ଚାଷୀ ବେଶରେ ମଣ୍ଡିରେ ଜିଲ୍ଲାପାଳ( ହାଫ୍ ପ୍ୟାଣ୍ଟ୍, ମୁଣ୍ଡରେ ଠେକା ଭିଡ଼ି ପହଞ୍ଚି ଲେ ଜିଲ୍ଲାପାଳଅବ୍ୟବସ୍ଥା ଦେଖ୍ ଖପ୍ପା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ହାଫ୍ ପ୍ୟାଣ୍ଟ୍କୁ ମୁଣ୍ଡରେ ଠେକା। ମୁହଁରେ ମାସ୍କ । ମଣ୍ଡିରେ ପହଞ୍ଚିଲେ। ୪ ତାରିଖ ଧାନ ବିକିବାକୁ ଟୋକନ ମିଳିଛି। ଧାନ ଆଣିବି କି ବୋଲି ପଚାରିଥିଲେ । ହେଲେ ୧୬ ତାରିଖରେ ଧାନ ଆଣି ବୋଲି ମଣ୍ଡି ସମ୍ପାଦକ କହିଥିଲେ।
ପୁଣି ୧୫ରୁ ୧୬ କେଜି ଯାଏ ଧାନ କାଟିବେ ବୋଲି ମଧ୍ୟ କହିଥିଲେ। ହେଲେ ହାପ୍ ପ୍ୟାଣ୍ଟ ପିନ୍ଧା ମଣିଷ ଜଣକ ଚାଷୀ ନ ଥିଲେ, ଥିଲେ ଜିଲ୍ଲା ମୁଖୁଆ । ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ମଣ୍ଡି ପରିଦର୍ଶନ ବେଳେ
ପୁଳାପୁଳା ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଏହାକୁ ଦେଖି ଖପା ହୋଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ଏଥିସହ ସମ୍ପୃକ୍ତ
ମଣ୍ଡି ସମ୍ପାଦକଙ୍କୁ ଏଭଳି ଅବ୍ୟବସ୍ଥା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।ମଣ୍ଡିରେ କଟ୍ନି ଛଟ୍ନି ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍ଙ୍କୁ ତାଗିଦ୍ କରାଯାଉଛି। ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଥିବା ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛିଦିନ ତଳେ ଭଦ୍ରକ ଗସ୍ତରେ ଆସି ସ୍ଥିତି ପରଖି ଥିଲେ। ମିଲର୍ ଓ ସମିତି ସମ୍ପାଦକଙ୍କୁ ଚେତାବନୀ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟ୍ନି ଛଟ୍ନି ରୋକିବା ଦିଗରେ ତତ୍ପର ଦେଖାଦେଇଥିଲା। ଖୋଦ୍ ଜିଲ୍ଲାପାଳ ଶ୍ରୀ ରାଉତରାୟ ମଣ୍ଡିକୁ ଯାଇ ଯାଞ୍ଚ କରିଥିଲେ। ଏହା ସତ୍ତ୍ୱେ ପୁଣି ଅନୁରୂପ ଅଭିଯୋଗ ଆସିବାକୁ ଲାଗିଲା। ଶେଷରେ ସତ୍ୟତା ଜାଣିବାକୁ ଜିଲ୍ଲାପାଳ ରବିବାର ଧାମନଗର ବ୍ଳକ୍ କଟସାହି ସେବା ସମବାୟ ମଣ୍ଡିକୁ ଚାଷୀ ବେଶରେ ବାଇକରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀ ମଧ୍ୟ ଅନୁରୂପ ବେଶରେ ଯାଇଥିଲେ। ହାଫ୍ ପ୍ୟାଣ୍ଟ, ମୁଣ୍ଡରେ ଠେକା ଭିଡ଼ି, ଚପଲ ପିନ୍ଧିଥିବାରୁ ସମବାୟ ସମିତି ସମ୍ପାଦକ ବିନୋଦ ଦଳାଇ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ । ଜିଲ୍ଲାପାଳ ନିଜକୁ ଲୁଣିଆ ତେଲିସାହିର ଜଣେ ଚାଷୀ ବୋଲି ପରିଚୟ ଦେଇଥିଲେ। ପଚାରି ବୁଝିବା ବେଳେ ମଣ୍ଡିରେ ୧୫ କେଜି ଯାଏ ଧାନ କଟାଯାଉଥିବା ଓ ବ୍ୟାପକ ଅବ୍ୟବସ୍ଥା ଚାଲିଥିବା ଜାଣିବାକୁ ପାଇଥିଲେ । ସେଠାରୁ ଫେରି ସମ୍ପାଦକ ଶ୍ରୀ ଦଳେଇଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ଭଦ୍ରକ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି।
