୫୮ତମ କୁମାର ଉତ୍ସବ ଉଦ୍‌ଯାପିତ

ପୁରୀ,୧୦ା୧୦: ଶ୍ରୀକ୍ଷେତ୍ରର ଅନ୍ୟତମ ପୁରାତନ ଅନୁଷ୍ଠାନ କୁମାର ଉତ୍ସବ ସମିତି ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ତିନିଦିନ ଧରି ଅନୁଷ୍ଠିତ ୫୮ତମ କୁମାର ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୂରଦର୍ଶନର ଉଦ୍‌ଘୋଷିକା କଳ୍ପନା ମିଶ୍ର, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଅନୁଷ୍ଠାନର ଉପସଭାପତି ଅମରେନ୍ଦ୍ର ପାଇକରାୟ, ଉପଦେଷ୍ଟା ମନୋଜ ରଥ ମଞ୍ଚାସୀନ ଥିଲେ। ଏହି ଅବସରରେ ବର୍ଷୀୟାନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ କୁମାର ଉତ୍ସବ ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବା ସହ ଆଧ୍ୟାତ୍ମିକ ପ୍ରବକ୍ତା ବ୍ରଜମୋହନ ଜୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସୁକାନ୍ତ କୁମାର ପଣ୍ଡାଙ୍କ ସମ୍ପାଦିତ ‘ଶିଶୁ ସମାଚାର’ ଲୋକାର୍ପିତ ହୋଇଥିଲା। ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କୃଷ୍ଣମଣି ନୃତ୍ୟ କଳା ମନ୍ଦିର ପକ୍ଷରୁ ଗୁରୁ ମନସ୍ମିତା ସାହୁଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ଉଦ୍‌ଯାପତୀ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସଙ୍ଗୀତର ସୁନେଲୀ ସନ୍ଧ୍ୟାରେ ସ୍ୱନାମଧନ୍ୟା ଗାୟିକା ଇରା ମହାନ୍ତି ଓ ସାଥୀଙ୍କ ଦ୍ୱାରା ପରିବେଷିତ ହୋଇ ଉପସ୍ଥିତ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏଥିସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ସଂଯୋଜନା କମିଟି ଅଧ୍ୟକ୍ଷ ଭରତ ନାୟକ, ମଞ୍ଚ ସଂଯୋଜନା କମିଟି ଅଧ୍ୟକ୍ଷ ଶ୍ୟାମପ୍ରକାଶ ସେନାପତି ଏବଂ ଆର୍‌ଜେ ମଧୁସ୍ମିତା ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *