ଚଇତ୍ର ମଙ୍ଗଳ ବାର

ଚଇତ୍ର ମଙ୍ଗଳ ବାର

ଗୋଲୋକବିହାରୀ ବେହେରା

ଶକ୍ତି ସ୍ୱରୁପିଣୀ ଜଗତ ଜନନୀ
ଦୁଃଖ ନିବାରିଣୀ ମାଆ,
ତୁହି ଯୋଗମାୟା ରୁଦ୍ରାଣୀ ଭୈରବୀ
ଭକତ ଜନର ସାହା।
କାକଟ ପୁରରେ ମାଆ ମଙ୍ଗଳା ତୁ
ଝଙ୍କଡେ ମାଆ ସାରଳା,
ବାଙ୍କୀରେ ଚର୍ଚ୍ଚିକା ପୁରୀରେ ବିମଳା
ତାଳଚେରରେ ହିଙ୍ଗୁଳା।
ସମ୍ବଲପୁରରେ ମାଆ ସମଲେଇ
କଟକେ କଟକ ଚଣ୍ଡୀ,
ବାଣପୁରରେ ମା’ ତୁହି ଭଗବତୀ
କୋଣାରକେ ରାମଚଣ୍ଡୀ।
ଗଞ୍ଜାମ ଜିଲ୍ଲାର ରତନ ଗିରିରେ
ତାରା ତାରିଣୀ ରୂପରେ,
ଘଟଗାଁରେ ମାଆ ତାରିଣୀ ବୋଲାଉ
ପୂଜା ତୋ କେତେ ରୂପରେ।
କାକଟ ପୁରରେ ପ୍ରାଚୀ ନଦୀ ତୀରେ
ମଙ୍ଗଳା ମାଆ ମନ୍ଦିର,
ଚଇତ୍ର ମାସରେ ପୁଣ୍ୟ ଝାମୁ ଯାତ୍ରା
ଦେବୀ ମହିମା ଅପାର।
ଚଇତ୍ର ମାସର ମଙ୍ଗଳ ବାରରେ
ପ୍ରାତଃ ସ୍ନାହାନ ସାରିବ,
ଦାଣ୍ଡର ମଝିରେ ଗାତଟିଏ କରି
ପିଣ୍ଡି ପ୍ରସ୍ତୁତ କରିବ।
ଧୂପ ଦୀପ ଝୁଣା ଘିଅବତୀ ଜାଳି
ସଜାଅ ପଞ୍ଚ ମନ୍ଦାର
ଗାଈ କ୍ଷୀର ମିଶ୍ରି କଦଳୀ ଗୁଡକୁ
ଚକଟି ନୈବେଦ୍ୟ କର।
ମାଆ ମଙ୍ଗଳାଙ୍କୁ ସୁମରଣା କରି
ସାତ ଖିଅ ସୂତା ବଳି,
ମଙ୍ଗଳାଙ୍କ ଦଶ ନାମେ ଦଶ ଗଣ୍ଠି
ମଧ୍ୟାହ୍ନରେ ପୂଜା ପାଳି।
ଭକତଜନଙ୍କ ଦୁଃଖ ଦୂର ପାଇଁ
ଧରାରେ ଅବତରଣ,
ପବିତ୍ର ମନରେ ସେବା ପୂଜା କଲେ
ମନସ୍କାମ ହୁଏ ପୂର୍ଣ୍ଣ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *