ଆମ ବ୍ୟାଙ୍କ୍ ଗୃହ ନିର୍ମାଣ ହୋଇ ୨ ବର୍ଷ ହେଲାଣି,କାର୍ଯ୍ୟକ୍ଷମ ହେଉନାହିଁ
ଖଜୁରୀପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମ ବ୍ୟାଙ୍କ୍ ଗୃହ ନିର୍ମାଣ ହୋଇ ୨ ବର୍ଷ ହେଲାଣି,କାର୍ଯ୍ୟକ୍ଷମ ହେଉନାହିଁ।ଫୁଲବାଣୀ:-୦୬/୦୫ କନ୍ଧମାଳ ଜାତି ଜନଜାତି ଓ ବଣ ପାହାଡ ଘେରା ହୋଇଥିବାରୁ ଗ୍ରାମାଞ୍ଚରେ ବସବାସ କରୁଥିବା ଜନ ସାଧାରଣଙ୍କୁ ବ୍ୟାଙ୍କ୍ ସେବା ଯୋଗାଇ ଦେବ ନିମନ୍ତେ ୨୩/୨୪ ଆର୍ଥିକ ବର୍ଷରେ ସରକାର ଲକ୍ଷାଧିକ ଟଙ୍କା ମଞ୍ଜୁର କରି ପ୍ରତି ପଞ୍ଚାୟତ ଗୁଡ଼ିକରେ ଆମ ବ୍ୟାଙ୍କ୍ ଗୃହ ନିର୍ମାଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏନେଇ ଖଜୁରୀପଡ଼ା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଆଜକୁ ୨ ବର୍ଷ ହେଵ ୮ ଟି ଆମ ବ୍ୟାଙ୍କ୍ ଗୃହ ନିର୍ମାଣ ହୋଇ ସାରିଛି ହେଲେ ଅଦ୍ୟାବଧି କୌଣସି ଜାଗାରେ ବ୍ୟାଙ୍କ୍ ସେବା ଆରମ୍ଭ ହୋଇନାହିଁ।

ଗୋଟିଏ ଆମ ବ୍ୟାଙ୍କ୍ ସେବା ଗୃହ ନିର୍ମାଣ ପ୍ରତି ୧୦ ଲକ୍ଷ ଟଙ୍କା ମଞ୍ଜୁର ହେଇଥିବା ଜଣାପଡ଼ିଥିବା ବେଳେ ନିର୍ମାଣ କାର୍ଯ୍ୟ ମଧ୍ୟ ସେଭଳି ଉନ୍ନତ ମାନର ହୋଇ ନଥିବା ଅନୁମାନ ହେଉଛି। ହେଲେ ଏତେ ଲକ୍ଷଟଙ୍କା ଅନୁଦାନରେ ନିର୍ମାଣ କରାଯାଇଥିବା ଏହି ଆମ ବ୍ୟାଙ୍କ୍ ସେବା ଗୃହ କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ଏହି ଆମ ବ୍ୟାଙ୍କ୍ ସେବା ଗୃହ କାହା ସ୍ବାର୍ଥ ପାଇଁ ନିର୍ମାଣ କରାଗଲା ଆଜି ପର୍ଯ୍ୟନ୍ତ କାହିଁକି ବ୍ୟାଙ୍କ୍ ସେବା ଆରମ୍ଭ କରାଯାଉନାହିଁ ବୋଲି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଜନସାଧାରଣ ମଧ୍ୟ ଅଭିଯୋଗ କରୁଛନ୍ତି। ଘରେ ପହଞ୍ଚିବ ବ୍ୟାଙ୍କ୍ ସେବା ବୋଲି ତତ୍ କାଳୀନ ସରକାର ଘୋଷଣା କରି ଯୋଜନାକୁ ଆରମ୍ଭ କରିଥିଲେ। ବ୍ୟାଙ୍କ୍ ସେବା ପାଇବା ପାଇଁ ଲୋକେ ଅପେକ୍ଷାରେ ରହିଥିବା ବେଳେ କାହାର ଅବହେଳା ଓ ଆନ୍ତରିକ ଅଭାବ ଯୋଗୁଁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ ଏହାକୁ ନେଇ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି।ଏ ବାବଦରେ ଜାଣିବା ପାଇଁ ତଥ୍ୟ ସଂଗ୍ରହ କରାଗଲା ପରେ ଜଣା ପଡ଼ିଛି ଯେ ଆମ ବ୍ୟାଙ୍କ୍ ସେବା ଗୃହ ନିର୍ମାଣ କରିବା ପାଇଁ ପଞ୍ଚାୟତ ସମିତି ଗୁଡ଼ିକୁ ଦାୟିତ୍ଵ ଦିଆ ଯାଇଥିଲା।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏ ସବୁ ସ୍ଥାନରେ ବ୍ୟାଙ୍କ୍ ସେବା ଆରମ୍ଭ କରିବା କଥା କିନ୍ତୁ କରିନାହିଁ।ଶୁଣିବାକୁ ମିଳୁଛି ଅତି କମ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ଜିଲ୍ଲାରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହି ତାଲିକାରେ ଖଜୁରୀପଡ଼ା ବ୍ଲକର ସ୍ଥାନ ନାହିଁ ବୋଲି ଜଣା ପଡୁଥିବାରୁ ଅନିଶ୍ଚିତତା ଭିତରେ ରହିଯିବ କି ବୋଲି ବୁଦ୍ଧିଜୀବୀ ଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ହେଲେ କେବେ କାର୍ଯ୍ୟକ୍ଷମ ହେବେ ତାହା ଦେଖିବାରେ ବାକି ରହିଲା।
