ଭଜନ କୀର୍ତ୍ତନ ମାନସିକ ଶାନ୍ତି ଦେଉଛି

ପୁରୀ ୧୭/୧୦ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପ୍ରତି ସଂଧ୍ୟାରେ ପରିବେଷିତ ହେଉଛି ପାଲା,ଦାସକାଠିଆ, ସଂକୀର୍ତ୍ତନ, ଭଜନ ଓ ପ୍ରବଚନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ।ଏହି ଆଧ୍ୟାତ୍ମିକ ଭାବଧାରା ର ସାଂସ୍କୃତିକ କାର୍ଯ୍ୟକ୍ରମ ହବିଷ୍ୟାଳୀ ମା ମାନଙ୍କୁ କେବଳ ମନୋରଞ୍ଜନ ଦେଉନାହିଁ ବରଂ ମାନସିକ ଶାନ୍ତି ପ୍ରଦାନ ରେ ସହାୟକ ହେଉଛି ବୋଲି କହିଛନ୍ତି ହବିଷ୍ୟାଳୀ ମା ମାନେ।ବଲାଙ୍ଗୀର ର ବୀଣାପାଣି ମିଶ୍ର, ଖୋର୍ଦ୍ଧା ର ରଶ୍ମି ପ୍ରିୟା ବାଈ,ଲକ୍ଷ୍ମୀ ଦେଇ,ସୁଷମା ସ୍ବାଇଁ, ଗଞାମ ର ସୁଜ୍ଞାନୀ ସାହୁ,କଟକର ମମତାପ୍ରଭା ରାଉତ, ବୌଦ୍ଧ ର ପୂର୍ଣ୍ଣବାସୀ ସାହୁ ପ୍ରମୁଖ ଙ୍କ ମତରେ ଏହା ଏକ ନିଆରା ଅନୁଭବ।ଆମେ ଘର ଦ୍ବାର ଛାଡି ଆସିଲା ବେଳେ ଆଶଙ୍କା ଥିଲା,ଅଜଣା, ଅଶୁଣା ଲୋକ, ତାଙ୍କ ସହ କେମିତି ମିଶିବୁ, କେମିତି ଚଳିବୁ।ପିଲା ମାନଙ୍କ କଥା ମନେ ପଡିବ।ହେଲେ ଏଠାରେ କଳା ଠାକୁରଙ୍କୁ ଥରେ ଦେଖି ଆଖି ରୁ ଦି ଟୋପା ଲୁହ ଗଡିଗଲା ପରେ ସବୁ ମା ମାନେ ନିଜର ନିଜର ଲାଗିବାକୁ ଲାଗିଲେ।ବୋଧହୁଏ ସେ ଦୁଇ ଟୋପା ଲୁହ ପରିବାର ପ୍ରତି ଥିବା ମୋହ,ଆକର୍ଷଣ କୁ ଧୋଇ ଦେଲା।ହୃଦୟରେ ପିଲା, ପରିବାର ସ୍ଥାନରେ ମହାପ୍ରଭୁ ସ୍ଥାନିତ ହେଲେ।ଦିନ ରାତି ଏଠି କେବଳ ତାଙ୍କରି ଚିନ୍ତା।ଆମେ ଆମ ପାରିବାରିକ ଜଞ୍ଜାଳ ମଧ୍ୟରୁ କେବେ ହେଲେ ଏତେ ଦିନ ପାଇଁ ବାହାରି ମହାପ୍ରଭୁଙ୍କ ଦର୍ଶନ ଲାଗି ଆସି ପାରି ନ ଥାନ୍ତୁ।ତାଙ୍କରି ଡାକରା ରେ ଆସିଛୁ।ଅତି ସୁନ୍ଦର ରେ ଦର୍ଶନ କରୁଛୁ।ହୁଏତ ପରିବାର ସହ ବା ଏକୁଟିଆ ଆସୁଥିଲେ ଏମିତି ଦର୍ଶନ ସମ୍ଭବ ହେଉ ନ ଥାନ୍ତା।ଆମକୁ ସ୍ବତନ୍ତ୍ର ଭାବେ ସ୍ବେଚ୍ଛାସେବୀ ମାନେ ବା ସରକାରୀ କର୍ମଚାରୀ ନେବା ଆଣିବା କରିବା ଆମ ପାଇଁ ସ୍ବପ୍ନ ଓ ଗୌରବ ଲାଗୁଛି ବୋଲି କହନ୍ତି ହବିଷ୍ୟାଳୀ ମା ମାନେ।

ଦିନ ସାରା ହବିଷ୍ୟାଳୀ ବ୍ରତର ପୁରାଣ ପଢିବା, ଶୁଣିବା ପ୍ରତି ଯେଉଁ ନିଷ୍ଠା ଓ ସମର୍ପଣ ତାହା ଆଦୌ ଘରେ ସମ୍ଭବ ନୁହେଁ।ଆମକୁ ଏହି ହବିଷ୍ୟାଳୀ କେନ୍ଦ୍ର ରେ ଯେଉଁ ସୁବିଧା ମିଳୁଛି ତାହା ଅନନ୍ୟ ଓ ଖୁବ ଭଲ।ଆମେ ନାଚୁଛୁ,ଗାଉଛୁ,ସାଙ୍ଗ ସାଥି ବନଉଛୁ।ଏହି ସବୁ ପ୍ରତିଭା ଆମ ଭିତରେ ଲୁଚି ରହିଥିଲା ବୋଲି ଆମେ ବି ଭାବି ପାରୁନୁ।କିନ୍ତୁ ଆମେ ଛୋଟ ପିଲାଙ୍କ ପରି ନିର୍ଭୟ ରେ ଏ ସବୁ କରି ପାରୁଛୁ।କାରଣ ଆମେ ଅନୁଭବ କରୁଛୁ ଆମ ଚାରି ପାଖରେ ସୁରକ୍ଷା ର ବଳୟ ଅଛି।ଆମ ନିଜ ଠାରୁ ଆହୁରି ନିଜର ଦାୟିତ୍ୱ ନେଉଥିବା ଏହି ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ମାନେ ରହୁଛନ୍ତି।ଆମେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଛୁ ତାହା ଆମକୁ ଆନନ୍ଦ ସହ ଅନେକ ଶିକ୍ଷା ଦେଉଛି।ବଞ୍ଚି ଥିବା ଯାଏଁ, ହାତ ଗୋଡ ଚଳୁଥିବା ଯାଏଁ ଚେଷ୍ଟା କରିବୁ ଆସି ହବିଷ୍ୟାଳୀ ବ୍ରତରେ ସାମିଲ ହେବାକୁ,ଆନନ୍ଦ ଓ ଖୁସି ହେବାକୁ ବୋଲି କୋହ ଭରା କଣ୍ଠରେ କହନ୍ତି ହବିଷ୍ୟାଳୀ ମା ମାନେ।

Leave a Reply

Your email address will not be published. Required fields are marked *