ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳନ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳନ ଆସିକା ତା ୧୨/୭ ରିଖ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ସ୍ବନକ୍ଷତ୍ର ଅବସରରେ ୫୬ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ମୁଖ୍ୟ ବକ୍ତା ରୂପେ କଲେଜ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଛାତ୍ର ତଥା ଉକ୍ତ କଲେଜର ଅବସର ପ୍ରାପ୍ତ ରିଡର୍ ରମେଶ ଚ଼ନ୍ଦ୍ର ଜାନୀ ଯୋଗ ଦେଇଥିଲେ। ଅଧ୍ୟାପିକା ଡ. ସସ୍ମିତା ପାତ୍ରଙ୍କ ସ୍ବାଗତ ଭାଷଣରେ ଏବଂ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ପ୍ରଦାନ ପୂର୍ବକ ଅତିଥିମାନଙ୍କୁ ମଞ୍ଚାସୀନ କରାଯାଇଥିଲା। ଲେବରୋଟାରୀ ଶିକ୍ଷକ ଧନଞ୍ଜୟ ମହାପାତ୍ରଙ୍କ ବେଦ ପାଠ ମନ୍ତ୍ର ଉଚ୍ଚାରଣରେ ଦେବାଦେବୀଙ୍କ ବିଗ୍ରହରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଶ୍ରୀମତୀ ମମତା ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସଭା ସଂଯୋଜକ ଯୁବ ଅଧ୍ୟାପକ ଦେବବ୍ରତ ସାହୁ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ମହାବିଦ୍ୟାଳୟ ପ୍ରତିଷ୍ଠା ଏବଂ ପୂର୍ବ ଇତିହାସର ଗୌରବଗାଥା ପରିବେଷଣ କରିଥିଲେ। ୧୯୬୮ ମସିହା ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାରେ ମହାନୁଭବ ଆସିକା ବିଧାୟକ ସ୍ବର୍ଗତ ହରିହର ଦାସ, ଆସିକା ସାଂସଦ ସ୍ବର୍ଗତ ଦ୍ବିତୀକୃଷ୍ଣ ପଣ୍ଡା, ଶିକ୍ଷାମନ୍ତ୍ରୀ ସ୍ବର୍ଗତ ବନମାଳୀ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲାପାଳ ସ୍ବର୍ଗତ ରାମଚନ୍ଦ୍ର ପାତ୍ରଙ୍କ ଅବଦାନକୁ ସମସ୍ତ ଅତିଥି ଭୂୟଷୀ ପ୍ରଶଂସା ତଥା ସ୍ମୃତିଚାରଣ କରିଥିଲେ। କଲେଜ ପ୍ରଶାସନିକ ଅଧିକାରୀ ତଥା ମୋ କଲେଜ ଅଭିଯାନର ସଂଯୋଜକ ଡ. ଶଙ୍କର ପ୍ରସାଦ ଅଧିକାରୀ ତତ୍କାଳୀନ ପରିସ୍ଥିତିରେ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶଧାରାକୁ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ନିଜକୁ କିପରି ସାମିଲ କରିପାରିବେ ତାହାର ସୁଚିନ୍ତିତ ମତାମତ ସାବ୍ୟସ୍ତ କରିଥିଲେ। ମୁଖ୍ୟ ବକ୍ତା ପ୍ରଫେସର ପ୍ରଧାନ କଲେଜ ଶୈକ୍ଷିକ ବାତାବରଣ କୁ ସୁଦୃଢ଼ ରଖିବାରେ ଅଧ୍ୟାପକ ତଥା ଅଧ୍ୟାପିକାମାନେ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାର ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ଏହା କିପରି ସର୍ବଦା ବଜାୟ ରହିବ ତାରି ଉପରେ ମନ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ସ୍ବର୍ଗତ ବିଧାୟକ ହରିହର ଦାସଙ୍କ ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାରେ ଶ୍ରେଷ୍ଠତମ ଅବଦାନର ବାସ୍ତବିକ ତଥା ପ୍ରଚ୍ଛଦ ପଟର ନିତ୍ସକ କାହାଣୀକୁ ବର୍ଣ୍ଣନା କରିଥିଲେ ଏବଂ ବର୍ତ୍ତମାନର ଆସିକା ବିଧାୟିକାଙ୍କ ମହାବିଦ୍ୟାଳୟ ପ୍ରତି ଅକୁଣ୍ଠ ସହଯୋଗକୁ ସମ୍ମାନିତ କରି ଭୂୟଷୀ ପ୍ରଶଂସା କରିଥିଲେ। ସମ୍ମାନୀୟ ଅତିଥି ପ୍ରଫେସର ଜାନୀ ଛାତଛାତ୍ରୀଙ୍କୁ ନୈତିକ, ଶୈକ୍ଷିକ ଏବଂ ଚାରିତ୍ରିକ ଗୁଣାବଳୀର ଉନ୍ନତି କାମନା କରିଥିଲେ। ମୁଖ୍ୟ ଅତିଥି ଆସିକା ବିଧାୟିକା କଲେଜର ସମୁହ ବିକାଶଧାରାରେ ନିଜକୁ ବ୍ରତୀ କରିବା ପାଇଁ କହିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଶ୍ରେଷ୍ଠତମ ୧୫ଜଣ ହିନ୍ଦୀ, ରାଜନିତୀ ବିଜ୍ଞାନ, ଇଂରାଜୀ ଏବଂ ବାଣିଜ୍ୟ ବିଭାଗରୁ ତଥା କଲେଜ ସ୍ତରର ଅନ୍ୟ ସମସ୍ତ ବିଭାଗର ୧୨ ଜଣ ଶ୍ରେଷ୍ଠତମ ଛାତ୍ରଛାତ୍ରୀମାନଙ୍କୁ ବିଧାୟିକାଙ୍କ କରକମଳରୁ ପୁରଷ୍କାର ତଥା ପ୍ରମାଣପତ୍ର ବିତରଣ କରାଯାଇଥିଲା। ମହାବିଦ୍ୟାଳୟ ୫୬ତମ ପ୍ରତିଷ୍ଠା ଦିବସର ସ୍ମୃତିଚାରଣ କଳ୍ପେ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡମାଝିଙ୍କ ନେତୃତ୍ବରେ ଏବଂ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ସହାୟତାରେ ବିଧାୟିକା ତଥା ଅନ୍ୟାନ୍ୟ ଅତିଥିଙ୍କ ଦ୍ବାରା କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଉକ୍ତ ଅବସରରେ କଲେଜର ଶତାଧିକ ଛାତ୍ର ଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଯୋଗ ଦେଇଥିଲେ। ପରିଶେଷରେ ଉପପ୍ରଶାସନିକ ଅଧିକାରୀ ଡ. ଅଭୟ କୁମାର ପରିଚ୍ଛା ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରଞ୍ଜନ କୁମାର ରାଉତ(reporter)

Leave a Reply

Your email address will not be published. Required fields are marked *