ବାଲ୍ଯ ବିବାହ ମୁକ୍ତ ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ବାଲ୍ଯ ବିବାହ ମୁକ୍ତ ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ପ୍ରକାଶ କୁମାର ପାତ୍ର
କାମାକ୍ଷାନଗର ୨୮.୧୧.୨୦୨୫- -ଭାରତବର୍ଷରେ ବାଲ୍ଯ ବିବାହ ମୁକ୍ତ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟର ଆଜି ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଆସୋସିଏସନ୍ ଫର୍ ଭଲ୍ୟୁଣ୍ଟାରୀ ଆକ୍ସନ୍ (ଆଭା)ର ମିଳିତ ସହଯୋଗରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ଯୋଗଦେଇ କଙ୍କଡ଼ାହାଡ଼ ବ୍ଲକ୍ ବାଲ୍ୟ ବିବାହ ମୁକ୍ତ ହୋଇ ପାରିଛି ବୋଲି ପ୍ରକାଶ କରି ଥିଲେ ।ଏହି ଧାରା ଆଗାମୀ ଦିନରେ ଯେପରି ବଳବତ୍ତର ରହିବ ସେଥିପ୍ରତି ଯନବାନ ରହିବାକୁ କହିଥିଲେ । ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସି.ଡ଼ି.ପି.ଓ.ମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ଫଳବତୀ ହୋଇପାଇଛି ବୋଲି କହି ଅନ୍ୟ ବ୍ଲକ୍ ର କର୍ମୀ ମାନେ ଉତ୍ସାହ ଓ ନିଷ୍ଠାର ସହିତ କାମ କରିବାକୁ କହିଥିଲେ । ଶିଶୁମାନଙ୍କ ପୁଷ୍ଟି ସାଧନ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେବା ସହିତ ଝିଅମାନେ ଯେପରି ସ୍କୁଲରୁ ଡ୍ରପ ଆଉଟ ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ୱାରୋପ କରିିଥିଲେ । ତୃଣମୂଳ ସ୍ତରରେ ଘରେ ଘରେ ବାଲ୍ଯ ବିବାହ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ ସଚ଼େତନ କରାଇପାରିଲେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ବାଲ୍ୟ ବିବାହ ସଂପର୍କିତ ଏକ ସଚେତନତା ବାର୍ତ୍ତାକୁ ଉନ୍ମୋଚ଼ନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ୍ ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଦାରିଦ୍ର୍ୟ ଓ ଶିକ୍ଷାର ଅଭାବ ଯୋଗୁଁ ଏପରି ବାଲ୍ୟ ବିବାହ ହେଉଥିବା କହିଥିଲେ ।ତୃଣମୂଳ ସ୍ତରରୁ ବିବାହ ପ୍ରାରମ୍ଭରୁ ଏହାକୁ ରୋକିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସୁଷମା ପ୍ରଧାନ, ସି.ଡ଼ବ୍ଲ୍ୟୁ.ସି. ର ଚେୟାରମ୍ୟାନ ଶ୍ରୀ ପୁଷ୍ପକ ତ୍ରିପାଠୀ, ଡ଼ି.ସି.ପି. ୟୁ.ର ଲେଗାଲ ପ୍ରୋବେସନ ଅଫିସର ଶ୍ରୀ ପ୍ରଦୀପ ସାହୁ, କଙ୍କଡ଼ାହାଡ଼ ବ୍ଳକ୍ ର ବି.ଡ଼ି.ଓ. ଶ୍ରୀ ଯଶୋବନ୍ତ ଦେହୁରୀ, ଭୁବନ ବି.ଡ଼ି.ଓ. ଆୟୁଷୀ ମହାପାତ୍ର, ପରଜଙ୍ଗ ବି.ଡ଼ି. ଓ. ସୌଭାଗ୍ୟ ବେହେରା ଯୋଗ ଦେଇ ବାଲ୍ଯ ବିବାହ ଦ୍ଵାରା ଝିଅମାନେ କିଭଳି ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିଭଳି ସେମାନଙ୍କର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହାର ନିରାକରଣ ଦିଗରେ ଆଶା, ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ସରପଞ୍ଚ, ସି.ଡ଼ି.ପି. ଓ., ଶିକ୍ଷକମାନେ ଓ ସର୍ବୋପରି ଅଭିଭାବକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହି ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିି ୨୦୨୮ସୁଦ୍ଧା ଢ଼େଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲାରେ ପରିଣତ କରାଯିବାର ଲକ୍ଷ୍ୟ ରହିଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟନାରାୟଣ କର ସଂଯୋଜନା କରିଥିଲେ । କର୍ମଶାଳାରେ ସମସ୍ତ ବ୍ଲକର ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ସି.ଡ଼ି.ପି.ଓ. ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *