ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ

ପୁରୀ ତା -୧୮/୨ ଶିକ୍ଷା ସମାଜ କୁ ଶୃଙ୍ଖଳିତ ଓ ସମୃଦ୍ଧ କରିଥାଏ।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପ୍ରତି ଅଧିକ ଉତ୍ତରଦାୟୀ ଓ ସମର୍ପଣ ଭାବ ସୃଷ୍ଟି କରିବ ବୋଲି କହିଛନ୍ତି କ୍ରୀଡା ଓ ଯୁବ ସେବା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା।ଆଜି ପୁରୀ ଜିଲ୍ଲା ଭୋଳାନାଥ ବିଦ୍ୟାପୀଠ ଠାରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ୫ -ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ଶ୍ରୀ ବେହେରା ଏପରି କାର୍ଯ୍ୟକ୍ରମ ଦ୍ବାରା ଆଗାମୀ ପୀଢ଼ି ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସାହିତ ହେବା ସହ ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ ଆଲୁମିନି କମିଟିର ସଭ୍ୟସଭ୍ୟା ମାନେ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମି ଓ ଉନ୍ନତି ପାଇଁ ଅଧିକ ଯତ୍ନବାନ ହୋଇପାରିବେ ବୋଲି କହିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବପ୍ନାରାଣୀ ସ୍ବାଇଁ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ , ପୁରୀ ର ଅଧ୍ୟକ୍ଷ ସଂତୋଷ କୁମାର ପରିଡ଼ା ଯୋଗଦାନ କରି ଏହି ପୁରସ୍କାର ବ୍ୟବସ୍ଥା ଦ୍ବାରା ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ପାଇଁ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।

ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ନିଷ୍ଠା ଓ ଆଗ୍ରହ ର ସହ ଅଧିକ ପରିଶ୍ରମ କଲେ ନିଶ୍ଚିତ ନିଜର, ସମାଜର,ଦେଶ ଓ ସମଗ୍ର ବିଶ୍ୱର ଉନ୍ନତି ସାଧିତ ହୋଇପାରିବ ବୋଲି କହିଥିଲେ ।ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ବଜିତ ଘୋଷ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ସମାହିତ ହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷା ବିଭାଗ ଓ ଗ୍ରାମପଞ୍ଚାୟତରୁ ୧୧ ଗୋଟି ବ୍ଲକର ୧୧ ଟି ଗ୍ରାମପଞ୍ଚାୟତ ପୁରସ୍କାର, ୧୩୦ ଟି ଜିଲ୍ଲା ସ୍ତରୀୟ ଛାତ୍ର ଏକାଡେମୀକ୍ ପୁରସ୍କାର , ୧୧୧୨ ଗୋଟି ବ୍ଲକ୍ ସ୍ତରୀୟ ଏକାଡେମୀକ୍ ପୁରସ୍କାର , ୬୩୯ ଟି ଛାତ୍ର ଲିଡରସିପ୍ ପୁରସ୍କାର ପ୍ରଦାନ କରାଯିବା ସହ ୩୩ଟି ଉଚ୍ଚ ବିଦ୍ୟାଳୟ , ୩୦ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,‌ ୫ ଟି ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ , ୧୧ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,୧୧ ଟି ବିଦ୍ୟାଳୟ ପରିଚାଳନା କମିଟି ଓ ୧୧ ଟି ଆଲୁମିନି କମିଟି କୁ ମିଶାଇ ମୋଟ ୨୦୦୨ ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ, ଜିଲ୍ଲା ବିଦ୍ୟାଳୟ କ୍ରୀଡାଧିକରୀ ମହେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ନାରାୟଣ ମହାନ୍ତି, ଅର୍ଥ ପରାମର୍ଶଦାତ୍ତା , ଡି ପି ସି ବିଚିତ୍ରାନନ୍ଦ ଜେନା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତାପସ ପ୍ରିୟଦର୍ଶନ, ଜିଲ୍ଲା ମୋ ସ୍କୁଲ୍ ସଂଯୋଜକ ସନ୍ତୋଷ କୁମାର ଚୌଧୁରୀ, ପୁରୀ ସଦର ବିଇଓ ପ୍ରମୋଦ କୁମାର କର ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ପୁରୀ ସହରସ୍ଥିତ ବିଭିନ୍ନ ବିଦ୍ୟାଳୟର କୁନି କୁନି ପ୍ରତିଭା ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟିତ୍ରୀ ଅଳକାନନ୍ଦା ଓ ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଏଡିଇଓ ମମତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *