ଗଞ୍ଜାମ ବ୍ଲକର ୨୧ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ

ବ୍ରହ୍ମପୁର,୧୨/୦୪ ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଦେଇ ମାଳମାଳ ଶିକ୍ଷକ ଚାକିରି କରୁଛନ୍ତି। ଏହି ତାଲିକା ଧୀରେ ଧୀରେ ବଢି ଚାଲିଛି। ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇ ସାରିଲାଣି। ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରି ୧୧୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ପୁଣିଥରେ ଗଞ୍ଜାମ ବ୍ଳକର ୨୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। ଶ୍ରୀ ମହାନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ,ବିଭାଗୀୟ ସଚିବ, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସକୁ ଚିଠି ଲେଖିଛନ୍ତି। ଗଞ୍ଜାମ ଜିଲ୍ଲାରେ ବିଗତ ଦିନରେ ଆସ୍କା ପୋଲିସ ଓ ବ୍ରହ୍ମପୁର ପୋଲିସ ଜାଲ୍ ସାର୍ଟିଫିକେଟ ତିଆରି କରି ବିକ୍ରି କରୁଥିବା ରାକେଟକୁ ଧରିଥିଲା। ଅନ୍ଯ ପୋଲିସ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ଯ ରାକେଟ ଧରିବାରେ ବିଫଳ ହୋଇଛନ୍ତି। ଗଞ୍ଜାମ ବ୍ଲକର ବିଭିନ୍ନ ସ୍କୁଲରେ କାର୍ଯ୍ଯରତ ୨୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ଯ ଅନୁସାରେ କର୍ଣ୍ଣାଟକର ଗୁଲବର୍ଗ ବିଶ୍ବବିଦ୍ୟାଳୟ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସ୍ଥିତ ଆଚାର୍ଯ୍ଯ ନାଗାର୍ଜୁନ ବିଶ୍ବବିଦ୍ୟାଳୟ,ରାୟପୁର ରବିଶଙ୍କର ଶୁକ୍ଳା ବିଶ୍ବବିଦ୍ୟାଳୟ,ଆଗ୍ରା ସ୍ଥିତ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ,କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ ଭଳି ବାହାର ରାଜ୍ୟର ବିଇଡି ସାର୍ଟିଫିକେଟରେ ଚାକିରି ପାଇଛନ୍ତି। ବର୍ତ୍ତମାନ ସୁଧା ଶ୍ରୀ ମହାନ୍ତି ଗଞ୍ଜାମ ଜିଲ୍ଲାର ୬୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରିସାରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ଯତିତ ଶ୍ରୀ ମହାନ୍ତି କନ୍ଧମାଳ, ଗଜପତି,ରାୟଗଡା,କୋରାପୁଟ,ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଜାଲ୍ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରିସାରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ମଧ୍ଯ ବିକ୍ରି ହେଉଛି। ସାର୍ଟିଫିକେଟ ଯାଞ୍ଚ କାର୍ଯ୍ଯ ସାରିବା ପାଇଁ ସରକାର ତଥା ଶିକ୍ଷା ବିଭାଗର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ତଦନ୍ତ ଆଳରେ ବିଇଓ,ଡିପିସି ଓ ଡିଇଓ କାର୍ଯ୍ଯାଳୟର ଅସାଧୁ ଅଧିକାରୀ ଓ କର୍ମଚାରୀ ମାନେ ଅର୍ଥ ନେଇ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେଉଥିବା ନେଇ ଶ୍ରୀ ମହାନ୍ତି ଅଭିଯୋଗ ଉଠାଇଛନ୍ତି । ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ କାରବାର ପଛରେ କିଛି ନେତା,ଶିକ୍ଷକ ଓ ଦଲାଲ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *