ବ୍ଲକସ୍ତରୀୟ ପୋଷଣ ପକ୍ଷ ପାଳନ।

ରଘୁନାଥପୁର:-୧୩/୧0:- ପୋଷଣ ମାସ ଉପଲକ୍ଷେ ରଘୁନାଥପୁର ସମ୍ମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଶନ ଶକ୍ତି କାର୍ଯ୍ୟାଳୟ ସଭାକକ୍ଷରେ ବ୍ଲକସ୍ତରୀୟ ପୋଷଣ ପକ୍ଷ ପାଳନ ହୋଇଯାଇଛି।ଏହି ଉପଲକ୍ଷେ ସିଡିପିଓ ତୃପ୍ତିଲତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଡିଓ ବିରଞ୍ଚି ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ସେ ତାଙ୍କ ବକ୍ତବ୍ୟରେ ଶୈଶବରେ ଶିଶୁଙ୍କ ଯତ୍ନ ନେବା କ୍ଷେତ୍ରରେ ଉଭୟ ମାତା ପିତାଙ୍କ ଗୁରୁଦାଇତ୍ଵ ରହିଛି।ଏହି ସମୟରେ ଶିଶୁଙ୍କୁ ଉତ୍ତମ ପୋଷଣ ଖାଦ୍ୟାଭ୍ୟାସ ଅତ୍ୟନ୍ତ ଜରୁରୀ ଅଟେ।କାରଣ ଉତ୍ତମ ପୋଷଣ ଖାଦ୍ୟାଭ୍ୟାସ ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ହୁଏ ବୋଲି ପ୍ରକାଶ କରିଥିଲେ।ଏହାଛଡା ମେଦ ବହୁଳତା ପ୍ରତି ସତର୍କ ରହିବା ପାଇଁ ବିଡିଓ ବେହେରା ପରାମର୍ଶ ରଖିଥିଲେ।ଅନ୍ୟତମ ଅତିଥି ଭାବେ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ବିପିଏମ ରଞ୍ଜିତା ସିଂହ,ମଣ୍ଡଳ ସହ ଶିକ୍ଷାଧିକାରୀ ଆଶୁତୋଷ ବାନାର୍ଜୀ, ଓରମାସ ଅଧିକାରୀ ପ୍ରଭାତ ଦାସ ଓ ଡବ୍ଲୁଇଓ ରାମେଶ୍ବର ନାୟକ ଶୈଶବରେ ଶିଶୁଙ୍କ ଯତ୍ନ ଓ ମେଦବହୁଳତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।ଏହି ଅବସରରେ ଉପସ୍ଥିତ ୧୮ କିଶୋରୀ ବାଳିକାଙ୍କୁ ନେଇ ମେଦବହୁଳତା ସମ୍ପର୍କରେ ବକ୍ତୃତା,ସାଧାରଣଜ୍ଞାନ ଓ ରଚନା ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ୯ ପ୍ରତିଯୋଗୀଙ୍କୁ ମେଡାଲ ଦିଆଯିବା ସହ ସମସ୍ତ କିଶୋରୀ ବାଳିକାଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ସୁପରଭାଇଜର ସୋନାଲି ପ୍ରିୟଦର୍ଶିନୀ,ଲିପସା ପ୍ରିୟଦର୍ଶିନୀ ଓ ବିଜୟଲକ୍ଷ୍ମୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେହିପରି ପୋଷଣ ବ୍ଲକ ସଂଯୋଜକ ସୁପ୍ରିୟା ମହାନ୍ତି ଓ ମମତା ପ୍ରକଳ୍ପ ସହାୟିକା ପ୍ରିୟଦର୍ଶିନୀ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ଅଙ୍ଗନୱାଡି କର୍ମୀ,ସ୍ଵାସ୍ଥ୍ୟକର୍ମୀ ଓ କିଶୋରୀବାଳିକାମାନେ ଉପସ୍ଥିତ ଥିବା ବେଳେ ବଡ଼ବାବୁ ପ୍ରଣୟ ସ୍ବାଇଁ ଓ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *