ଜନସାଧାରଣଙ୍କ ସ୍ଵାର୍ଥ ବିରୋଧୀ

ଜନସାଧାରଣଙ୍କ ସ୍ଵାର୍ଥ ବିରୋଧୀ, ଶ୍ରମିକ, କୃଷକ, ଯୁବ – ଛାତ୍ର ସ୍ଵାର୍ଥ ଵିରୋଧୀ କେନ୍ଦ୍ର ବଜେଟ୍‌ : ସିପିଆଇ

ବ୍ରହ୍ମପୁର: ତା୧/୨: ସମଗ୍ର ଦେଶ ସାମ୍ନା କରୁଥିବା ବାସ୍ତବ ଆର୍ଥିକ ସଙ୍କଟକୁ ସମ୍ମୁଖୀନ କରିବାରେ ସରକାର ଅସ୍ୱୀକାର କରିଥିଵା ସୁଚାଇଛି। ଯେଉଁ ସମୟରେ ବିଶ୍ୱ ରାଜନୈତିକ ଅର୍ଥନୈତିକ ଅନିଶ୍ଚିତତା ଓ ବାଣିଜ୍ୟିକ ବାଧା ବୃଦ୍ଧି ପାଉଛି, ସେହି ସମୟରେ ଅର୍ଥମନ୍ତ୍ରୀଙ୍କ ଭାଷଣ ଭାରତୀୟ ଅର୍ଥନୀତିକୁ ସୁରକ୍ଷିତ ରଖିବା କିମ୍ବା ଜୀବିକା ସୁରକ୍ଷା କରିବା ପାଇଁ କୌଣସି ସ୍ପଷ୍ଟ ମାର୍ଗଦର୍ଶନ ଦେଇପାରିଲା ନାହିଁ। ସ୍ପଷ୍ଟତାର ସ୍ଥାନରେ ବଜେଟ୍‌ଟି ଉଦ୍ଦେଶ୍ୟପୂର୍ଣ୍ଣ ଅସ୍ପଷ୍ଟତାରେ ଭରି ରହିଛି। ଅର୍ଥମନ୍ତ୍ରୀ ପ୍ରମୁଖ ଫ୍ଲାଗ୍‌ଶିପ୍‌ ଯୋଜନାଗୁଡ଼ିକ ପାଇଁ ଯୋଜନା–ଭିତ୍ତିକ ଅର୍ଥବଣ୍ଟନ ଦେଖାଇବାରୁ ବିରତ ରହିଲେ, ଯାହା ଅସ୍ୱଚ୍ଛତାକୁ ସୂଚିତ କରିଛି ଏବଂ ଭବ୍ୟ ଘୋଷଣାର ଆଳରେ ମହାସଂକଟକୁ ଲୁଚାଇ ସଂସଦ ଓ ଜନସାଧାରଣଙ୍କୁ ଭ୍ରମିତ କରିବାର ଚେଷ୍ଟାକରାଯାଇଛି।
ଅର୍ଥନୈତିକ ସମୀକ୍ଷା (ଇକନୋମିକ୍‌ ସର୍ଭେ)ରେ ନିଜେ ମାନିଛନ୍ତି ଯେ ଭାରତର ଆର୍ଥିକ ଅଭିବୃଦ୍ଧିର ପ୍ରଧାନ ଆଧାର ହେଉଛି ଦେଶୀୟ ଖର୍ଚ୍ଚ (ଡୋମେଷ୍ଟିକ୍‌ କନସମ୍ପସନ୍‌)। କିନ୍ତୁ ବଜେଟ୍‌ ଚାହିଦା ବୃଦ୍ଧି ପାଇଁ କୌଣସି ପଦକ୍ଷେପ ନେଇପାରି ନାହିଁ। ଗ୍ରାମୀଣ ଭାରତରେ ଏହି ବିଫଳତା ସାମାଜିକ କ୍ଷେତ୍ରର ଅବ୍ୟାହତ ଅବହେଳା ଓ ସଂଗଠିତ ଧ୍ୱଂସରେ ସ୍ପଷ୍ଟ ଭାବେ ପ୍ରତିଫଳିତ। ପୂର୍ବବର୍ତ୍ତୀ ଆର୍ଥିକ ବର୍ଷରେ ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଯୋଜନା MGNREGS କୁ ଧୀରେ ଧୀରେ ଧ୍ୱଂସ କରାଗଲା ଏବଂ ତାହାର ସ୍ଥାନରେ ଠିକାଦାର–ନିର୍ଭର “ଭିଵି ଜିରାମ ଜି” VB-GRAM-G ଆଇନ୍‌ ଆଣାଗଲା, ଯାହା ମଜୁରୀ ରୋଜଗାର, ବିକେନ୍ଦ୍ରୀକରଣ ଓ କାମ କରିଵାର ଅଧିକାରକୁ ଦୁର୍ବଳ କରୁଛି। ସହର ଭାରତରେ ମଧ୍ୟ କର୍ମଜୀବୀ ଓ ମଧ୍ୟବର୍ଗ ପାଇଁ ଅର୍ଥପୂର୍ଣ୍ଣ ଆୟକର ରିହାତି ଦେବାକୁ ସରକାର ଅସ୍ୱୀକୃତ କରିଥିବାରୁ ଚାହିଦା ଅଵଦମିତ ରହିଛି।
କୃଷି ସଙ୍କଟ ଦିନକୁ ଦିନ ଗଭୀର ହେଉଛି। କୃଷକ ଆୟ ସ୍ଥିର କରିବା ପାଇଁ ସବୁଠାରୁ ଆବଶ୍ୟକ ନୀତିଗତ ପଦକ୍ଷେପ—ଆଇନସମ୍ମତ ନ୍ୟୂନତମ ସହାୟକ ମୂଲ୍ୟ (MSP) ଗାରଣ୍ଟି—ପୁନଃ ପୁନଃ ଆଶ୍ୱାସନ ସତ୍ତ୍ୱେ ଏଯାଁ ପର୍ଯ୍ୟନ୍ତ ଅଧୁରା ରହିଛି। ସମସ୍ତ କ୍ଷେତ୍ରର ଶ୍ରମିକ ଶ୍ରେଣୀଙ୍କ ସାମୂହିକ ଆଲୋଚନା, ସାମାଜିକ ସୁରକ୍ଷା ଓ ଚାକିରି ସୁରକ୍ଷାକୁ ଦୁର୍ବଳ କରୁଥିବା ଚାରିଟି ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ସମୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି—ସାର୍ବଜନୀନ ବିନିଯୋଗ ଅଟକି ରହିଛି ଏବଂ ସରକାରର ଏକମାତ୍ର ଧ୍ୟାନ ବେସରକାରୀକରଣ ଓ କର୍ପୋରେଟିକରଣ ଉପରେ ଥିବାରୁ ଗରିବ ଓ ଅବହେଳିତ ଲୋକମାନେ ଆଉ ଅଧିକ ବିଡ଼ମ୍ବିତ ହୋଇ ପଡ଼ୁଛନ୍ତି।
ଭାରତର ଉତ୍ପାଦନ (ମ୍ୟାନୁଫ୍ୟାକ୍ଚରିଂ) କ୍ଷେତ୍ର—ଯାହା ସାମଗ୍ରିକ ରୋଜଗାର ସୃଷ୍ଟି କରିପାରେ—ସେଥିରେ ସନ୍ତୋଷଜନକ ବୃଦ୍ଧି କରାଯାଇନାହିଁ, ଯାହା ଆଗରୁ ଗମ୍ଭୀର ଥିବା ବେକାରୀ ସଙ୍କଟକୁ ଆଉ ତୀବ୍ର କରୁଛି। ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ “AI” ଶବ୍ଦଟି ୧୧ ଥର ଉଚ୍ଚାରଣ କରିଥିଲେ, କିନ୍ତୁ ଯେଉଁ କ୍ଷେତ୍ରରେ ଭାରତ ଅନ୍ୟ ଦେଶଗୁଡ଼ିକଠାରୁ ବହୁତ ପଛରେ ଅଛି, ସେଠାରେ କୌଣସି ସ୍ପଷ୍ଟ ନୀତି, ବିନିଯୋଗ କିମ୍ବା ସଂସ୍ଥାଗତ କ୍ଷମତା ଗଢ଼ିବା ସମ୍ପର୍କିତ ନିର୍ଦ୍ଦିଷ୍ଟ ଘୋଷଣା ନାହିଁ। ଵିଜେପି ଶାସନରେ AI ର ଅର୍ଥ Artificial Intelligence ନୁହେଁ, ବରଂ Administrative Inertia (ପ୍ରଶାସନିକ ଜଡତା)—ଯାହା ଅନ୍ଧ ଶାସନର ନମୂନା ଅଟେ, ଯେଉଁଠାରେ ଦୃଷ୍ଟିକୋଣର ସ୍ଥାନରେ ବଜ୍‌ୱର୍ଡ ଏବଂ ସମାଧାନର ସ୍ଥାନରେ ସ୍ଲୋଗାନ୍‌ ବ୍ୟବହୃତ ହେଉଛି। ଓଡ଼ିଶାର ଖଣିଜ ସମ୍ପଦ ଆଦାନୀ ଭଳି ରାହୁ ପୁଞ୍ଜିପତି ଙ୍କ ପାଦ ତଳେ ସମର୍ପଣ ସହ ଧାମରା ଓ ପାରାଦୀପ ବାଟେ ଓଡ଼ିଶାର ଖଣିଜ ବାହାରକୁ ନେଇଯିବା ପାଇଁ ସାହାଣ ମେଲା କରିଛନ୍ତି। ଏହି ଜନବିରୋଧୀ ବଜେଟ ଚଳିତ ଫେଵୃଆରୀ୧୨ ରେ ଆହୁତ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଆହୁରି ବ୍ୟାପକ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ଯ କମିଟି ପକ୍ଷରୁ ଆହ୍ଵାନ ଦିଆଯାଇଛି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ଯ ପ୍ରକାଶ ପାତ୍ର ଓ ନାରାୟଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ସହ ସମ୍ପାଦକ ନୀଳକଣ୍ଠ ଦାଶ , ପ୍ରଦୀପ ସେଠୀ, କାମଦେବ ନାହାକ ପ୍ରମୁଖ ଏକ ଲିଖିତ ଵିଵୃତ୍ତିରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *