୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
Dt- 02 11 25 ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହିତ ଚାରିଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟବସାୟୀ ଫେରାର ହେବାରେ ସକ୍ଷମ ହୋଇଛି। ୧୫୧ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୬ ଲକ୍ଷ ୩୦ ହଜାର ୭ ଶହ ଟଙ୍କା ଅଭିଯୁକ୍ତଙ୍କ ଠାରୁ ପିପିଲି ଥାନା ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ସତ୍ୟବାଦୀ ଥାନା ଅଞ୍ଚଳର ଜୟନ୍ତ କୁମାର ସ୍ବାଇଁ, କୁଳମଣି ଖଟେଇ, ଉମେଶ କୁମାର ସ୍ବାଇଁ ଏବଂ ଜଟଣୀ ଥାନା ଅଞ୍ଚଳର ଶଶିକାନ୍ତ ଜେନା।

ଅଭିଯୁକ୍ତଙ୍କ ଠାରୁ ପୋଲିସ ୭ ଟି ମୋବାଇଲ ଫୋନ୍, ଗୋଟିଏ ମାରୁତି ସୁଜୁକି ସ୍ବିଫ୍ଟ, ଗୋଟିଏ ବୁଲେଟ ଏବଂ ଦୁଇଟି ବାଇକ ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ। ପୁରୀ ଏସପି ଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ନିଜିଗଡ ଠାରେ ବ୍ରାଉନ ସୁଗାର ବ୍ୟବସାୟ ପାଇଁ ଯୋଜନା କରୁଥିବା ବେଳେ ପିପିଲି ଥାନା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା।
