ବୋଲ୍ ବମ୍ ବୋଲ୍ ବମ୍

ବୋଲ୍ ବମ୍ ବୋଲ୍ ବମ୍
              ( ରାଗ — ରସକୁଲ୍ୟା )

   🖊️କବିରତ୍ନ ନୂତନ କୁମାର ବେହେରା

ଏ ଭବ ସାଗର ହେବାକୁ ପାରି
ଧର୍ମ କର୍ମ କରନ୍ତି ନରନାରୀ,
ମଣିଷ ମନେ ଆଶା ଅସୁମାରୀ
ଆଖିରେ ଦେଖେ ସପନ ଲହରୀ ସେ,
ହୃଦେ ଥାଏ ଚିନ୍ତା କରି ଯେ
ପ୍ରଚେଷ୍ଟା ଉଦ୍ୟମେ ରହେ ଅବିରାମେ
ସଂକଳ୍ପରେ ଧୈର୍ଯ୍ୟ ଧରି ଯେ।୧।

ଧର୍ମ ଧାରଣାରେ ବିଚାର କରି
ଦେବା ଦେବୀଙ୍କୁ କରଇ ଗୁହାରି,
ଶିବ ପାପ ତାପ ସଂହାରକାରୀ
ଦୁଃଖ ବିପଦୁଁ ରଖନ୍ତି ଉଦ୍ଧାରି ସେ,
ଆସିଲେ ଶ୍ରାବଣ ମାସ ଯେ
ଭାଗ୍ୟକୁ ଆଦରି ମାନସିକ କରି
ରଖେ ଭରସା ବିଶ୍ଵାସ ଯେ।୨।

ଜଳାଭିଷେକ ଲାଗି ଯାଏ ଧାଇଁ
ଶିବାଳୟେ ଶାନ୍ତି ପାଇବା ପାଇଁ,
ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି
ଭକତ ଚାଲଇ ବାବା ସୁମରି ଯେ,
ବୋଲ୍ ବମ୍ ମନ୍ତ୍ର ଗାଇ ସେ
ଚାଲେ କାଉଡ଼ିଆ ରହି ଉପାସିଆ
ଭାବରେ ତନ୍ମୟ ହୋଇ ଯେ।୩।

ଶିବ ଭୋଳାନାଥ କୈଳାସ ପତି
ସେ ରୁଦ୍ର ମହାଦେବ ମହାଜ୍ୟୋତି,
ତାଙ୍କ ଶରଣେ ମିଳଇ ମୁକତି
ଦୂର କରି ଥା’ନ୍ତି ମନରୁ ଭୀତି ସେ,
ଭକତି ଭାବରେ ବାନ୍ଧି ଯେ
ହୃଦୟ ପବିତ୍ର କରି ପ୍ରିୟପାତ୍ର
ଭକତ ଲଭେ ସମୃଦ୍ଧି ଯେ।୪।

ପୁଣ୍ୟ ଅର୍ଜେ ଜଳାଭିଷେକ କରି
ଶ୍ରାବଣ ସୋମବାରେ ବ୍ରତଧାରୀ,
ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି
ଭକତ ଚାଲଇ ବାବା ସୁମରି ଯେ,
ଚିତ୍ତ ଚୈତନ୍ୟ ସୁଧାରି ସେ
ବୋଲ୍ ବମ୍ ଜପି ବୋଲ୍ ବମ୍ ଜପି
ସଂସାରରୁ ଯାଏ ତରି ଯେ।୫।

    କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *