ଶକ୍ତି କ୍ଷେତ୍ରର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ

ଭୁବନେଶ୍ୱର ତା- ୧୦ .୦୧ .୨୦୨୫ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ ଆଜି ଶକ୍ତି ବିଭାଗ ଏବଂ ଏହି କ୍ଷେତ୍ରର ସରକାରୀ ଉଦ୍ୟୋଗର କାର୍ଯ୍ୟ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ଶକ୍ତି ବିଭାଗ ସମ୍ପର୍କିତ ପ୍ରଥମ ସମୀକ୍ଷା ବୈଠକ ଥିଲା। ରାଜ୍ୟବାସୀଙ୍କୁ ସୁଲଭ, ନିରବିଚ୍ଛିନ୍ନ, ବିଶ୍ୱସନୀୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଓପିଟିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମା, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ. ସତ୍ୟପ୍ରିୟ ରଥ, ଓପିଜିସିର ପରିଚାଳନା ନିର୍ଦ୍ଦେଶର ଶ୍ରୀ କେଦାରଞ୍ଜନ ପାଣ୍ଡୁ, ସମସ୍ତ ଚାରିଟି ବିଦ୍ୟୁତ ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶକ୍ତି କ୍ଷେତ୍ରର ବିଭିନ୍ନ ସରକାରୀ ଉଦ୍ୟୋଗ ଗୁଡ଼ିକର ନିର୍ଦ୍ଦେଶକ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଦ୍ୟୁତ କ୍ଷେତ୍ରର ସାମଗ୍ରିକ କାର୍ଯ୍ୟଦକ୍ଷତା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏଥିରେ ବିଦ୍ୟୁତ ଉତ୍ପାଦନ, ବିତରଣ, ବିଦ୍ୟୁତ ସଂଗ୍ରହ, ଢାଞ୍ଚାଗତ ବିକାଶ, ନବି କରଣଯୋଗ୍ୟ ଉର୍ଜାର ସମନ୍ୱୟ ଏବଂ ଜନକୈନ୍ଦ୍ରିକ ସେବାଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ଚାଲୁଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସହିତ ସଂପୃକ୍ତ ସଂସ୍ଥାମାନଙ୍କର ପ୍ରମୁଖ ପରିଚାଳନାତ୍ମକ ଓ ଆର୍ଥିକ ଦିଗ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଦ୍ୟୁତ ସଂସ୍ଥାଗୁଡ଼ିୁକୁ ଶକ୍ତି ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ନିରନ୍ତରତା ବଜାୟ ରଖି ରାଜ୍ୟବାସୀଙ୍କୁ ସୁଲଭ, ନିରବିଚ୍ଛିନ୍ନ, ବିଶ୍ୱସନୀୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ସେ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗ ଓ ସରକାରୀ ଉଦ୍ୟୋଗମାନଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଶକ୍ତି କ୍ଷେତ୍ରରେ ଜନକୈନ୍ଦ୍ରିକ ସେବା ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ବିଦ୍ୟୁତ ସଂସ୍ଥାମାନଙ୍କୁ ‘ସମୃଦ୍ଧ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ସାଧନ ପାଇଁ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଓ ସଂସ୍କାରମୂଳକ ପଦକ୍ଷେପ ଆଧାରରେ ସେମାନଙ୍କର କାର୍ଯ୍ୟଯୋଜନାକୁ ସମନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ ରାଜ୍ୟର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସପି) ଏବଂ ଫ୍ଲୋଟିଂ ସୋଲାର୍ ଫୋଟୋଭୋଲ୍ଟାଇକ୍ (ଏଫ୍ଏସପିଭି) ର ସମ୍ଭାବନାର ସଦୁପୋଯୋଗ କରିବା ଏବଂ ଏହିପରି ସମସ୍ତ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ସଚିବ ମଧ୍ୟ ବିଷ୍ଣୁପୁର ନିକଟରେ ୭୬୫/୪୦୦ କେଭି ସବ୍‌ଷ୍ଟେସନ୍ ସହ ସଂଲଗ୍ନ ପରିବହନ ଲାଇନ୍‌ଗୁଡ଼ିକ ସମେତ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ପରିବହନ ଢାଞ୍ଚାର ଦ୍ରୁତ ଉନ୍ନତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ, ଯାହା ରାଜ୍ୟର ରାଜଧାନୀ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ସୁଦୃଢ଼ କରିବ । ସେ ମଧ୍ୟ ରାଜ୍ୟରେ ବିଦ୍ୟୁତ ପରିବହନ ହାନିକୁ ଆହୁରି କମାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମଧ୍ୟ ନିରବଚ୍ଛିନ୍ନ ଓ ନିଶ୍ଚିତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ରାଜଧାନୀ ଅଞ୍ଚଳ ସମେତ କେନ୍ଦୁଝର, ଝାରସୁଗୁଡ଼ା–ସମ୍ବଲପୁର ଅଞ୍ଚଳ, ବରଗଡ଼–ସାରସମାଲ ଅଞ୍ଚଳ, ଥେରୁବାଲି–ଜୟପୁର ଅଞ୍ଚଳ ଏବଂ ବ୍ରହ୍ମପୁର–ବାଲିଗୁଡ଼ା ଅଞ୍ଚଳରେ ୨୨୦ କେଭି ରିଂ ନେଟୱାର୍କ ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ସାରା ରାଜ୍ୟରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପଗୁଡ଼ିକୁ ନିକଟକୁ ନିରୀକ୍ଷଣ କରିବା ପାଇଁ ବିଦ୍ୟୁତ୍ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ ମଧ୍ୟ ବିଦ୍ୟୁତ୍ କ୍ଷେତ୍ରରେ ସୂଚନା ପ୍ରସାରଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସିଷ୍ଟମ ଅଟୋମେସନ ଓ ନିରୀକ୍ଷଣ ସମ୍ପର୍କିତ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଆସନ୍ତା ଏକ ବର୍ଷ ମଧ୍ୟରେ ସବ୍ ଷ୍ଟେସନ ଅଟୋମେସନ ଓ ମନିଟରିଂ ସିଷ୍ଟମ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ସବ୍‌ଷ୍ଟେସନ୍‌କୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସ୍ତାବିତ ହଟ୍‌ଲାଇନ୍ ମେଣ୍ଟେନାନ୍ସ ପଦକ୍ଷେପଗୁଡ଼ିକୁ ସେ ସ୍ୱାଗତ କରିଥିବା ସହିତ ସମସ୍ତ ସୁରକ୍ଷା ନିୟମାବଳୀକୁ କଢ଼ାକଡ଼ି ଅନୁସରଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସେ ପ୍ରମୁଖ ବିଦ୍ୟୁତ୍ କ୍ଷେତ୍ର ପ୍ରକଳ୍ପଗୁଡ଼ିକୁ ପିଏମ୍ ଗତିଶକ୍ତି ଅଧୀନରେ ଉପଯୁକ୍ତ ଭାବରେ ପ୍ରତିଫଳିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ଗ୍ରହଣ କରାଯାଉଥିବା ସକ୍ରିୟ ପଦକ୍ଷେପଗୁଡ଼ିକ ସଂପର୍କରେ ପ୍ରଶଂସା କରିଥିଲେ। ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେବ ବିଦ୍ୟୁତ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ସଂସ୍କାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଶକ୍ତି ବିଭାଗ ସମସ୍ତ ବିଦ୍ୟୁତ ସଂସ୍ଥାମାନଙ୍କ ସହ ସୁସମନ୍ୱୟ ରକ୍ଷା କାର୍ଯ୍ୟ କରି ବିଦ୍ୟୁତ୍ ପରିବହନ ଓ ବିତରଣ ଢାଞ୍ଚାକୁ ସୁଦୃଢ଼ କରିବା, ପରିଚାଳନାତ୍ମକ କ୍ଷମତା ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଇଁ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛି । ସେ ନିରନ୍ତର ଓ ପ୍ରଯୁକ୍ତିଭିତ୍ତିକ ପ୍ରୟୋଗ ମାଧ୍ୟମରେ ରାଜ୍ୟର ଦୀର୍ଘକାଳୀନ ଉର୍ଜା ଲକ୍ଷ୍ୟ ସାଧନ ପ୍ରତି ବିଭାଗର ଦୃଢ଼ ପ୍ରତିବଦ୍ଧତା ରହିଥିବା ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ରାଜ୍ୟର କ୍ରମାଗତ ବୃଦ୍ଧି ପାଉଥିବା ବିଦ୍ୟୁତ ଚାହିଦା ପୂରଣ ପାଇଁ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଭବିଷ୍ୟତ ରଣନୀତି ସମ୍ପର୍କରେ ନିଜର ମତାମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *