ଚାକିରି ସର୍ତ୍ତାବଳୀ ଓ ପେନସନ ଦାବୀରେ ଧାରଣା ଓ ଦାବୀପତ୍ର ପ୍ରଦାନ।

ରଘୁନାଥପୁର:-୨/୭()ଓଡିଶା ମାଧ୍ୟମିକ ସ୍କୁଲ କଲେଜ ଶିକ୍ଷକ ସଂଘ (ଓଷ୍ଟା)ତଥା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ରଘୁନାଥପୁର ବ୍ଲକ ଶାଖା ପକ୍ଷରୁ ଅନୁଦାନ,ଚାକିରି ସର୍ତ୍ତାବଳୀ, ପେନସନ ଓ ଅନ୍ୟାନ୍ୟ କେତେକ ଦାବୀରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତୀକ ଧାରଣା ସହ ଜିଲ୍ଲାପାଳ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଦାବୀ ଗୁଡିକ ମଧ୍ୟରେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ,ଅବସର ନେଇଥିବା ଏବଂ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ,ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା,ଗ୍ରେଡପେରେ ଥିବା ଅସଙ୍ଗତି ଦୂରୀକରଣ,ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ସରକାରୀକରଣ ଓ ଶିକ୍ଷକ ନିଯୁକ୍ତି ଏବଂ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପ୍ରାପ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ ଟି ନୋଶନାଲ ଇଂକ୍ରିମେଣ୍ଟ ସହିତ ବରିଷ୍ଠାତା ପ୍ରଦାନ ଏବଂ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମର ପୂନ ପ୍ରଚଳନ ଆଦି ରହିଛି।ଓଷ୍ଟା ବ୍ଲକ ସଭାପତି ଶରତ କୁମାର ପଣ୍ଡା ଓ ସମ୍ପାଦକ ରଞ୍ଜନ କୁମାର ମିଶ୍ରଙ୍କ ନେତୃତ୍ୱରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ପୂର୍ବାହ୍ନ ୧୧ ଟା ୩୦ ରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ଦେଇଥିଲେ।ଏସବୁ ସମ୍ପର୍କରେ ବାରମ୍ବାର ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକଙ୍କୁ ଜଣାଇବା ପରେ କୌଣସି ସୁଫଳ ମିଳୁନାହିଁ।ଯାହା ଫଳରେ ଶିକ୍ଷକ ଶିକ୍ଷା କର୍ମଚାରୀ ମାନେ ହତାଶା ଓ ନିରାଶା ଭିତରେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଅନିଚ୍ଛାସତ୍ତ୍ବେ ଆମ୍ଭେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଚୁ ବୋଲି ସମ୍ପାଦକ ମିଶ୍ର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *