୍ଥକ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ ସମ୍ପାଦକ ପୃଥିବୀ ରାଜ ମହାପାତ୍ର, ସ୍ଥାନୀୟ ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ଯୋଗୀ ଗୌଡ଼, ମନୋଜ କୁମାର ମହାପାତ୍ର, ଚିତ୍ତରଞ୍ଜନ ସାହୁ ଏବଂ ପୂର୍ବତନ କାଉନସିଲର ସନ୍ତୋଷ ପଣ୍ଡା ଓ ବିଜ୍ଞାପିତ ଅଂଚଳର ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ସହ କାଉନସିଲର ଭାସ୍କର ବେହେରା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ବର୍ଦ୍ଧନା ଓ ସାଂଗଠନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସମ୍ପାଦକ ଶ୍ରୀ ମହାପାତ୍ର ଦଳର ସଂଗଠନ ମଜବୁତ କରିବା ଓ ଆଗାମୀ ଦିନରେ ଲୋକଙ୍କ ସେବାରେ ଅଧିକ ସକ୍ରିୟ ହେବାକୁ ଆହ୍ୱାନ ଦେଇଥିଲେ। ମନୋଜ ମହାପାତ୍ର ମତପ୍ରକାଶ କରି କହିଥିଲେ ଯେ, ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦଳ ଭିତରେ ସମନ୍ୱୟ, ଭାଇଚାରା ଓ ଏକତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ବିଧାୟକ ପ୍ରତିନିଧି, ଦଳ ଏହି ଅଞ୍ଚଳରେ ବିକାଶ, ଚାଷୀଙ୍କ ସମସ୍ୟା, ଯୁବକଙ୍କ ନିଯୁକ୍ତି ଓ ସାମାଜିକ ଉନ୍ନତି ପାଇଁ ନିରନ୍ତର କାମ କରୁଛି ବୋଲି ଉଲ୍ଲେଖ କରିଥିଲେ। ଦଳର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ନାୟକ କହିଥିଲେ, “ଏହି ବନ୍ଧୁ ମିଳନ ଆମ ସମସ୍ତଙ୍କୁ ନୂଆ ଶକ୍ତି ଦେଇଛି। ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଆମେ ଆଗକୁ ମଧ୍ୟ ଏଭଳି ସାମୂହିକ ପ୍ରୟାସ ଜାରି ରଖିବୁ।” ଦଳର ନାରୀ ନେତ୍ରୀ ପୁଷ୍ପାଞ୍ଜଳି ଦଳେଇଙ୍କ ନେତୃତ୍ୱରେ ବହୁ ମହିଳା କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ନୀଲେଶ ମହାରଣାଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ଭୋଜନ ବ୍ୟବସ୍ଥା କରାଯାଇ ବନ୍ଧୁତ୍ୱର ବାର୍ତ୍ତାକୁ ଆହୁରି ମଜବୁତ କରାଯାଇଥିଲା। କାର୍ଯ୍ୟକ୍ରମ ସଫଳ କରିବାରେ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ ସ୍ଥାନୀୟ ନେତୃବୃନ୍ଦ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *