ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ପରିସରରେ ବୁଗୁଡା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ , କଣ୍ଠ ସଙ୍ଗୀତ , ନୃତ୍ୟ , କୁଇଜ୍ , ଗଳ୍ପ ଲିଖନ , ସାଧାରଣ ଜ୍ଞାନ , ଏକକ ଅଭିନୟ ଓ କବିତା ରଚନା ଆଦି ବିଷୟରେ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ବୁଗୁଡା ବ୍ଲକ ଓଷ୍ଟା ସଭାପତି ପ୍ରଶାନ୍ତ କୁମାର ଗୌଡଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଓଷ୍ଟା ସଭାପତି ସନ୍ତୋଷ କୁମାର ଜେନା , ମୁଖ୍ୟ ବକ୍ତା ଭାବେ ମାଣିତରା ହାଇସ୍କୁଲ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମହାରଣା , ସମ୍ମାନିତ ଅତିଥି ଭାବେ ମୃତ୍ୟୁଞ୍ଜୟ ହୋତା , ନୀଳାଞ୍ଚଳ ପାତ୍ର , ତପନ କୁମାର ମହାପାତ୍ର , ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ପ୍ରଧାନ ଶିକ୍ଷକଗଣ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏ ଅବସରରେ ବିଏନ ପବ୍ଲିକ୍ ସ୍କୁଲ୍ ମେନେଜିଙ୍ଗ୍ ଡାଇରେକ୍ଟର ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କୁ ମଧ୍ୟ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ଲକ ଓଷ୍ଟା ସମ୍ପାଦକ କାହ୍ନୁ ଚରଣ ସ୍ବାଇଁ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପରିଶେଷରେ ଭାମଶ୍ଯାଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ଜି.ନାଗେଶ୍ବର ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *