କାକଟପୁରରେ ଦମ୍ ଦେଖାଇଲା ବିଜେପି

* ସାରା ଦେଶରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ନିର୍ବାଚନର ବାତାବରଣ ଜୋରଦାର ଦେଖିବାକୁ ମିଳୁଛି। ଅନେକ ନିର୍ବାଚନ ମଣ୍ଡଳୀ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏନେଇ ପ୍ରାର୍ଥୀ ମାନେ ନିଜ ନିଜ ଦଳର କର୍ମୀଙ୍କୁ ଧରି ପ୍ରଚାର ପ୍ରସାର କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ପୁରୀ ଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। କାକଟପୁରରେ ଦମ୍ ଦେଖାଇଛି ବିଜେପି। ବାଇଧର ମଲ୍ଲିକଙ୍କ ନେତୃତ୍ୱରେ ବିଶାଳ ବାଇକ୍ ଶୋଭାଯାତ୍ରା କରାଯାଇଥିଲା। ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ନେତୃତ୍ୱରେ ହଜାର ହଜାର ବାଇକ୍ ଆରୋହୀ ମାନେ ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଜୟ ଶ୍ରୀରାମ ନାରାରେ କମ୍ପିଥିଲା ରାସ୍ତାଘାଟ। ନୁଆହାଟ ନିକଟ ଆଳୁଦଣ୍ଡାପାଟଣା ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ନୁଆହାଟ, କାକଟପୁର, ଅସ୍ତରଂଗ ଦେଇ ନଗର ନିକଟରେ ଏହି ଶୋଭାଯାତ୍ରା ସମାପ୍ତ ହୋଇଥିଲା।

ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ସହ ଜଗସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ମଧ୍ଯ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳରୁ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇ ଶୋଭାଯାତ୍ରାକୁ ବିପୁଳ ପରିମାଣରେ ସଫଳ କରିଥିଲେ। ବିଗତ ଦିନରେ ବିଧାୟକ ତୁଷାରକାନ୍ତି ବେହେରା ସେଭଳି ଆଖିଦୃଷ୍ଟିଆ କାର୍ଯ୍ୟ କରି ନାହାଁନ୍ତି କି ଜନ ସାଧାରଣ ମାନଙ୍କ ପାଖରେ ପହଞ୍ଚି ନାହାନ୍ତି। ତେଣୁ ଭୋଟର ମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ସହିତ ମୋଦି ସରକାରଙ୍କୁ ଆଣିବା ପାଇଁ ପଦ୍ମ ଫୁଲ ଚିହ୍ନରେ ହିଁ ବିଜେପିକୁ ଭୋଟ ଦେଇ ଜିତାଇବେ ବୋଲି ପ୍ରାର୍ଥୀ ଶ୍ରୀଯୁକ୍ତ ମାଲିକ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *