ପାର୍ବଣ ଆସୁଛି

ପାର୍ବଣ ଆସୁଛି
ଡ. ପ୍ରେମାନନ୍ଦ ବେହେରା

ବିଲ ପଡ଼ିଆରେ ରାସ୍ତା ଦୁଇକଡେ଼
କାଶତଣ୍ଡୀ ହସିଲାଣି
ପାର୍ବଣ ପରବେ ମାଆଁ ଆସିବାର
ସୂଚନା ଦେଇ ଦେଲାଣି ।।
ଆଗ ଥର ପରି ଏହି ବର୍ଷ ପୁଣି
ଆସିବେ ମାଁ ନୂଆଁ ରୂପେ
ସବୁଜ ଧରଣୀ ସ୍ବାଗତ କରିବ
ନାନାବିଧ ପୁଷ୍ପ ସାଥେ ।।
ଏ ସାରା ଜଗତ ଚମକି ଉଠିବ
ବହୁ ରଙ୍ଗ ଆଲୁଅରେ
ମହକି ଉଠିବ ଭିନ୍ନ ଭିନ୍ନ ମେଢ଼
ଧୂପ ଚନ୍ଦନ ବାସ୍ନାରେ ।।
ଧର୍ମର ପ୍ରତିଷ୍ଠା କରି ଆଦିମାତା
ପାପ ବିନାଶିବେ ଆସି
ହସି ହସି ମାଆ ମଙ୍ଗଳ କରିବେ
ଭକତ ଗହଣେ ବସି ।।
ଅସତ୍ୟ ଅନ୍ୟାୟ ଅଧର୍ମ ଉପରେ
ସତ୍ୟ ନ୍ୟାୟର ବିଜୟ
ଦୁର୍ଗାଙ୍କ ତ୍ରିଶୂଳ ପ୍ରହାରେ ହୋଇଲା
ମହିଷାସୁର ବିଳୟ ।।
ଆଶ୍ଵିନ ଦଶମୀ ବିଜୟ ପାଳନେ
ପ୍ରଫୁଲ୍ଲିତ ନର ନାରୀ
ଦଶଭୁଜା ଦୁର୍ଗା ଦୁର୍ଗତି ନାଶନ୍ତି
ମହାମାୟୀ ଅବତରି ।।
ଶାରଦୀୟ ନବରାତ୍ର ମହାପୂଜା
ମହା ଆଡ଼ମ୍ବରେ କରି
ସର୍ବ ଭକ୍ତଜନ ମୁକତି ଲଭନ୍ତି
ସଂସାରୁ ଯାଆନ୍ତି ତରି ।।
ଆସ ଆସ ମାଆ ଏ ଧରା ପୃଷ୍ଠକୁ
ଝରାଅ କରୁଣା ବାରି
ସନ୍ତୁଷ୍ଟ ହୁଅ ଗୋ ଏହି ଅକିଞ୍ଚନେ
ମନୋବାଞ୍ଛା ଯାଉ ପୁରି ।।

ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ
ନନ୍ଦଳା, ପୁରୀ

ପଦ୍ମପୁର, ବରଗଡ଼
ମୋ. ୯୪୩୮୨୯୨୩୧୩

Leave a Reply

Your email address will not be published. Required fields are marked *