ରଙ୍ଗ ପସରା

   🖊️କବିରତ୍ନ ନୂତନ କୁମାର ବେହେରା

ରଙ୍ଗ ପସରା ନେଇ ଧରାକୁ ଆସିଛି ମଧୁ ବସନ୍ତ
ବର୍ଣ୍ଣାଢ଼୍ୟ ପରିବେଶରେ ଚହଟେ ଦିଗ ଦିଗନ୍ତ
ରାଜକୀୟ ଆଡ଼ମ୍ବରରେ ଦିଶଇ ଶୁଭ୍ରକାନ୍ତ
ଋତୁରାଜ ସେ ସ୍ଵଭାବରେ ନମ୍ର ଶାନ୍ତ
ସ୍ଵାଗତ କରି ତାକୁ ହସୁଛି ଫୁଲେଇ ଫଗୁଣ
ସୌନ୍ଦର୍ଯ୍ୟରେ ତା’ ଝଲସି ଉଠେ ଭୁବନେ ଭବନ
ତା’ ଅନୁପମ ଶୋଭା ଶିରୀର ରୂପ ଲାବଣ୍ୟ
ଶବ୍ଦ ପଦରେ ଅନ୍ତ ହୁଏନା କରି ବର୍ଣ୍ଣନ
ଭାବ ଭାବନାରେ ଲୁଚକାଳି ଖେଳେ ମନ
ନୂଆ ନୂଆ ଲାଗେ ମରତେ ଚଳନ୍ତି ଜୀବନ
ଫୁଲରେ ଫୁଲରେ ସଜେଇ ହୋଇଛି ପ୍ରକୃତିରାଣୀ
ଦିଶେ ମନୋହରା ତା’ ତନୁଲତାର ନବରୂପ ଠାଣି
ପଲକେ ପଲକେ ନବ ଆଲୋକେ ଝଲକେ
ମୃଦୁ ମଳୟରେ ମହକ ତାର ମହକେ
ପାଖୁଡ଼ା ପାଖୁଡ଼ାରେ ଭରିଛି ସେ ରଙ୍ଗ ପସରା
ଦିଏ ଆଖିରେ ଆଖିରେ ପ୍ରୀତିର ଇସାରା
ନିଆରା ନିଆରା ଲାଗେ ସୁନ୍ଦର ଧରା
ଶୀତ ଯାଏ ଦୂରେ ବଦଳି ଯାଏ ଜୀବନ ଧାରା
ପ୍ରାଣର ପୁଲକେ ମନ୍ତ୍ରମୁଗ୍ଧ ହୁଅନ୍ତି ଭାବୁକେ
ରଙ୍ଗରେ ରଙ୍ଗରେ ପୁର ପଲ୍ଲୀ ଝଟକେ
ତୋଟା ମାଳର ଡାଳେ ଡାଳେ ଆମ୍ବ ବଉଳେ
ନବ ପଲ୍ଲବିତ ବୃକ୍ଷ ମଣ୍ଡିତ ହୁଏ ଫୁଲେ ଫଳେ
ବନଭୂଇଁ ଭରିଯାଏ ସବୁଜ ସବୁଜିମାରେ
ପେନ୍ଥା ପେନ୍ଥା କୃଷ୍ଣଚୂଡ଼ା ହସେ ଲାଲ୍ ରଙ୍ଗରେ
ବିଭୋରେ ବିଭୋର ହୋଇ ଗାଏ ନହୁଲି କୋଇଲି
ନାନା ଜାତି ପକ୍ଷୀ କରନ୍ତି କାକଳି ମନ ଖୋଲି
ମଧୁର ଶବ୍ଦକୁଞ୍ଜର ମନ୍ତ୍ରରେ ଆସେ ସକାଳ ସଞ୍ଜ
ଶୋଭାମୟ ଶୋଭାଯାତ୍ରାରେ ବିରାଜେ ଋତୁରାଜ
ଶ୍ରୀରାଧାକୃଷ୍ଣଙ୍କ ପୂଜନେ ରଙ୍ଗ ଖେଳି ଖେଳି
ସାରା ଭୂଲୋକର ମୁଲକ ହୋଇ ଉଠେ ଗହଳି
ଋତୁରାଜ ବସନ୍ତ ଆସିଛି ରଙ୍ଗ ପସରା ମେଲି
ଫଗୁର ରଙ୍ଗେ ରଙ୍ଗାଇବାକୁ ଖେଳେ ହୋଲି
ସେ ରଙ୍ଗ ତନୁ ମନେ ବୋଳି ଦୁଃଖ ଯାଆନ୍ତି ଭୁଲି
ପ୍ରକୃତିର ପ୍ରୀତିଭାଜନେ ସର୍ବେ ହସୁଥାନ୍ତି ମନ ଖୋଲି
ବସନ୍ତେ ମାଆ ବାସନ୍ତୀ ଆସି ଆଶିଷ ଦିଅନ୍ତି ଢାଳି
ଭାବେ ଭବେ ହସ ଖୁସି ଆନନ୍ଦ ପଡ଼େ ଉଛୁଳି।

     ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
      ‘ ନବସୃଜନ ‘ ଇ-ପତ୍ରିକା,
  କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *