ବଡ଼ଦିନ

   🖊️କବିରତ୍ନ ନୂତନ କୁମାର ବେହେରା

ବଡ଼ଦିନ ଡିସେମ୍ବର ମାସ ପଚିଶ ତାରିଖ
ମହାତ୍ମା ଯୀଶୁଙ୍କର ଅଟେ ଶୁଭ ଜନ୍ମଦିନ
ତାଙ୍କ ସମର୍ଥକ ବିଶ୍ଵ ଯାକ କରନ୍ତି ପାଳନ
ନିର୍ମଳ ହୃଦୟେ ପବିତ୍ର ପ୍ରାଣରେ ବଡ଼ କରି ମନ
ଶୁଭ ମନାସନ୍ତି ସୁଖେ କାଟିବାକୁ ଜୀବନ
ପରମ ପୁରୁଷ ସେ ବନ୍ଧନମୁକ୍ତ ଆତ୍ମା
ଦେବଦୂତ ହୋଇ ଆସିଥିଲେ ଏ ଧରାଧାମ
ଅଜ୍ଞାନ ମାନବକୁ ଦେବାକୁ ସତ୍ୟଜ୍ଞାନ
କରି ବହୁ ଅସାଧ୍ୟ ସାଧନ ଅରଜିଲେ ସୁନାମ
“ବାଇବେଲ” କହେ ତାଙ୍କର ପୁଣ୍ୟ କର୍ମ
ପ୍ରଚାର ପ୍ରସାର କଲେ ସେ ଖ୍ରୀଷ୍ଟ ଧର୍ମ
ତାଙ୍କ ଜନ୍ମ ଦିନଠାରୁ ଖ୍ରୀଷ୍ଟାବ୍ଦ ହୁଏ ଗଣନା
ବଡ଼ଦିନରେ ତାଙ୍କ ଅନୁଗାମୀ କରନ୍ତି ପ୍ରାର୍ଥନା
ଅସୀମ ଥିଲା ତାଙ୍କର ସାହସ ଧୈର୍ଯ୍ୟ
ଜନ୍ମିଥିଲେ ଦୟନୀୟ ଭାବେ ମେଣ୍ଢାଶାଳରେ
ଅସହାୟା ମହିଳା ମାତା ମେରୀଙ୍କ କୋଳରେ
ବାଲ୍ୟକାଳରୁ ଜୀବନର ଶେଷ ଯାଏଁ
ବହୁ ବାଧା ବିଘ୍ନ ସହି କରି ଚାଲିଥିଲେ ସଂଗ୍ରାମ
ସବୁରି କଲ୍ୟାଣ ପାଇଁ ପରମ ପିତା ଈଶ୍ଵରଙ୍କୁ
କରୁଥିଲେ ସେ ଅନ୍ତରରୁ ନିବେଦନ
ଅଗାଧ ଥିଲା ତାଙ୍କର ଈଶ୍ଵର ବିଶ୍ଵାସ
ଆଜି ବି ସଭିଏଁ କୁହନ୍ତି ସେ ଅବତାରୀ ପୁରୁଷ
ଜନ୍ମିଥିଲେ ଜଗତ ଜନଙ୍କୁ ଉଦ୍ଧାରିବା ପାଇଁ
ତତ୍କାଳୀନ ମାନବ ସମାଜ ଥିଲା ପତନମୁଖୀ
ଅନ୍ଧବିଶ୍ୱାସ କୁସଂସ୍କାରକୁ ଜାବୁଡ଼ି ଧରି
ଅଜ୍ଞାନ ଅନ୍ଧାରରେ ଥିଲେ ସବୁ ଯନ୍ତ୍ରଣା ଭୋଗୀ
ଈଶ୍ଵରଙ୍କ ସନ୍ତାନ ଯୀଶୁ ଦେଲେ ଜ୍ଞାନଜ୍ୟୋତି
ତାଙ୍କ ଅନୁଗତ ହୋଇ ମଣିଷ ଲଭିଲା ଶାନ୍ତି
ମାତ୍ର କେତେକ ସ୍ଵାର୍ଥନ୍ଵେଷୀ କଲେ ବିରୁଦ୍ଧାଚରଣ
କରି ତାଙ୍କୁ ନାନା ଦୋଷାରୋପ ବିଧର୍ମୀ ବୋଲି
ନିର୍ମମ ଭାବେ ଦଣ୍ଡ ବିଧାନେ କଲେ କ୍ରୁଶବିଦ୍ଧ
ତଥାପି ନକରି ପ୍ରତିବାଦ ପ୍ରତିରୋଧ
ଈଶ୍ଵରଙ୍କଠାରେ ତାଙ୍କ ପାଇଁ କଲେ କ୍ଷମାଭିକ୍ଷା
ଧନ୍ୟ ଯୀଶୁ ଧନ୍ୟ ତାଙ୍କର ସହନଶୀଳତା
ମାନବର ହିତ ଲାଗି ହସି ହସି ଦେଲେ ପ୍ରାଣବଳି
ତାଙ୍କରି ସ୍ମରଣେ ତାଙ୍କ ଜନ୍ମ ଜୟନ୍ତୀ
ପାଳିତ ହୁଏ ସମଗ୍ର ବିଶ୍ବରେ ବଡ଼ଦିନ ରୂପେ
ତାଙ୍କ ଆଦର୍ଶ ବିଚାର ଧାରାରେ ମାନବ ସେବା
ସମୂହ ଜନସାଧାରଣ କଲେ ନ୍ୟାୟ ନୀତିରେ
ମାନବଙ୍କ ମଧ୍ୟେ ରହିବ ନାହିଁ ଆଉ ଭେଦାଭେଦ
ସଭିଏଁ ପାଇବେ ସୁଖ ଶାନ୍ତି ଅପାର ଆନନ୍ଦ
ବୁଝିଲେ ଜଗତବାସୀ ବଡ଼ଦିନ ଏ ବିଶେଷତ୍ଵ
ତାଙ୍କ ଜନ୍ମଦିନ ପାଳିବା ହେବ ସାର୍ଥକ।
   
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା         
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *