ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ସ୍ଥିତି ସମୀକ୍ଷା ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ୧୩.୦୧.୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏବଂ ନିର୍ମାଣାଧିନ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ରାଜ୍ୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍.ଏନ୍ଗିରୀଶ ଙ୍କ ସମେତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସହକାରୀ ସର୍ବୋଚ୍ଚ ଯନ୍ତ୍ରୀ, ବିଭିନ୍ନ ଜିଲ୍ଲାରୁ ମୁଖ୍ୟ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପରେ କିଛି ଅଂଚଳକୁ ଜଳ ଯୋଗାଣ ନେଇ ରହୁଥିବା ସମସ୍ୟାର ସମାଧାନ କରିବା, ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକର ଶୀଘ୍ର ସଂପୂର୍ଣ୍ଣ କରିବା ନେଇ ଯେଉଁ ଯେଉଁ ସମସ୍ୟା ରହିଛି, ସେସବୁକୁ ଦୃଷ୍ଟି ଦେଇ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଛନ୍ତି । ବୈଠକରୁ ଜଣାଯାଇଛି ଯେ ରାଜ୍ୟରେ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏକକ ଗ୍ରାମ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ବ୍ୟବସ୍ଥାରେ ୧୮,୨୩୩ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୮୭୨ ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି । ସୋଲାର ପ୍ରକଳ୍ପରେ ଟ୍ୟୁବ୍ ଓ୍ୱେଲ ସଂଯୋଗୀକୃତ ବ୍ୟବସ୍ଥାରେ ୬୪୩୫ ପ୍ରକଳ୍ପ ସରିଥିବା ବେଳେ ୨୧୮୯ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି । ରାଜ୍ୟରେ ଜଳ ଜୀବନ ମିଶନ, ବସୁଧା, ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି, ଓମ୍ବାଡସି, ଡିଏମ.ଏଫ୍, ଏସ.ଏଫ.ସି ରେ ଅନୁମୋଦିତ ମୋଟ ୨୦୭ ଟି ମେଗା ପ୍ରକଳ୍ପ ମଧ୍ୟରୁ ୨୬ ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ୧୮୧ ଟି ନିର୍ମାଣାଧିନ ରହିଛି । ବୈଠକରେ ୫୦ ପ୍ରତିଶତରୁ ଅଧିକ ଶେଷ ହୋଇଥିବା ୧୩୪ ଟି ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ବିଭିନ୍ନ ପ୍ରକଳ୍ପ ସଂପୂର୍ଣ୍ଣ କରିବା ନେଇ କେଉଁ କାରଣରୁ କାର୍ଯ୍ୟ ବିଳମ୍ବିତ ହେଉଛି, ସେ ସଂପର୍କରେ ବିଭାଗୀୟ ସଚିବ ଏବଂ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟ ସଚିବ ବିସ୍ତୃତ ସମୀକ୍ଷା କରିଥିଲେ । ତନ୍ମଧ୍ୟରେ ସର୍ବାଧିକ କାର୍ଯ୍ୟାନ୍ୱୟନ ସ୍ଥିତିରେ ଥିବା ରାୟଗଡା ଜିଲ୍ଲାର ୧୫ଟି ମେଗା ପ୍ରକଳ୍ପ, ମୟୂରଭଂଜ ଜିଲ୍ଲାର ୧୧ ଟି , ସୁନ୍ଦରଗଡ଼ ଜିଲ୍ଲାର ୧୦ ଟି ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଥିଲା । ସେହିପରି ଅନ୍ୟ ସମସ୍ତ ଜିଲ୍ଲାରେ ନିର୍ମାଣାଧିନ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରାଯାଇ ପ୍ରକଳ୍ପ ଶେଷ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିୟମିତ ଆନ୍ତଃ ବିଭାଗୀୟ ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ପ୍ରକାଶ କରିଥିଲେ ।
