ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ ଏବଂ ଓଡ଼ିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଆଲୋଚନା ଜନଜାତି ସମୁଦାୟଙ୍କ ସଶକ୍ତିକରଣ ଏବଂ ଯୁବଶକ୍ତିଙ୍କ ପାଇଁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣକୁ ଗୁରୁତ୍ୱ ଭୁବନେଶ୍ୱର: ତା-୦୫.୦୧.୨୦୨୬ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର ସୁବ୍ରମନ୍ୟମଙ୍କ ସହିତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟର ବିଭିନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୀତି ଆୟୋଗର ଅନ୍ୟତମ ପଦସ୍ଥ ଅଧିକାରୀ ଶ୍ରୀ ଏସ୍. କିଶୋର ଉପସ୍ଥିତ ଥିବା ବେଳେ ନୀତି ଆୟୋଗର ଅନ୍ୟ ଅଧିକାରୀ ଓ ବିଶେଷଜ୍ଞମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ଲକ୍ଷ୍ୟ ରଖି ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସଂପର୍କରେ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ, ଓଡ଼ିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଆଲୋଚନା ହୋଇଥିଲା । ଓଡ଼ିଶା ଭିଜନ ଅନ୍ତର୍ଗତ ଭୁବନେଶ୍ୱର–କଟକ-ପୁରୀ–ପାରାଦୀପ–କଟକ ଆର୍ଥିକ ଅଞ୍ଚଳ (ବିସିପିପିଇଆର) ର ବିକାଶ ସମ୍ପର୍କରେ ଆଲୋଚନା କରାଯାଇ, ଏହି ଅଞ୍ଚଳକୁ ଏକ ସଂଯୁକ୍ତ ଆର୍ଥିକ ଓ ସହରୀକରଣ ବିକାଶ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଏଥି ସମ୍ପର୍କିତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜନଜାତି ସମୁଦାୟଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ଶାଳମଞ୍ଜି ଭଳି ବନଜାତ ଦ୍ରବ୍ୟର ମୁଲ୍ୟଯୁକ୍ତ ପ୍ରକ୍ରିୟାକରଣ ଉପରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଯୁବଶକ୍ତିଙ୍କୁ ଆଧୁନିକ ଶିଳ୍ପ ଓ ସେବାଭିତ୍ତିକ କ୍ଷେତ୍ରରେ ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି ।

ଶକ୍ତି କ୍ଷେତ୍ରରେ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ସ୍ୱଚ୍ଛ ଓ ସୁସ୍ଥାୟୀ ଉର୍ଜା ବ୍ୟବହାର ପାଇଁ କାର୍ଯ୍ୟ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । କମ୍ ଖର୍ଚ୍ଚରେ, ଦୀର୍ଘ ସ୍ଥାୟୀ ଓ ସ୍ୱଚ୍ଛ ଉର୍ଜା ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ପୂର୍ବରୁ ଏ ସଂପର୍କରେ ନୀତି ଆୟୋଗ ଏବଂ ଆଇଏସଇଜି ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇ ତଦନୁସାରେ କାର୍ଯ୍ୟ ଜାରି ରହିଛି । ସେ ସଂପର୍କରେ ଫାଉଣ୍ଡେସନ ପକ୍ଷରୁ ପର୍ଯ୍ୟବେକ୍ଷଣ ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ନୀତି ଫ୍ରଣ୍ଟିଅର୍ ଟେକ୍ ହବ୍ ମାଧ୍ୟମରେ ନୂତନ ପ୍ରଯୁକ୍ତି, ଗବେଷଣା ଓ ନବ ସୃଜନକୁ ସଂଯୋଜିତ କରି ଦେଶର ନିରନ୍ତର ପ୍ରଗତିକୁ ତ୍ୱରାନ୍ୱିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ଲିଭିଂ ଲ୍ୟାବ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରାଯାଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟିର ନିରାକରଣ ଓ ପୋଷଣ ପାଇଁ ବ୍ୟବହାରିକ ଅନ୍ତର୍ଦୃଷ୍ଟି ଦ୍ୱାରା ବିଭିନ୍ନ ପ୍ରୟୋଗାତ୍ମକ ପଦକ୍ଷେପ ଉପରେ ଏକ ବିଶେଷ ଉପସ୍ଥାପନ କରାଯାଇଥିଲା, ଯାହାକି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ । ସୁଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ନବ ସୃଜନକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ କରି ଓଡ଼ିଶାକୁ ଏକ ସୁସ୍ଥାୟୀ, ସମାବେଶୀ ଓ ନବସୃଜନ ଆଧାରରେ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ନେଇ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା । ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ, ଇଲେକ୍ଟ୍ରୋନିକ ଓ ଆଇଟି, ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ବିଦ୍ୟା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ତଥା ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା, ଗୃହ ନିର୍ମାଣ , ବାଣିଜ୍ୟ ଓ ପରିବହନ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଯୋଜନା ଓ ସଂଯୋଜନ ଆଦି ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲାଚନାରେ ଅଂଶଗ୍ରହଣ କରିଥିଲେ ।
