ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା “ସାଧନା ସପ୍ତାହ-୨୦୨୬” କାର୍ଯ୍ୟକ୍ରମର ଶୁଭାରମ୍ଭ•
ଭୁବନେଶ୍ୱର ତା-୦୨.୦୪ .୨୦୨୬ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ମିଶନ କର୍ମଯୋଗୀ ଦୃଷ୍ଟିକୋଣ ସହିତ ସଂଯୋଜିତ ଦେଶବ୍ୟାପୀ ନିଆଯାଇଥିବା ପ୍ରଶିକ୍ଷଣ ପଦକ୍ଷେପ “ସାଧନା ସପ୍ତାହ -୨୦୨୬” ଆଜି ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଲୋକ ସେବା ଭବନସ୍ଥିତ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମୁଖ୍ୟ ଶାସନ ସଚିବ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଦକ୍ଷତା ବିକାଶ, ଶିକ୍ଷା ଓ ଶାସନ ପରିଚାଳନାରେ ଉତ୍କର୍ଷ ହାସଲ ପାଇଁ ଏହି ପ୍ରଶିକ୍ଷଣ ବିଶେଷ ସହାୟକ ହେବ । ଏପ୍ରିଲ ୨ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବାକୁ ଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଅଭିଯାନକୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ଦ୍ୱାରା ସମନ୍ୱୟ ଓ ତଦାରଖ କରାଯାଉଛି । କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ସହିତ ଆଇ-ଜିଓଟି ପ୍ଲାଟଫର୍ମ ସହିତ ଏହା ସଂଯୋଜିତ କରାଯାଇଛି । ଯାହାର ଅର୍ଥ କର୍ମଯୋଗୀ ହେବା ପାଇଁ ନିରନ୍ତର ଓ ନିୟମିତ ସାଧନାର ମୂଲ୍ୟବୋଧକୁ ବୁଝାଉଛି । ପ୍ରଶିକ୍ଷଣଗୁଡ଼ିକରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପାଠ୍ୟକ୍ରମ ସଂକଳିତ ହୋଇଛି । ସାଧନା ସପ୍ତାହ ଭାରତ ସରକାରଙ୍କ କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ( ଡିଓପିଟି) ଦ୍ୱାରା ଦକ୍ଷତା ବୃଦ୍ଧି ଆୟୋଗ( ସିବିସି) ଓ କର୍ମଯୋଗୀ ଭାରତ ( କେବି) ମାଧ୍ୟମରେ ପରିଚାଳିତ ଏକ ଜାତୀୟ ଉଦ୍ୟମର ଅଂଶ ବିଶେଷ, ଯାହା ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ, ନିରନ୍ତର ଶିକ୍ଷା ପ୍ରୋତ୍ସାହିତ କରିବା ଏବଂ ସମଗ୍ର ରାଜ୍ୟ ଓ ବିଭାଗଗୁଡିକ ନାଗରିକ କୈନ୍ଦ୍ରିକ ଶାସନ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏହି ପଦକ୍ଷେପର କେନ୍ଦ୍ରବିନ୍ଦୁରେ ଆଇ-ଜିଓଟି କର୍ମଯୋଗୀ ମଞ୍ଚ ରହିଛି, ଯାହା ସରକାରୀ କର୍ମଚାରୀଙ୍କୁ ଏକ ସଂରଚିତ, ସ୍ୱୟଂ-ଗତିଶୀଳ ଡିଜିଟାଲ୍ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେଇଥାଏ । ଆଇ-ଜିଓଟି ରେ ଓଡ଼ିଆ ଭାଷାରେ ପାଠ୍ୟକ୍ରମ ମାନ ମଧ୍ୟ ଉପଲବ୍ଧ ରହିଛି । ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ଅତି କମ୍ ରେ ଚାରି ଘଣ୍ଟାର ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ଉତ୍ସାହିତ କରାଯାଇଛି । ବିଶେଷ ଗୁରୁତ୍ୱ ଦିଆଯାଇଥିବା କ୍ଷେତ୍ରଗୁଡିକ ମଧ୍ୟରେ କର୍ମଚାରୀଙ୍କୁ ଅତି କମରେ ଗୋଟିଏ କୃତ୍ତିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) “ଦକ୍ଷ” ପାଠ୍ୟକ୍ରମ ଶେଷ କରିବାକୁ ହେବ, ଯଦ୍ୱାରା ସେମାନେ ଏଆଇ ଦକ୍ଷ ବ୍ୟାଚ୍ ପାଇବା ସହିତ ଏହି କୋର୍ସ ସମାପ୍ତିର ସ୍ୱୀକୃତି ପାଇପାରିବେ ।

ମିଶନ କର୍ମଯୋଗୀ ପ୍ଲାଟଫର୍ମରେ ଉପଲବ୍ଧ ଥିବା ଅତି ଅତି କମରେ ଗୋଟିଏ ମାର୍କେଟପ୍ଲେସ୍ କୋର୍ସ ସମାପ୍ତ କରି ‘କର୍ମଯୋଗୀ ଉତ୍କର୍ଷ’ ପ୍ରମାଣପତ୍ର ହାସଲ କରିବାକୁ ପରାମର୍ଶ ଦିଆଯାଇଛି । ସରକାରୀ ବିଷୟ ଭିତ୍ତିକ ପ୍ରସଙ୍ଗରେ ସାମୁହିକ ଚର୍ଚ୍ଚା ବା ଦଳଗତ ଆଲୋଚନା ଅଥବା ୱେବିନାର୍ ରେ ଅଂଶଗ୍ରହଣକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମିଶ୍ର ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ସଂସ୍ଥାମାନଙ୍କ ଦ୍ୱାରା କ୍ଷମତା-ବୃଦ୍ଧି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆଇ-ଜିଓଟି ଡିଜିଟାଲ୍ ପ୍ଲାଟଫର୍ମର ଗୁରୁତ୍ୱକୁ ଉପଲବ୍ଧି କରି ଏହା ସରକାରୀ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଶିକ୍ଷା, ଅଭିନବତ୍ୱ ଓ କାର୍ଯ୍ୟଦକ୍ଷତା-ଆଧାରିତ ଦକ୍ଷତା ବିକାଶ ସଂସ୍କୃତିକୁ ପ୍ରୋତ୍ସାହିତ କରିବ ବୋଲି ପ୍ରକାଶ କରିବା ସହ ଏହାର ସୁଯୋଗ ନେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ସହିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ସପ୍ତାହରେ ରାଜ୍ୟରେ ଆଇ-ଜିଓଟି ପ୍ଲାଟଫର୍ମରେ କର୍ମଚାରୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଉଲ୍କେଖନୀୟ ଭାବେ ବୃଦ୍ଧି କରିବା ଲକ୍ଷ୍ୟ ରହିଛି । କର୍ମଚାରୀମାନଙ୍କ ଦ୍ୱାରା ଅଧିକ ପାଠ୍ୟକ୍ରମ(କୋର୍ସ) ସମ୍ପୂର୍ଣ୍ଣ ହେବାର ହାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଅଧିକ ପାଠ୍ୟକ୍ରମ ଶେଷ କରିବା ପାଇଁ ନିୟୋଜିତ ହେବା ଆଶା କରାଯାଇଛି । ସମସ୍ତ ବିଭାଗ ଏବଂ ପ୍ରଶିକ୍ଷଣ ସଂସ୍ଥାଗୁଡିକୁ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ସୋସିଆଲ୍ ମିଡିଆରେ ତାଙ୍କର ସଫଳତାଗୁଡିକୁ #OdishaSADHANASaptah2026 ହ୍ୟାସଟାଗ୍ ବ୍ୟବହାର କରି ସେୟାର କରିବାକୁ ପ୍ରୋତ୍ସାହିତ କରାଯାଇଛି । ସାଧନ ସପ୍ତାହ – ୨୦୨୬ ଓଡିଶାକୁ ଏକ କୁଶଳୀ, ଡିଜିଟାଲ ସଶକ୍ତ ଏବଂ ନାଗରିକମୁଖୀ ପ୍ରଶାସନିକ ପରିବେଶ ଗଢ଼ିବାକୁ ଓଡିଶାର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରୁଛି ।
