ଚେଳିତୋଳ ବାଲିଯାତ୍ରା କୁ ସରକାରୀ ସ୍ଥରରେ ଅଣଦେଖା
ତିର୍ତ୍ତୋଲ:ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଠାରେ ଚଳିତ ବର୍ଷ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଧୀରେ ଧୀରେ ଲୋକମାନଙ୍କୁ ଆକର୍ଷିତ କରୁଛି, ଦ୍ଵିତୀୟ ସନ୍ଧ୍ୟା ଅପେକ୍ଷା ତୃତୀୟ ସନ୍ଧ୍ୟା ରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି | ଅନ୍ୟପକ୍ଷରେ ସରକାରୀ ସ୍ଥରରେ ଏହି ଗଣପର୍ବ କୁ ଅଣଦେଖା କରାଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅତିଥିଗଣ | ଦଳମତ ନିର୍ବିଶେଷରେ ସମସ୍ତେ ମିଳିତ ହୋଇ ସରକାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ | ଚେଳିତୋଳ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ଅରିନ୍ଦମ ସର୍ଖେଲ, ସଂମ୍ମାନୀୟ ଅତିଥିଭାବେ ସମାଜସେବୀ ରବିନାରାୟଣ ସାହୁ, ଅନ୍ତର୍ଯ୍ୟାମୀ ରାଉତ, ବିରିଡି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ, ରଘୁନାଥପୁର ବ୍ଲକ ଅଧକ୍ଷା

ଲକ୍ଷ୍ମୀପ୍ରିୟା ବେହେରା,ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବି ନାରାୟଣ ଜେନା, ଜିଲ୍ଲାପରିଷଦ ସଭ୍ୟା ରୀନାରାଣୀ ମଲ୍ଲିକ, ପୂର୍ବତନ ବ୍ଲକ ଅଧକ୍ଷ ରଘୁନାଥପୁର ରଜତ କୁମାର ପାତ୍ର,ଶାନ୍ତିଲତା ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ହୋଇ ନୌବାଣିଜ୍ୟ ଏବଂ ଚେଳିତୋଳ ବାଲିଯାତ୍ରା ର ଅତୀତ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ | ପ୍ରକାଶ ମଲ୍ଲିକ ଅତିଥି ପରିଚୟ ପ୍ରଦାନ ଏବଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ସର୍ଖେଲ ତିର୍ତ୍ତୋଲ ର ଏହି ଗଣପର୍ବ କୁ ସରକାରୀ ଅନୁଦାନ ର ଆବଶ୍ୟକତା ଅଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ | ଏହି ଅବସରରେ ରଘୁନାଥପୁର ଏବଂ ବିରିଡି ବ୍ଲକ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
